ଗୁଣପୁର: ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ୯ଦିନର ଶିଶୁକନ୍ୟା ବିକ୍ରି ଘଟଣା ମନରୁ ଲିଭିବା ପୂର୍ବରୁ ଗୁଣପୁରରେ ପୁଣି ଏକ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଗତ ମାର୍ଚ୍ଚ ମାସରେ ୧୦ଦିନର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଗୁଣପୁର ଉପଖଣ୍ଡ ଅଞ୍ଚଳର ଏହି ଘଟଣାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ(ଡିସିପିୟୁ)ର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି। ଯଥା ସମ୍ଭବ ଶିଶୁବିକ୍ରି ଘଟଣାକୁ ଚପାଇ ରଖିବାକୁ ଉଦ୍ୟମ ହୋଇଥିଲା। ତେବେ ଅଙ୍ଗନବାଡି କର୍ମୀଙ୍କ ଚିଠି ଏବଂ ସିଡିପିଓଙ୍କ ବୟାନ ହିଁ ଘଟଣା ଉପରୁ ପରଦା ହଟାଇ ଦେଇଛି।
ମାର୍ଚ୍ଚ ୧୫ତାରିଖରେ ଗୁଣପୁର ଉପଖଣ୍ଡର ଜଣେ ନାବାଳିକା ସନ୍ତାନ ପ୍ରସବ କରିଥିଲେ। ଶିଶୁପୁତ୍ରକୁ ପାଳିବା ପାଇଁ ନାବାଳିକା ଅକ୍ଷମ ହୋଇଥିଲା ବେଳେ ଲୋକଲଜ୍ଜାର ବି ଭୟ ରହିଥିଲା। ତେଣୁ ୧୦ଦିନ ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର କିଛି କର୍ମଚାରୀ ଏହି ଶିଶୁକୁ ବିକ୍ରି କରିଦେବା ପାଇଁ ଯୋଜନା କରିଥିଲେ। ଡମ୍ବସରା ଅଞ୍ଚଳର ନିଃସନ୍ତାନ ଦମ୍ପତିଙ୍କୁ ଠାବ କରିବା ପରେ ସେମାନଙ୍କ ହାତକୁ ଶିଶୁକୁ ଟେକି ଦେଇଥିଲେ। ଭବିଷ୍ୟତରେ ଧରପଗଡ଼ ହେଲେ ଫସିବାର ସମ୍ଭାବନା ରହିଥିବାରୁ କାଗଜପତ୍ରରେ ବି ଜାଲିଆତି କରାଯାଇଥିଲା। ମାର୍ଚ୍ଚ ୧୫ ବଦଳରେ ଶିଶୁର ଜନ୍ମ ତାରିଖ ଅକ୍ଟୋବର ୩୦ତାରିଖ ବୋଲି ଭୁଲୁଶୁଣ୍ଢା ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକରଣ କରାଯାଇଛି। ତେବେ ତାରବେଲ ଅଙ୍ଗନବାଡି କର୍ମୀ ଏହି ବିଷୟରେ ଜାଣିବା ପରେ ଗୁଣପୁର ସିଡିପିଓଙ୍କୁ ଏ ନେଇ ଚିଠି ଲେଖିଥିଲେ। ଘଟଣା ସଂପର୍କରେ ଖବର ପାଇ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଦୁଇ ମାସ ତଳେ ଦୁଇ ଥର ତଦନ୍ତ ହୋଇଥିଲା। ଶିଶୁପୁତ୍ରକୁ ନେଇଥିବା ଦମ୍ପତିଙ୍କ ଘରକୁ ମଧ୍ୟ ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ଯାଇଥିଲେ। ପଚରାଉଚୁରା ପରେ ସତ ଜାଣିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଏ ନେଇ ଗୁଣପୁର ସିଡିପିଓ ସୁଷମା ପ୍ରସାଦଙ୍କୁ ଯୋଗାଯୋଗ କରିବାରୁ ଡିସିପିୟୁ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯାଇଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2024/02/baby.jpg)