୨୦ ହଜାର ଟଙ୍କାରେ ଶିଶୁ ବିକ୍ରି! ଘଟଣା ପ୍ରଚାର ପରେ କୋଳକୁ ଫେରାଇ ଆଣିଲା ମା’

ବାଲେଶ୍ୱର : ଘଟଣା ଅଭାବନୀୟ। ବାଲେଶ୍ବର ସହର ଦର୍‌ଘା ମଇଦାନ ନିକଟ ବସ୍ତିରେ ଟାଉନ ଥାନା ଅଞ୍ଚଳରେ ଶିଶୁବିକ୍ରି ହୋଇଛି। ପରିବାରର ବୋଝ ସହି ନପାରି ଦମ୍ପତ୍ତି ୨୦ ହଜାର ଟଙ୍କାରେ ସେମାନଙ୍କର ନବଜାତ ଶିଶୁପୁତ୍ରକୁ ବିକ୍ରି କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ତେବେ ଘଟଣା ସାମ୍ନାକୁ ଆସିଲା ପରେ ସଂପୃକ୍ତ ମହିଳା ପିଲାଟିକୁ ଫେରାଇ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦର୍‌ଘା ମଇଦାନ ନିକଟ ବସ୍ତିର ସେକ ପିରୁ (୩୫) ଓ ତାଙ୍କ ପତ୍ନୀ ହୁସୁନାତୁନ ବିବି (୨୫)ଙ୍କ ପ୍ରାୟ ୧୨ ବର୍ଷ ହେଲା ବାହାଘର ହୋଇଛି। ସେକ୍‌ ପିରୁ ଇ‌ଲେକ୍ଟ୍ରି ମିସ୍ତ୍ରୀ ଭାବେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳିଥାଏ। ଏହି ଭିତରେ ଉଭୟଙ୍କଠାରୁ ୭ଟି ପିଲା ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ତେବେ ତାଙ୍କ ସମ୍ପର୍କୀୟ ସ୍ବାହାଲିଆ ବିବିଙ୍କ କହିବା ଅନୁଯାୟୀ, ଗତ ୮ ଦିନ ପୂର୍ବରୁ ତାଙ୍କ ମାଇଁ ହୁସୁନାତୁନ ବିବିଙ୍କର ଆଉ ଗୋଟିଏ ପୁତ୍ର ସନ୍ତାନ ଜାତ ହୋଇଥିଲା। ତେବେ ଆଜି ଦ୍ବି-ପ୍ରହର ବେଳେ ତାଙ୍କ ଘରକୁ ସ୍ଥାନୀୟ ପୁଲବଜାର ଅଞ୍ଚଳରୁ ଜଣେ ମହିଳା ଆସି ହୁସୁନାତୁନଙ୍କ ସହ ଦୀର୍ଘ ସମୟ ଧରି କଥା ହେଇଥିଲେ। ତା’ ପରେ ସମ୍ପୃକ୍ତ ମହିଳା ହୁସୁନାତୁନ୍‌ଙ୍କ ନବଜାତ ଶିଶୁପୁତ୍ରକୁ ଧରି ପଳାଇଥିଲେ। ଏହା ଦେଖି ବସ୍ତିର ଲୋକ ହୁସୁନାତୁନଙ୍କୁ ପଚାରିବାରୁ ସେ ନିଜ ପିଲାକୁ ବିକ୍ରି କରିଦେଇଥିବା ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ‌ହୁସୁନାତୁନ୍‌ଙ୍କଠାରୁ ଏ ସମ୍ପର୍କରେ ପ୍ରତିକ୍ରିୟା ନିଆଯାଇଥିଲା। ଛୁଆକୁ ବିକ୍ରି କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଘରେ ସବୁବେଳେ ଅଭାବ ଅସୁବିଧା ଲାଗି ରହୁଥିବା ବେଳେ ନିଜ ପିଲାର ଲାଳନପାଳନ ପାଇଁ ସଂପୃକ୍ତ ମହିଳାଙ୍କୁ ଦେଇଥିବା କହିଛନ୍ତି। ତେବେ ଏ ବାବଦରେ ମହିଳା ଜଣକ ତାଙ୍କ ପରିବାରର ଅଭାବ ଦେଖି ୨୦ ହଜାର ଟଙ୍କା ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି।

ତେବେ, ଘଟଣା ବାବଦରେ ଥାନାରେ କୌଣସି ଅଭିଯୋଗ କରାଯାଇନଥିଲା। ତଥାପି ବିଭିନ୍ନ ମହଲରେ ଏନେଇ ପ୍ରଚାର ‌ହୋଇଯାଇଥିଲା। ଫଳରେ ସଂପୃକ୍ତ ମହିଳା ଜଣକ ପିଲାଟିକୁ ‌ତା’ର ପରିବାର ଲୋକଙ୍କୁ ଫେରାଇ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର