ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ କଙ୍ଗା ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇଥିବା ଜଣାପଡ଼ିଛି। ସିଡିପିଓ ସୁଚେତା ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ଯେ, କୋଟପାଡ଼ ବ୍ଲକ କୁସୁମି ଅଂଚଳର ନାବାଳିକା ଝିଅର ବିବାହ କଙ୍ଗା ଅଂଚଳର ପଙ୍କଜ ହରିଜନ ନାମକ ଜୈନେକ ଯୁବକଙ୍କ ସହ ଆଜି ବିବାହ ହେବାକୁ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇବା ପରେ ଶ୍ରୀମତୀ ପଣ୍ଡା, ଚାଇଲାଇଡ୍ ଲାଇନର ତପସ୍ବିନୀ ପାଢ଼ୀ, ଷ୍ଟେସନ କଙ୍ଗାର ଅଙ୍ଗନୱାଡୀ କର୍ମୀ, ଜୟପୁର ସଦରଥାନାର କଙ୍ଗା ବିଟର କର୍ମଚାରୀ ଗାଁରେ ପହଞ୍ଚିଥିଲେ।
ବିବାହ କାର୍ଡ ଦେଖି ଝିଅର ଜନ୍ମ ତାରିଖ ବିଷୟରେ ପଚାରି ବୁଝିଥିଲେ। ଝିଅର ଆଧାରକାର୍ଡରେ ଯଦିଓ ୧୮ବର୍ଷ ହେଉଥିଲେ ହେଁ ସ୍କୁଲର ପ୍ରମାଣପତ୍ର ଦେଖିବାକୁ ପଡ଼ିବ ବୋଲି କହିଥିଲେ। ସେଭଳି ପୁଅର ବୟସ ୨୦ବର୍ଷ ୭ମାସ ହୋଇଥିବାରୁ ବିବାହ ବୟସ ହୋଇନଥିବାରୁ ଏହା ଆଇନ ସମ୍ମତ ନୁହେଁ ବୋଲି ବୁଝା ଯାଇଥିଲା। ପୁଅର ବିବାହ ବୟସ ହେବାପରେ ବିବାହ କରିବି ବୋଲି ବାପା ଲିଖିତ ଭାବେ ଦେବା ପରେ ବିବାହ ବନ୍ଦ କରାଯାଇଥିବା ସିଡିପିଓ ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି । ସେଭଳି ଝିଅର ସ୍କୁଲ ପ୍ରମାଣପତ୍ର ବି ଆଣିବାକୁ କୁହାଯାଇଥିଲା। ଆଜି ବିବାହ ବାତିଲ୍ ହୋଇଥିବା ବେଳେ ଉଭୟଙ୍କ ବିବାହ ବୟସ ହେବା ପରେ ଏହା ସଂପନ୍ନ କରାଯିବ ବୋଲି କହିଛନ୍ତି ସିଡିପିଓ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/jpr-nabalika-nabalok-bibaha-rokila-.jpg)