ଭୁବନେଶ୍ୱର : ଅନ୍‌ଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ନେଇ ସାରା ଦେଶରେ ସୃଷ୍ଟି ହୋଇଛି ତୀବ୍ର ଆଲୋଡ଼ନ। ବିଶ୍ବବ୍ୟାପୀ ଶହେ ଦେଶରେ ୫ ହଜାରରୁ ଅଧିକ ଲୋକ ଶିଶୁ ପର୍ଣ୍ଣୋଗ୍ରାଫି ଭିଡିଓକୁ ସେୟାର କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓଡ଼ିଶା ଲିଙ୍କ୍ ମିଳିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସରକାର ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତତ୍ପରତା ପ୍ରକାଶ କରିଛନ୍ତି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟକୁ ଦେଖିଲେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ରହିଛି। ୨୦୧୭ରେ ଅନ୍‌ଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ଘଟଣାରେ ଗୋଟିଏ ବି ମାମଲା ରୁଜୁ ହୋଇ ନ ଥିବା ବେଳେ ମାତ୍ର ୪ ବର୍ଷ ଭିତରେ ୨୦୨୦ରେ ୭୧ଟି ମାମଲା ରୁଜୁ ହୋଇଛି। ଯାହା ଉଦ୍‌ବେଗଜନକ ହୋଇଥିବା ବେଳେ ବିପଜ୍ଜନକ ଟ୍ରେଣ୍ଡ ବୋଲି କୁହାଯାଉଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଅନ୍‌ଲାଇନରେ ଶିଶୁ ଯୌନ ନିର୍ଯାତନା ନେଇ ୨୦୧୭ରେ ଗୋଟିଏ ବି ମାମଲା ରୁଜୁ ହୋଇ ନ ଥିବା ବେଳେ ୨୦୧୮ରେ ୭ଟି ମାମଲା, ୨୦୧୯ରେ ୨ଟି ଓ ୨୦୨୦ରେ ୭୧ଟି ମାମଲା ରୁଜୁ ହୋଇଛି। ୨୦୨୦ରେ କେବଳ ଆଇଟି ଆଇନର ଧାରା-୬୭(ବି) ଅନୁସାରେ, ଦେଶରେ ୭୩୨ଟି ମାମଲା ରୁଜୁ ହୋଇଥିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୧୬୧ ମାମଲା ରୁଜୁ ହୋଇଥିବା ବେଳେ, କର୍ଣ୍ଣାଟକରେ ୧୨୨, ମହାରାଷ୍ଟ୍ରରେ ୧୨୦ ଓ ତା ପଛକୁ ଓଡ଼ିଶା ରହିଥିବା ବେଳେ ୭୧ଟି ମାମଲା ରୁଜୁ ହୋଇଛି। କରୋନା ସମୟରେ ସ୍ମାର୍ଟ ମୋବାଇଲ ଫୋନରେ ଅନଲାଇନ୍ କ୍ଲାସ୍, ବହୁଳ ବ୍ୟବହାର ଯୋଗୁଁ ଅନଲାଇନ୍ ଯୌନ ଶୋଷଣ ମାମଲା ବଢ଼ି ଯାଇଥିବା ଜଣାପଡ଼ିଛି। ଯାହା ଚିନ୍ତାର କାରଣ ସାଜିଛି।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଭାଗ ପକ୍ଷରୁ ଆମେ ସିବିଆଇ ସହ ଆଲୋଚନା କରିବୁ। ସିବିଆଇ ମାମଲାର ତଦନ୍ତ କରୁଛି। ଆମ ପାଖକୁ କିଛି ରିପୋର୍ଟ ଆସିନି। ବର୍ତ୍ତମାନ କିଛି ଏ ସମ୍ପର୍କରେ କହି ହେବନି। ଏହାର ତଦନ୍ତ ରିପୋର୍ଟ ଆସିବା ପରେ ଯାହା କହିବୁ। ଏହା ନିଶ୍ଚିତ ଘୃଣ୍ୟ କାମ। ଏହା ଆଶା କରାଯାଏ ନାହିଁ। ଆଇନ ଆଇନ ବାଟରେ ରହିବ। ଶିଶୁ ସୁରକ୍ଷା ନେଇ ଆମ ବିଭାଗ କାମ କରୁଛି, କାରଣ ସେମାନେ ଆମ ଭବିଷ୍ୟତ। ତେଣୁ ଆମର ସବୁ ଯୋଜନା ଚାଲିଛି। ଆଇନ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା। ଶିଶୁ ସୁରକ୍ଷା ଅଧିକାର କମିସନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଶୁଶୁ ପର୍ଣ୍ଣୋଗ୍ରାଫି ସଂକ୍ରାନ୍ତରେ ସିବିଆଇ ଓ କ୍ରାଇମବ୍ରାଞ୍ଚ ସହ କଥା ହେବି। ସିବିଆଇ ଯାହା ତଦନ୍ତ କରିଛି ସେ ରିପୋର୍ଟ ମାଗିବି। ଏହା କିପରି ପ୍ରତିହତ କରିହେବ ସେ ଦିଗରେ କାମ କରିବା ସହ ଆସନ୍ତା ନଭେମ୍ବର ୨୦ରୁ ଡିସେମ୍ବର ୧୦ ଯାଏ ଶିଶୁ ଅଧିକାର ଓ ସୁରକ୍ଷା ଅଭିଯାନ ଜରିଆରେ ସଚେତନ କରିବୁ ବୋଲି ସେ ସୂଚନା ଦେଇଛନ୍ତି।