ପୋଖରୀରେ ବୁଡ଼ି ଯାଉଥିବା ଶିଶୁକନ୍ୟାକୁ ବଞ୍ଚାଇଲେ ବାଳକ

ମହାକାଳପଡ଼ା : ପୋଖରୀରେ ବୁଡ଼ି ଯାଉଥିବା ଜଣେ ୮ ମାସର ଶିଶୁକନ୍ୟାକୁ ଉଦ୍ଧାର କରି ଅଦମ୍ୟ ସାହସର ପରିଚୟ ଦେଇଛନ୍ତି ମହାକାଳପଡ଼ା ବ୍ଲକ ରାଜଗଡ଼ ଗ୍ରାମର ୯ ବର୍ଷର ବାଳକ ସତ୍ୟବ୍ରତ ରାଉତ। ବାଳକଙ୍କର ଏଭଳି ସାହସିକତାକୁ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି। ସୂଚନା ଅନୁଯାୟୀ ରାଜଗଡ଼ ଗ୍ରାମର ଜଗନ୍ନାଥ ରାଉତଙ୍କ ଶିଶୁକନ୍ୟା ଅନନ୍ୟାକୁ ତାର ବଡ଼ ଭଉଣୀ ଲିଜା(୧୧) କୋଳରେ ବସାଇ ଘର ନିକଟରେ ଥିବା ଏକ ପୋଖରୀ କୂଳରେ ଦୋଳି ଖେଳୁଥିଲେ। ଏହି ସମୟରେ ଶିଶୁକନ୍ୟାଟି ତାଙ୍କ କୋଳରୁ ଛିଟିକି ପଡ଼ି ପୋଖରୀ ପାଣି ଭିତରେ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ସତ୍ୟବ୍ରତ ତତ୍‌କ୍ଷଣାତ୍‌ ପୋଖରୀକୁ ଡ଼େଇଁ ବୁଡ଼ି ଯାଉଥିବା ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ପୋଖରୀରେ ପ୍ରାୟ ୩ ଫୁଟ୍‌ର ପାଣି ଥିବା କୁହାଯାଉଛି। ଚିକିତ୍ସା ପରେ ଶିଶୁକନ୍ୟା ଓ ସତ୍ୟବ୍ରତ ସୁସ୍ଥ ଥିବା ଜଣାପଡ଼ିଛି। ପ୍ରମୋଦ ଓ ନଳିନୀ ରାଉତଙ୍କ ପୁଅ ସତ୍ୟବ୍ରତ ରାଜଗଡ଼ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି।

ସମ୍ବନ୍ଧିତ ଖବର