ବାରିପଦା: ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନ ମାତୃ ଓ ଶିଶୁ ହସ୍ପିଟାଲରୁ ଏକ ନବଜାତ ଶିଶୁପୁତ୍ର ଚୋରି ହୋଇଯାଇଥିଲା। ୬ ଘଣ୍ଟା ପରେ ଶିଶୁଟି ମା’ କୋଳକୁ ଫେରିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ବାରିପଦା ସଦର ଥାନା ଅନ୍ତର୍ଗତ ରାଣୀଭୋଳ ଗ୍ରାମର ଫୁଲମଣି ସୋରେନ (୨୦) ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଆଶାକର୍ମୀ କାର୍ମୀ ମୁର୍ମୁଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲାବେଳେ ବାଟରେ ସେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ, ଆଜି ସକାଳେ ତାଙ୍କର ଶିଶୁପୁତ୍ର ଗାଏବ ହୋଇ ଯାଇଥିଲା।
ସୂଚନା ଅନୁସାରେ, ଫୁଲମଣିଙ୍କ ପାଖାପାଖି ରହୁଥିବା ଜଣେ ଅଜ୍ଞାତ ମହିଳା ନବଜାତ ଶିଶୁକୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ସରକାରୀ ସହାୟତା ଲୋଭ ଦେଖାଇ ଶିଶୁର ବାପା ଧାନାଇଁ ହାଁସଦାଙ୍କୁ ବି ହସ୍ପିଟାଲର ପାଞ୍ଚ ମହଲାରୁ ତଳକୁ ନେଇ ଆସିଥିଲେ। ତଳେ ପହଞ୍ଚିବା ପରେ ମହିଳା ଜଣକ ଶିଶୁକୁ ନିଜେ ଧରି ଧାନାଇଁଙ୍କୁ ଉପରୁ କିଛି ଆଣିବାକୁ କହିଥିଲେ। ହେଲେ, ଧାନାଇଁ ଫେରିବା ବେଳକୁ ମହିଳା ଜଣକ ଶିଶୁକୁ ନେଇ ଚମ୍ପଟ ମାରିଥିଲେ।
ଶିଶୁ ଚୋରି ଘଟଣା ନେଇ ଧାନାଇଁ ହସ୍ପିଟାଲ ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ମେଡିକାଲ ଓ ଆଖାପାଖ ସିସିଟିଭି ଫୁଟେଜ୍ ସଂଗ୍ରହ କରି ତନାଘନା କରିଥିଲା। ଶେଷରେ ବୈଶିଙ୍ଗାରୁ ସମ୍ପୃକ୍ତ ମହିଳାଙ୍କୁ ଧରିବା ସହିତ ଶିଶୁକୁ ଉଦ୍ଧାର କରିଛି। ଏହି ମହିଳା ଜଣକ ହେଲେ ପାର୍ବତୀ ହେମ୍ବ୍ରମ୍। ପୁଲିସ ତାଙ୍କୁ ଅଟକ ରଖିଥିବା ବାରିପଦା ଟାଉନ ଥାନା ଅଧିକାରୀ କରୁଣାକର ରାଉତ କହିଛନ୍ତି।