ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା : ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ :ସାଢେ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ସଂପର୍କିତ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ଶେଷହୋଇଛି। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା ସହିତ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତ ସୁନୀଲ ନାଏକ ଦାୟର କରିଥିବା ଆବେଦନର ଏକତ୍ର ଶୁଣାଣି ହୋଇଛି। ମାମଲାର ରାୟ ସଂରକ୍ଷିତ ରହିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଜଣେ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସୁନୀଲ ନାଏକକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଅଦାଲତ ଜଜ୍ ଦୋଷୀ ସାବ୍ୟସ୍ତ କରି ୨୦୧୯, ଡିସେମ୍ବର ୧୯ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ୨୦୧୭ ଜାନୁଆରି ୧୩ରେ ଚମ୍ପୁଆ ଥାନା ରଜିଆ ପଞ୍ଚାୟତ ଶଶାଙ୍ଗ ଗ୍ରାମର ରଜତ କୁମାର ନାଏକ ଓ ତାଙ୍କ ପତ୍ନୀ ଜୟୀ କିଶୋରୀ ନାଏକ ଚମ୍ପୁଆ ବଜାରକୁ ଯାଇଥିବାବେଳେ ଘରେ ତାଙ୍କର ସାଢ଼େ ତିନି ବର୍ଷର ଝିଅ ରହିଥିଲା। ଅପରାହ୍‌ଣରେ ସେହି ଗାଁର ସଂପର୍କୀୟ ସୁନୀଲ (୨୨) ତାଙ୍କ ଘରକୁ ଆସି ଝିଅକୁ ଖେଳାଇବା ବାହାନାରେ ସାଙ୍ଗରେ ନେଇଯାଇଥିଲା। ଝିଅକୁ ଗାଁ ସ୍କୁଲ ପଡ଼ିଆକୁ ନେଇ ସେ କିଛି ସମୟ ଖେଳାଇଥିଲା। ସନ୍ଧ୍ୟାରେ ସ୍କୁଲ ରୋଷେଇ ଘରକୁ ନେଇ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିଲା। କୋମଳମତି ଶିଶୁଟିର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଲୁଚାଇବା ପାଇଁ ମୃତଦେହକୁ ସେଠାରେ ପକାଇଦେଇ ସୁନୀଲ ଚାଲିଯାଇଥିଲା। ଅନ୍ୟପଟେ ଝିଅକୁ ପରିବାର ସଦସ୍ୟମାନେ ବହୁ ଖୋଜାଖୋଜି କରି ପାଇନଥିଲେ। ଏ ନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତା ପରଦିନ ଆସି ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି କରିବା ପରେ ଅପରାହ୍‌ଣ ୨ଟାରେ ଶଶାଙ୍ଗ ସ୍କୁଲ ରୋଷେଇ ଘରୁ କୁନି ଝିଅଟିର ମୃତଦେହ ମିଳିଥିଲା। ଏହି ଘଟଣାରେ ସନ୍ଦେହ କରି ସୁନୀଲକୁ ନେଇ ପଚରାଉଚରା କରାଯାଇଥିଲା। ଘଟଣାରେ ତାର ସଂପୃକ୍ତି ଥିବା ସୁନୀଲ ପୁଲିସ ନିକଟରେ ସ୍ବୀକାର କରିଥିଲା। ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଇପିସିର ଦଫା ୩୦୨, ୩୬୩, ୩୭୬, ୩୭୦, ୨୦୧ ସହିତ ପୋ‌କ୍ସୋ ଆଇନରେ ମାମଲା ରୁଜୁ କରାଯାଇଥିଲା। ଚାର୍ଜସିଟ ପରେ ସ୍ବତନ୍ତ୍ର ଅଦାଲତରେ ମାମଲାର ଶୁଣାଣି ସମୟରେ ୨୮ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର