ବାଲେଶ୍ବର: ସଂପ୍ରତି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଡାକ୍ତର ଦୁଲାଲସେନ୍‌ ଜଗଦ୍ଦେବ ଜଣେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ। ‘ଅନ୍ତରର ଖୋଲା କଥା’ ସ୍ତମ୍ଭରେ ଡାକ୍ତର ଜଗ‌ଦ୍ଦେବ ନିଜ ଛାତ୍ର ଜୀବନଠୁ ଆରମ୍ଭ କରି କର୍ମମୟ ଜୀବନ ସଂପର୍କରେ ‘ସମ୍ବାଦ’କୁ ନିଜର ଅନୁଭୂତି ବାଣ୍ଟିଛନ୍ତି। ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ସହର ପ୍ରତିନିଧି କବିତା ପାତ୍ର।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୧୯୫୯ ମସିହା ଅକ୍ଟୋବର ୭ ତାରିଖରେ ‌‌ମୋର ଜନ୍ମ। ବାପା ବିଜୟସେନ୍‌ ଜଗଦ୍ଦେବ ଥିଲେ ପୋଷ୍ଟମାଷ୍ଟର। ମା’ ସୌଦାମିନୀ ଗୃହିଣୀ। ସେ କୁହନ୍ତି, ବାପା, ମା’ଙ୍କର ଆମେ ୬ ପୁଅ ଓ ଜଣେ ଝିଅ। ସମସ୍ତେ ଉଚ୍ଚ ପଦପଦବିରେ ଅଧିଷ୍ଠିତ। ମଧ୍ୟବିତ୍ତ ପରିବାରରେ ମୁଁ ବଢ଼ିଛି। କଟକ ରାଣୀହାଟ ହାଇସ୍କୁଲରୁ ମାଟ୍ରିକରେ ୭୧ ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣ‌ୀରେ ଉତ୍ତୀର୍ଣ୍ଣ ହେବା ପରେ ରେଭେନ୍ସା କଲେଜରେ ଆଇଏଏସି ପଢ଼ିଲି। ଭଲ ପଢ଼ୁଥିବାରୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲି।

ତେବେ କଲେଜରେ ପଢ଼ୁଥିବା ବେଳେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକାଙ୍କ ଗୋଟିଏ କଥା ମତେ ଡାକ୍ତର ହେବାକୁ ବାଟ କଢ଼ାଇ ଦେଇଥିଲା। ପ୍ରାକ୍ଟିକାଲ ସମୟରେ ବେଙ୍ଗ କାଟିବାକୁ ଡରୁଥିଲି। ଥରେ ମାଡାମ୍‌ଙ୍କ ଆଗରେ ବେଙ୍ଗ କାଟି ପାରିଲିନି। ସାମାନ୍ୟ ବେଙ୍ଗଟେ କାଟିପାରୁନୁ, ଡାକ୍ତର କେବେ ହୋଇ ପାରିବୁନି ବୋଲି କଟାକ୍ଷ କରିଥିଲେ ମାଡାମ୍‌। ତାଙ୍କର ଏହି କଥା ପଦକ ମତେ ବହୁତ ବାଧିଥିଲା ସତ, କିନ୍ତୁ ଡାକ୍ତର ହେବାକୁ ସେତିକି ଥିଲା ଯଥେଷ୍ଟ। କହିବାକୁ ଗଲେ ମୋ ଜୀବନର ମୋଡ଼ ବଦଳାଇ ଦେଇଥିଲେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା। ମୋର ଜିଦ୍‌ ବି ବଢ଼ିଗଲା। ଶେଷରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ମନୋନୀତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ନାମ ଲେଖାଇଲି। ସେଠାରୁ ଏମ୍‌ବିବିଏସ୍‌ ଓ ଶିଶୁରୋଗରେ ପିଜି କରିବା ପରେ ୧୯୮୬ ମସିହାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସିଷ୍ଟାଣ୍ଟ ସର୍ଜନ୍‌ ଭାବେ ନିଯୁକ୍ତ ହେଲି।

୧୯୮୯ରେ ବାଲେଶ୍ବର, ନୀଳଗିରି, ବାରିପଦା ଏବଂ ପୁଣି ବାଲେଶ୍ବରକୁ ଫେରି ଏଡିଏମ୍‌ଓ ଭାବେ ନିଯୁକ୍ତ ହେଲି। ୨୦୨୦ରୁ ବାଲେଶ୍ବର ସିଡିଏମ୍‌ଓ ଭାବେ କାର୍ଯ୍ୟ କରିଆସୁଛି। ୧୯୮୭ରେ ମୋର ବିବାହ ହୋଇଥିଲା ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସୁମିତ୍ରା ଦେଙ୍କ ସହ। ଏବେ ସେ ଭଦ୍ରକର ଏଡିପିଏଚ୍‌ଓ ଭାବେ ନିୟୋଜିତ ଅଛନ୍ତି। ମୋର ଏକମାତ୍ର ପୁଅ କୁନାଲସେନ୍‌ ଜଗଦ୍ଦେବ ଏଫ୍‌ଏମ୍‌ ମେଡିକାଲ କଲେଜରେ ମାଇକ୍ରୋ ବାୟୋଲୋଜିରେ ଟ୍ୟୁଟର୍‌ ଅଛନ୍ତି। ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ପାଖରେ ଘର କରି ପରିବାର ସହ ବାଲେଶ୍ବରର ସ୍ଥାୟୀ ବାସିନ୍ଦା ହୋଇଯାଇଛୁ।

publive-image

ମୋର ବ୍ୟସ୍ତବହୁଳ ଜୀବନରେ ପତ୍ନୀଙ୍କ ସହଯୋଗ ଅନସ୍ବୀକାର୍ଯ୍ୟ। ଉତ୍ତମ ବୁଝାମଣା ପାଇଁ ଆମ ଭିତରେ କେବେ ବି ଝଗଡ଼ା କିମ୍ବା ରାଗରୋଷ ହୋଇନାହିଁ। ଘରକାମଠୁ ଆରମ୍ଭ କରି ବୃତ୍ତିଗତ ଜୀବନ ପର୍ଯ୍ୟନ୍ତ, ସବୁକଥାକୁ ସେ ସମ୍ଭାଳି ନିଅନ୍ତି। ମୋ ପୂର୍ବରୁ ସେ ପ୍ରଥମେ ପିଜି ପାଇଥିଲେ। ହେଲେ ପରିବାର ପାଇଁ କଲେନାହିଁ। ପୁଅ ବଡ଼ ହେଲା ପରେ ପିଜି କରି ଡାକ୍ତରୀ ଜୀବନ ଆରମ୍ଭ କଲେ। କହିବାକୁ ଗଲେ, ପରିବାର ପାଇଁ ସେ ଡାକ୍ତର ଭଳି କ୍ୟାରିୟରକୁ ତୁଚ୍ଛ କରିଛନ୍ତି। ତାଙ୍କ ପାଖରେ ମୁଁ ଋଣୀ।

ମୋର ଦିନଚର୍ଯ୍ୟା ଆରମ୍ଭ ହୁଏ ଭୋର୍‌ ୫ଟାରୁ। ପ୍ରାତଃଭ୍ରମଣ ସାରି ସକାଳ ୭ଟା ସୁଦ୍ଧା ଫେରିବା ପରେ ଘର କାମ କିଛି କରି ଅଧଘଣ୍ଟା ରୋଗୀ ଦେଖେ। ୧୦.୩୦ରେ ମୁଁ ଅଫିସ୍‌ ଆସିଥାଏ। ପୁଣି ୫ଟାରୁ ୬ଟା ରୋଗୀ ଦେଖି ଡାକ୍ତରଖାନା ଆସେ। ଖାଇବାରେ ମୋର ସେମିତି କିଛି ସ୍ବତନ୍ତ୍ରତା ନାହିଁ। ଯାହା ଯେମିତି ମିଳେ ଚଳେଇ ଦେଇଥାଏ। ପତ୍ରିକା ପଢ଼ିବା ଓ ସିନେମା ଦେଖିବା ମୋର ରୁଚି। ବର୍ଷରେ ଦୁଇ ଥର ଦେଶ ଓ ଦେଶ ବାହାରେ ପରିବାର ସହ ବୁଲିବାକୁ ଯାଏ। ନିଜକୁ ମୁଁ କେବେ ଦୁର୍ବଳ ଭାବେ ନାହିଁ। ଯେତେବେଳେ ଯେମିତି ପରିସ୍ଥିତି ଆସିଛି, ତାକୁ ଧୈର୍ଯ୍ୟ ଓ ଦୃଢ଼ତାର ସହ ସାମ୍‌ନା କରିଛି। ଆଉ ସଫଳ ବି ହୋଇଛି। ବୃତ୍ତିଗତ ଜୀବନରେ ପ୍ରଫେସର ମୋହିନୀ ମୋହନ ଦାସ ଓ ଡାକ୍ତର ଜଟାନିଆଙ୍କୁ ‌ମୋର ଆଦର୍ଶ ବୋଲି ମାନିଛି। ଅନ୍ୟ ସମୟରେ ମୁଁ ନିଜକୁ ହିଁ ମୋର ଆଦର୍ଶ ବୋଲି ଭାବିଥାଏ।