ନୟାଗଡ଼ରେ ଶିଶୁକନ୍ୟାଙ୍କ ସୁରକ୍ଷା ଏବେ ବଡ଼ ଚିନ୍ତା: ବିଜେପି

ଭୁବନେଶ୍ବର : ନୟାଗଡ଼ରେ ବହୁଚର୍ଚ୍ଚିତ ପରୀ ହତ୍ୟା କାଣ୍ଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁର କୁନି ଝିଅ ବେବିର ମୃତଦେହ ଜଙ୍ଗଲରୁ ମିଳିଛି। ବେବି ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇ ଯାଇଥିଲା ଏବଂ ଏହାର ୫ଦିନ ପରେ ଏକ ନିଛାଟିଆ ଜଙ୍ଗଲରୁ ତା’ର ମୃତଦେହ ଉଦ୍ଧାର ହେଲା। ବିଳମ୍ବରେ ହେଉ ପଛେ ପୁଲିସ ଅପରାଧୀକୁ ଧରିଛି ବୋଲି କହୁଛି। ହେଲେ ନୟାଗଡ଼ରେ ଏଭଳି ଘଟଣା ବାରମ୍ବାର ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି। ନୟାଗଡ଼‌ରେ ଶିଶୁକନ୍ୟାଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଶିଶୁ ହତ୍ୟାକାଣ୍ଡ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବାବେଳେ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ନଥିବାରୁ ଅପରାଧୀଙ୍କ ମନରେ ପ୍ରଶାସନ ଓ ଆଇନ ପ୍ରତି କୌଣସି ଭୟ ନାହିଁ। ଯେଉଁଥିପାଇଁ ଅପରାଧୀମାନେ ନିର୍ବିଘ୍ନ ହୋଇ ଏଭଳି ଜଘନ୍ୟ ଅପରାଧ କରିଚାଲିଛନ୍ତି। ଏହାବାଦ୍ ପୁଲିସର ‘ଡଗ୍‌ ସ୍କ୍ବାଡ୍‌’କୁ ଠିକ୍ ଭାବେ ପ୍ରଶିକ୍ଷଣ ଦିଆଯାଉନଥିବାରୁ ଏଭଳି ଜଘନ୍ୟ ଘଟଣାରେ ଅଭିଯୁକ୍ତଙ୍କୁ ସହଜରେ ଧରିପାରୁନି।

ଅପରପକ୍ଷେ ନୟାଗଡ଼ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ମୃତ ‌ଶିଶୁ ବେବିର ପରିବାରକୁ ଭେଟି ସାନ୍ତ୍ବନା ଦେଇଛନ୍ତି। ପ୍ରଶାସନ ମୃତ ଶିଶୁର ପରିବାରକୁ ସହାୟତା ଯୋଗାଇବା ସହ ଦୋଷୀ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛନ୍ତି। ଏହି ପ୍ରତିନିଧିଦଳରେ ସସ୍ମିତା ମିଶ୍ର, ରୁବି ମିଶ୍ରଙ୍କ ସମେତ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର