ଡାକ୍ତରଖାନାରେ ଗର୍ଭସ୍ଥ ଶିଶୁ ଗାଏବ!

ମହିଳାଙ୍କ ପରିବାରର ଅଭିଯୋଗ, ଡାକ୍ତରଖାନା କର୍ତ୍ତୃପକ୍ଷ କହିଲେ ପିଲାନାହିଁ

ମାଲକାନଗିରି/ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବିଶ୍ବନୀୟ ଘଟଣା ଘଟିଛି। ପ୍ରସବ ପାଇଁ ଡାକ୍ତରଖାନା ପହଞ୍ଚିଥିବା ଜଣେ ମହିଳାଙ୍କ ଲେବର ରୁମ୍‌ରେ ଗର୍ଭସ୍ଥ ଶିଶୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଯାହାକି, ସମସ୍ତଙ୍କୁ ଚକିତ କରିବା ସହ ସନ୍ଦେହକୁ ମଧ୍ୟ ବଢ଼ାଇଛି।

ସୂଚନା ଅନୁଯାୟୀ, ମାଥିଲି ବ୍ଲକ୍‌ ଅନ୍ତର୍ଗତ ବିରେନପାଲି ଗ୍ରାମର ବନ୍ଧୁ ପଟିଙ୍କ ପତ୍ନୀ କୌଶଲ୍ୟା ଭୂମିଆ ଗତକାଲି ଅପରାହ୍ନରେ ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ଏ ନେଇ ଗାଁର ଆଶାକର୍ମୀ ଆଶୁମତି ଗୌଡ଼ଙ୍କୁ ଅବଗତ କରାଇବାପରେ ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରସବ ସମୟ ପାଖେଇ ଆସିଥିବାରୁ ତୁରନ୍ତ ଲେବର ରୁମ୍‌କୁ ନେଇ ଗର୍ଭସ୍ଥ ଶିଶୁର ଅବସ୍ଥିତି ଜାଣିବା ପାଇଁ ଡାକ୍ତର ଅଲ୍‌ଟ୍ରାସାଉଣ୍ଡ କରିଥିଲେ। କିନ୍ତୁ, ଯେଉଁ ଚିତ୍ର ଡାକ୍ତର ଦେଖିଲେ ତାହାକୁ ଆଦୌ ବିଶ୍ବାସ କରିପାରି ନଥିଲେ। ତେଣୁ ଅନ୍ୟାନ୍ୟ ପରୀକ୍ଷା କରାଇଥିଲେ ସୁଦ୍ଧା ଗର୍ଭସ୍ଥ ଶିଶୁକୁ ଠାବ କରିପାରିନଥିଲେ। ପରୀକ୍ଷା ରିପୋର୍ଟ ଆଧାରରେ ପରିବାର ଲୋକଙ୍କୁ କୌଶଲ୍ୟା ଗର୍ଭବତୀ ନଥିବା କହିଥିଲେ। ଏଭଳି ଉତ୍ତର ପାଇବେ ବୋଲି କଳ୍ପନା କରିନଥିବା ପରିବାର ଲୋକ ହୋ’ଲ୍ଲା ଆରମ୍ଭ କରିଥିଲେ। ଡାକ୍ତରଖାନାରେ ପିଲାକୁ ଗାଏବ କରାଯାଇଛି ବୋଲି ଅଭିଯୋଗ କରିଥିଲେ।

ମା’ ଓ ଶିଶୁ ସୁରକ୍ଷା କାର୍ଡ ମିଳିଲା କେମିତି?
ମହିଳାଙ୍କୁ ସୁରକ୍ଷା, ଆଜି ଅଲ୍‌ଟ୍ରା ସାଉଣ୍ଡ୍‌

ପରିସ୍ଥିତି ବିଗୁଡ଼ିଥିବା ବେଳେ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଶଲ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଯୋଗାଯୋଗ କରି ଆଜି ସଂଧ୍ୟାରେ ମାଲକାନଗିରି ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ହୋଇଥିବା ପରୀକ୍ଷାରେ କାଳେ କୌଣସି ତ୍ରୁଟି ହୋଇଥିବା ସନ୍ଦେହ କରି ଆଜି ଏକାଧିକ ପରୀକ୍ଷା ହୋଇଥିଲା। ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଅଲଟ୍ରାସାଉଣ୍ଡ କରାଯିବ ବୋଲି ସିନିୟର ମେଡିକାଲ ଅଫିସର ଡାକ୍ତର ଅନୀଲ ମିଶ୍ର କହିଛନ୍ତି।

କୌଶଲ୍ୟାଙ୍କ କହିବାନୁଯାୟୀ, ୯ମାସ ତଳେ ଗର୍ଭବତୀ ହୋଇଥିବା ଜାଣିବା ପରେ ଗାଁର ଆଶାକର୍ମୀଙ୍କୁ ଜଣାଇଥିଲେ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ମହିଳା ସ୍ବାସ୍ଥ୍ୟକର୍ମୀ ମା’ ଓ ଶିଶୁ ସୁରକ୍ଷା କାର୍ଡ ପ୍ରଦାନ କରିଥିଲେ। ଗର୍ଭଧାରଣ ପଞ୍ଜୀକରଣ ଅନୁସାରେ ଓଜନ, ଶରୀରର ତାପମାତ୍ରା, ନିଶ୍ବାସ ପ୍ରଶ୍ବାସର ଗତି, ହିମୋଗ୍ଲୋବିନ୍, ପରିସ୍ରା, ରକ୍ତରେ ଶର୍କରା ପରିମାଣ ଜାଣିବାକୁ ବିଭିନ୍ନ ପରୀକ୍ଷା ହୋଇଥିଲା। ସମୟ ଅନୁସାରେ ପେଟ ଫୁଲିଥିବା ବେଳେ ପ୍ରସବ ଜନିତ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥିଲେ। ଦିନେ ବି କେହି ଗର୍ଭବତୀ ନଥିବା କଥା କହିନାହାନ୍ତି। ଲେବର ରୁମ୍‌କୁ ଆସିବା ପରେ ଗର୍ଭରେ ଶିଶୁ ନଥିବା ଡାକ୍ତର କହୁଛନ୍ତି।

ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୀୟ କୁମାର ସ୍ୱାଇଁ କହିଛନ୍ତି, କିନ୍ତୁ, ପରୀକ୍ଷା ପରେ ସେ ଗର୍ଭବତୀ ନଥିବା ଜଣାପଡ଼ିଥିଲା। ତାଙ୍କ ଛୁଆକୁ କେହି ଗାଏବ କରିନାହାନ୍ତି। ଏ ନେଇ ମାଥିଲି ଥାନାରେ ଖବର ଦିଆଯିବାରୁ ପୁଲିସ ସୁରକ୍ଷା ବଳୟରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ବୋଲି ଡାକ୍ତର ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର