କଟକ : ବାତ୍ୟାରେ ଘରଦ୍ବାର ମାଟିରେ ମିଶିଗଲା ା ବାପା ମାଆ ଅଲଗା ହୋଇଗଲେ। ଭୋକରେ ଛଟପଟ ହୋଇ ଏ ଦୁଆର ସେ ଦୁଆର ବୁଲିଲେ। ଆଉ ଶେଷରେ ବାଟଭୁଲି କଟକ ପଳାଇ ଆସିଲେ। ଫନି ବହୁ ଲୋକଙ୍କୁ ବାସହୀନ କରିଦେଇଥିବାବେଳେ ଜଣେ ବାରବର୍ଷର ନାବାଳକକୁ ତାର ବାପମାଆଙ୍କଠାରୁ ଅଲଗା କରିଦେଇଥିଲା। ତେବେ ଏହି ଅସହାୟ ନାବାଳକକୁ ପାରା ଲିଗାଲ ସେଲର ଜଣେ ସ୍ବେଚ୍ଛାସେବୀ ଉଦ୍ଧାର କରି ପୁଲିସ ଜିମା ଦେଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ବର ପଟିଆ ଅଞ୍ଚଳର ସନ୍ତୋଷ ପ୍ରଧାନ ଏବଂ ଲିଲିମା ପ୍ରଧାନ ଗତ ୩ ତାରିଖରେ ବାତ୍ୟା ଯୋଗୁ ଘର ଛାଡିଥିଲେ। ହେଲେ ବାତ୍ୟାରେ ସେମାନଙ୍କଠାରୁ ତାଙ୍କ ବାରବର୍ଷର ପୁଅ ପୃଥ୍ବୀରାଜ ଅଲଗା ହୋଇଯାଇଥିଲେ। ବାପାମାଆଙ୍କୁ ଖୋଜି ଖୋଜି ନିରାଶ ହେବା ପରେ ପୃଥ୍ବୀରାଜ ନିଜ ଗ୍ରାମ ଜଗସିଂହପୁରର ନାଉଗାଁ ଅଭିମୁଖେ ବାହାରିଥିଲେ। ହେଲେ ଭୋକ ଉପାସ ଯୋଗୁ ଆଗକୁ ଯାଇ ନ ପାରି କଟକରେ ଅଟକି ରହିଯାଇଥିଲେ। ତେବେ ଆଜି ତାଙ୍କୁ ପାରାଲିଗାଲ ସେଲର ସ୍ବେଚ୍ଛାସେବୀ ତଥା ସାବିତ୍ରୀ ଜନସେବା ସଙ୍ଗଠନ ସଦସ୍ୟ ବିଭୂତି କୁମାର ରାୟ ବୟାଳିଶ ମୌଜାସ୍ଥିତ ସ୍ବପ୍ନେଶ୍ବରୀ ମନ୍ଦିର ବାରଣ୍ଡାରେ ଅସହାୟ ଅବସ୍ଥାରେ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦୌରା ଜଜ ବାଳକୃଷ୍ଣ ମହାପାତ୍ର, ରେଜିଷ୍ଟ୍ରାର ବିଭୂ ପ୍ରସାଦ ପଣ୍ଡା, ସଚିବ ଗାର୍ଗୀ ପଟ୍ଟନାୟକଙ୍କ ସମେତ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା। ପରେ ଶ୍ରୀ ରାୟ ନାବାଳକଟିକୁ ମଧୁପାଟଣା ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ।
ବାପମା’ଙ୍କଠାରୁ ଅଲଗା କରିଥିଲା ଫନି, ୫ ଦିନ ପରେ ଉଦ୍ଧାର ହେଲା ନାବାଳକ
/sambad/media/post_attachments/wp-content/uploads/2019/05/boy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)