ପ୍ରଦୀପ କୁମାର ପାଢ଼ୀ

Advertisment

ନବରଙ୍ଗପୁର: ପ୍ରଥା ଓ ପରମ୍ପରା ନାଁରେ ଚାଲିଥିବା ବାଲ୍ୟବିବାହ ନବରଙ୍ଗପୁର ଜିଲ୍ଲାର କିଶୋରୀଙ୍କ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଛି। ସଚେତନତା ସତ୍ତ୍ବେ ଲୋକଙ୍କ ମାନସିକତାରେ ଆଦୌ ପରିବର୍ତ୍ତନ ହେଉନି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର‌ାଗଲେ ମଧ୍ୟ ବାଲ୍ୟବିବାହରେ ଅଙ୍କୁଶ ଲାଗିପାରୁନି। ଜିଲ୍ଲାରେ ମହିଳା ସାକ୍ଷରତା ହାର ଯଥେଷ୍ଟ କମ୍‌ ଥିବାରୁ ଏହାକୁ ରୋକାଯାଇ ପାରୁନି।

ଏନ୍‌ଏଫ୍‌ଏଚ୍‌ଏସ୍-୫ ସର୍ଭେ ଅନୁସାରେ, ବାଲ୍ୟବିବାହରେ ନବରଙ୍ଗପୁର ଜିଲ୍ଲା ରାଜ୍ୟ ତାଲିକାର ଶୀର୍ଷରେ ରହିଛି। ଯାହାର ପରିଣତି ଦିନକୁ ଦିନ ବିଷମ ହେବାରେ ଲାଗିଥିବାରୁ ପ୍ରଶାସନ ଅନ୍ବେଷା ଭଳି କାର୍ଯ୍ୟକ୍ରମ ହାତକୁ ନେଇଛି। ବିଭିନ୍ନ ଜାତି ଓ ଜନଜାତି ସମାଜର ମୁଖିଆଙ୍କୁ ସଚେତନ କରୁଛି। ସେହିପରି ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଅଦ୍ବିକା କ୍ଲବ ଗଠନ କରି ୧୧ରୁ ୧୯ ବର୍ଷ ମଧ୍ୟରେ କିଶୋରୀଙ୍କୁ ସଚେତନ କରାଯାଉଛି। ଗତ ୩ବର୍ଷ ମଧ୍ୟରେ ୨୩୩୦ ଅଦ୍ବିକା କ୍ଲବ ମାଧ୍ୟମରେ ୧ଲକ୍ଷ ୧୮ ହଜାର କିଶୋର ଓ କିଶୋରୀଙ୍କୁ ସଚେନତ କରାଯାଇ ସାରିଲାଣି। ତଥାପି ବାଲ୍ୟବିବାହ ଭଳି କୁପ୍ରଥା ନିୟନ୍ତ୍ରଣ ହୋଇପାରୁନି। ଏହାବ୍ୟତୀତ ବାଲ୍ୟବିବାହ ରୋକିବା ପାଇଁ ଶିଶୁ ସୁରକ୍ଷା ୟୁନିଟ୍‌, ସାମାଜିକ ମଙ୍ଗଳ ବିଭାଗ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ପୁଲିସକୁ ଦାୟିତ୍ବ ଦିଆଯାଇଛି। ଗତ ୪ବର୍ଷରେ ପ୍ରାୟ ୧୪ଶହ ବାଲ୍ୟବିବାହ ‌ରୋକିବାରେ ପ୍ରଶାସନ ସକ୍ଷମ ହୋଇଛି। ଏମିତି ଅନେକ ପ୍ରୟାସ ସତ୍ତ୍ବେ ନିଜ ଦାୟିତ୍ବ ନେବାକୁ ସକ୍ଷମ ନଥିବା ନାବାଳିକା ବିବାହ କରି ଗର୍ଭବତୀ ହେଉଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ଗର୍ଭବତୀ ହେବା ଓ ମାତୃତ୍ବ ଲାଭ କରିଥିବା ୧୫ରୁ ୧୯ବର୍ଷ ମଧ୍ୟରେ କିଶୋରୀଙ୍କ ସଂଖ୍ୟା ଜିଲ୍ଲାରେ ୮.୩ ପ୍ରତିଶତ ରହିଛି।

କେନ୍ଦ୍ର ସରକାରଙ୍କ ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ତଥ୍ୟ କହୁଛି ଗତ ଏପ୍ରିଲରୁ ଆଜି ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ୧୩,୬୦୪ଜଣ ଗର୍ଭବତୀ ପଞ୍ଜୀକୃତ ହୋଇଛନ୍ତି। ସେଥିରୁ କିଶୋରୀ ଗର୍ଭବତୀଙ୍କ ସଂଖ୍ୟା ୧୦୦୧ ରହିଛନ୍ତି। ଚିନ୍ତାର ବିଷୟ ହେଲା ମୋଟ ଗର୍ଭବତୀଙ୍କ ମଧ୍ୟରୁ ୭.୩୫ ପ୍ରତିଶହ ହେଉଛନ୍ତି ନାବାଳିକା। ଚନ୍ଦାହାଣ୍ଡି ବ୍ଲକରେ ସବୁଠାରୁ କମ ୨୮ଜଣ କିଶୋରୀ ଗର୍ଭବତୀ ହୋଇଥିଲା ବେଳେ କୋଷାଗୁମୁଡ଼ା ବ୍ଲକରେ ସର୍ବାଧିକ ୧୭୦ କିଶୋରୀ ଗର୍ଭବତୀ ହୋଇଛନ୍ତି। ଝରିଗାଁ, ଉମରକୋଟ, ରାଇଘର, ନବରଙ୍ଗପୁର, ପାପଡ଼ାହାଣ୍ଡି ବ୍ଲକରେ ଶହେରୁ ଅଧିକ କିଶୋରୀ ୭ମାସ ମଧ୍ୟରେ ଗର୍ଭବତୀ ହୋଇଛନ୍ତି। କମ ବୟସରେ ଗର୍ଭବତୀ ହେବା ଦ୍ବାରା ଶାରୀରିକ ସମସ୍ୟା ଦେଖାଯିବା ସହ ଜୀବନ ପ୍ରତି ବିପଦ ବି ରହୁଛି। ଏପରି ଅନେକ କିଶୋରୀ ପ୍ରସବ ସମୟରେ ପ୍ରାଣ ମଧ୍ୟ ହରାଉଛନ୍ତି। ନବଜାତଙ୍କ କ୍ଷେତ୍ରରେ ଠିକ ଭାବେ ମାନସିକ ଓ ଶାରୀରିକ ବୃଦ୍ଧି ହୋଇନଥିବା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ତେଣୁ କିଶୋରୀଙ୍କ ପ୍ରସବ ସମୟରେ ଡାକ୍ତରଙ୍କୁ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।