ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ

ଭୁବନେଶ୍ବର : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀମାନଙ୍କ ଏକ ସମୀକ୍ଷା ବୈଠକ ଆଜି ପୋଖରୀପୁଟସ୍ଥିତ ମିସନ୍ ଶକ୍ତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଶିଶୁ ସୁରକ୍ଷା ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଯଥାସମ୍ଭବ ଦାୟିତ୍ବ ଓ ତତ୍ପରତାର ସହ ତୁଲାଇବା ଦିଗରେ ଯତ୍ନବାନ ହେବାକୁ ପଡ଼ିବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନେବା ସତ୍ତ୍ବେ ଯେଉଁଠାରେ ଶିଶୁ ନିର୍ଯାତନା ଘଟଣା ନଜରକୁ ଆସୁଛି, ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇ ଶିଶୁକୁ ଉଦ୍ଧାର କରିବାକୁ ହେବ। ଏଥି ପାଇଁ ନିୟମିତ ଯାଞ୍ଚ୍ ଓ ଅଚାନକ ପରିଦର୍ଶନ ସହ ଶିଶୁ ପ୍ରଯତ୍ନ ଗୃହର ବାଳିକାମାନଙ୍କ ସମସ୍ୟା ସମ୍ପର୍କରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ କହିଲେ, ଶିଶୁ ପ୍ରଯତ୍ନ ଗୃହରେ ଥିବା ଶିଶୁମାନଙ୍କ ସୁରକ୍ଷା ହେଉଛି ଆମର ପ୍ରାଥମିକତା। ଶିଶୁ ସୁରକ୍ଷା ପ୍ରସଙ୍ଗରେ ଜିଲ୍ଲା ଶିଶୁ ଅଧିକାରୀମାନେ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଥିବା ଶିଶୁ ସୁରକ୍ଷା ସମିତି ସହ ଦୃଢ଼ ସମନ୍ବୟରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ଶିଶୁ ସୁରକ୍ଷା ସମିତି ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଓ ବିଭାଗୀୟ ଯୁଗ୍ମ ସଚିବ ଗୀତାରାଣୀ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର