ଚାଲେଞ୍ଜ୍‌ ହେବ ଶିଶୁଙ୍କ ସୁରକ୍ଷା

ଲକ୍‌ଡାଉନ୍‌-୩ ପରେ କଟକଣା କୋହଳ ଆଶା

ବ୍ରହ୍ମପୁର : ରାଜ୍ୟରେ ଦ୍ବିତୀୟ ଲହର କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଏହାର ଅର୍ଥ ଲକ୍‌ଡାଉନ୍‌ କାମ ଦେଉଛି। ଏଣୁ ସରକାର ଦୁଇଟି ପର୍ଯ୍ୟାୟ ପରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯାହାକି ଆଜିଠାରୁ ଆରମ୍ଭ ହେବ। ଲକ୍‌ଡାଉନ୍‌-୩ରେ ସେହି ସମାନ କଟକଣା ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଆଗାମୀ ଦିନରେ ସାବିତ୍ରୀ ଓ ରଜପର୍ବ ରହିଛି। ଏଣୁ ପୂଜା ବଜାର ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଉତ୍ସବ ପାଳନରେ କଟକଣା ଲଗାଇ ସଂକ୍ରମଣ ବୃଦ୍ଧିକୁ ସୁଯୋଗ ନଦେବାକୁ ସରକାର ଲକ୍‌ଡାଉନ୍‌-୩ ଘୋଷଣା କରିବା ପଛରେ ମୂଳ ଲକ୍ଷ୍ୟ। ଲକ୍‌ଡାଉନ୍‌-୩ ପରେ ସାଧାରଣ ଲୋକଙ୍କ ଜୀବନଜୀବିକାକୁ ଧ୍ୟାନରେ ରଖି କଟକଣା କୋହଳ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏହି ଆଶା ଭିତରେ ଏକ ବଡ଼ ଭୟ ଲୁଚି ରହିଛି। ତାହା ହେଉଛି, ଶିଶୁମାନଙ୍କୁ ସଂକ୍ରମଣ ଭୟ। ବର୍ତ୍ତମାନ ସୁଦ୍ଧା ଛୋଟ ଶିଶୁଙ୍କ ପାଇଁ ଟିକା ବାହାରି ନାହିଁ। ଯାହାକି ଅଭିଭାବକଙ୍କ ପାଇଁ ଏବେ ବଡ଼ ଚିନ୍ତା ହୋଇଛି। ପୁଣି କରୋନା ତୃତୀୟ ଲହର୍‌ ଆଶଙ୍କା ଥିବା ବେଳେ କରୋନାର ନୂଆ ପ୍ରଜାତିର ଭୂତାଣୁ ସାମ୍ନାକୁ ଆସୁଛି। ଏଣୁ ତୃତୀୟ ଲହର୍‌ରେ ଶିଶୁଙ୍କ ସୁରକ୍ଷା ବଡ଼ ଚାଲେଞ୍ଜ୍‌ ହେବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି।

କରୋନାର ପ୍ରଥମ ଲହରରେ ବୟସ୍କ ଓ ବୃଦ୍ଧବୃଦ୍ଧା ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଥିଲେ। ଦ୍ବିତୀୟ ଲହରରେ ଅଧିକ ଯୁବବର୍ଗ ଆକ୍ରାନ୍ତ ହେଉଛନ୍ତି। ଯୁବବର୍ଗଙ୍କ (୧୮ରୁ ୪୫ ବର୍ଷ) ଟିକାକରଣ ଜାରି ରହିଛି। ହେଲେ ଦ୍ବିତୀୟ ଲହରର ଶେଷ ପର୍ଯ୍ୟାୟରେ ଏହା ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବରରେ ତୃତୀୟ ଲହର୍‌ ଆସିପାରେ ବୋଲି ଅନୁଶୀଳନ ଆଧାରରେ ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ସେ ସମୟ ପର୍ଯ୍ୟନ୍ତ ଯଦି ଶିଶୁମାନଙ୍କ ପାଇଁ ଟିକା ବାହାରି ନଥିବା ତେବେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ବଢ଼ିଯାଉଛି। ବରିଷ୍ଠ ଏଣ୍ଡୋକ୍ରିନୋଲୋଜିଷ୍ଟ୍ ଡା. ସୁନୀଲ କୋଟାଙ୍କ କହିବା ଅନୁସାରେ, କରୋନା ଭୂତାଣୁ ଶରୀରର ଯେଉଁ କୋଷ(ଏସିଇ-୨) ସହିତ ସଂଲଗ୍ନ ହୋଇଥାଏ, ତାହା ପିଲାଙ୍କ ଶରୀରରେ କମ୍‌ ରହିଥାଏ। ଏଣୁ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସର ଗବେଷଣା ଅନୁସାରେ ପିଲାଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା କମ୍‌। ଏହା ଛଡ଼ା ପିଲାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିବା ସହିତ ସେମାନେ ବୟସ୍କ ଲୋକଙ୍କ ଭଳି ମଧୁମେହ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡ଼ିତ ନଥାନ୍ତି। ଏଣୁ ପିଲାଙ୍କ ଶରୀରର କୋଷରେ ଭୂତାଣୁ ସହଜରେ ସଂଲଗ୍ନ ହୁଏ ନାହିଁ। କିନ୍ତୁ, ଦିନକୁ ଦିନ ନୂତନ ପ୍ରଜାତିର ଭୂତାଣୁ ସାମ୍ନାକୁ ଆସୁଥିବାରୁ ପିଲାମାନେ ଭବିଷ୍ୟତରେ ଯେ ବିଶେଷ ମାତ୍ରାରେ ସଂକ୍ରମିତ ହେବେ ନାହିଁ ବୋଲି ଦୃଢ଼ତାର ସହିତ କହି ହେବ ନାହିଁ। ଟିକାକରଣ ନହେବା ପର୍ଯ୍ୟନ୍ତ ସମସ୍ତ ଛୋଟ ପିଲା ମାସ୍କ୍‌ ପିନ୍ଧି କୋଭିଡ୍ ନିୟମ କିପରି ପାଳନ କରିବେ ସେ ଦିଗରେ ଅଭିଭାବକମାନେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ବୋଲି ଡା. କୋଟା କହିଛନ୍ତି।

ବରିଷ୍ଠ ଶିକ୍ଷାବିତ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାର ଆଗାମୀ ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବୟସ୍କଙ୍କୁ ଟିକାକରଣ ପାଇଁ ଯୋଜନା ରଖିଛନ୍ତି। ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପ୍ରାୟ ୨୭ କୋଟି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ବରିଷ୍ଠ ନାଗରିକଙ୍କୁ ପୂର୍ଣ୍ଣ ଟିକାକଣର କରାଯାଇ ନାହିଁ। ଏବେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ବର୍ଗଙ୍କ ଟିକାକରଣ ଚାଲିଛି। ଏହି ବର୍ଗର ସଂଖ୍ୟା ଅଧିକ ରହିଥିବାରୁ ଏମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ଅସମ୍ଭବ। ହିସାବ ଅନୁସାରେ ଯଦି ଦୈନିକ ଭାରତରେ ୯୦ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଉଭୟ ବର୍ଗର ସମ୍ପୂର୍ଣ୍ଣ ଟିକାକରଣ ହୋଇ ପାରିବ। ଆଗକୁ ଯେଉଁ ତୃତୀୟ ଲହର ଆଶଙ୍କା କଥା ଉଠୁଛି, ତାହାକୁ ନେଇ ଆକଳନ କରାଯାଉଛି। ପ୍ରଥମ ଲହରରେ ବୟସ୍କ ଓ ବୃଦ୍ଧବୃଦ୍ଧା ଓ ଦ୍ବିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଲେ। ସଂକ୍ରମିତ ହୋଇ ସୁସ୍ଥ ହେଲା ପରେ ଓ ଟିକା ନେବା ପରେ ଉଭୟ ବର୍ଗଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଏଣୁ ତୃତୀୟ ଲହର୍‌ରେ ଟିକା ନେଇ ନଥିବାରୁ ଶିଶୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ସ୍ବାଭାବିକ। ବର୍ତ୍ତମାନ ଭୂତାଣୁର ଯେଉଁ ପରିବର୍ତ୍ତିତ ରୂପ-୨ ଦେଖାଦେଉଛି, ତାହା ଛୋଟ ପିଲାଙ୍କୁ ବିଶେଷ ଆକ୍ରାନ୍ତ କରିପାରୁ ନାହିଁ। ଆଶଙ୍କା ଥିବା ତୃତୀୟ ଲହରରେ ଏହି ଭୂତାଣୁ ମ୍ୟୁଟେସନ୍ ହୋଇ ତାହାର ଚରିତ୍ର ପରବର୍ତ୍ତନ କଲେ ପିଲାଙ୍କୁ କେତେ ପରିମାଣରେ ସଂକ୍ରମିତ କରିବ ତାହା ଏବେ ଠାରୁ କହିବା ଅସମ୍ଭବ।

ଏମ୍‌କେସିଜି ମେଡିକାଲ ଶିଶୁରୋଗ ବିଶେଷଜ୍ଞ ଡା. ସୁନୀଲ କୁମାର ଅଗ୍ରୱାଲ୍ କହନ୍ତି, ତୃତୀୟ ଲହର ସମୟରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତେ ପ୍ରାୟତଃ ଟିକା ନେଇଥିବେ। କିନ୍ତୁ ଛୋଟ ପିଲାଙ୍କୁ ଟିକାକରଣ କରା ଯାଇପାରି ନଥିବ। ଏଣୁ ଛୋଟ ପିଲାଙ୍କୁ ସଂକ୍ରମଣର ଅଧିକ ଭୟ ରହିଛି। ଏଥିପାଇଁ ହାଇଦ୍ରାବାଦର ଭାରତ ବାୟୋଟେକ୍ ଓ ଅହମ୍ମଦାବାଦର ଜାଇଡଫ୍ କମ୍ପାନିକୁ ଛୋଟ ପିଲାଙ୍କ ଟିକା ପ୍ରସ୍ତୁତ ନିମନ୍ତେ ପରୀକ୍ଷା ଓ ଗବେଷଣା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭାରତ ବାୟୋଟେକ୍‌ ୨ ବର୍ଷରୁ ୧୮ ବର୍ଷ ପିଲାଙ୍କ ଟିକା ପାଇଁ ପରୀକ୍ଷା କରୁଥିବା ବେଳେ ଜାଇଡଫ୍‌ ୧୨ ବର୍ଷରୁ ୧୮ ବର୍ଷ ପିଲାଙ୍କ ପାଇଁ ପରୀକ୍ଷା ଚଳାଇଛି। ଏହି ପରୀକ୍ଷାର ଫଳ ଅଗଷ୍ଟ ସୁଦ୍ଧା ସ୍ପଷ୍ଟ ହୋଇଯିବ। ଅନୁଧ୍ୟାନରୁ ଜଣାପଡ଼ିଛି, ପ୍ରତି ୬ ମାସରେ ଥରେ କରୋନା ସର୍ବୋଚ୍ଚ ସଂକ୍ରମଣ ସ୍ତରକୁ ଯାଇଥାଏ। ଏହି ଅନୁସାରେ ମେ ମାସରେ ଯଦି ସର୍ବାଧିକ ସଂକ୍ରମଣ ହୋଇଛି, ତେବେ ୬ ମାସ ପରେ ଅର୍ଥାତ ନଭେମ୍ବର ଆଡ଼କୁ ପୁଣି ଥରେ ସଂକ୍ରମଣ ଶୀର୍ଷ ସ୍ତରରେ ରହିବ। ଯଦି ଏହାର ଯଥେଷ୍ଟ ପୂର୍ବରୁ ଛୋଟ ପିଲାଙ୍କୁ ଟିକାକରଣ ଆରମ୍ଭ କରାଯିବ, ତେବେ ସଂକ୍ରମଣ ଭୟ ସେତେଟା ରହିବ ନାହିଁ ବୋଲି ଡା. ଅଗ୍ରୱାଲ୍ କହିଛନ୍ତି।

ସମ୍ବନ୍ଧିତ ଖବର