ପଶ୍ଚିମ ଓଡ଼ିଶାରେ ପୁଣି ପିଲାବିକ୍ରି

ପ୍ରେମ ପ୍ରତାରଣାରୁ ଗୁମର ଖୋଲିଲା, ଥାନା ଓ ମହିଳା କମିସନ୍‌କୁ ଗଲେ ମହିଳା

ସିନାପାଲି : ପଶ୍ଚିମ ଓଡ଼ିଶାରେ ବନ୍ଦ ହୋଇନି ପିଲାବିକ୍ରି। ୧୯୮୫ ମସିହାରେ ବଲାଙ୍ଗୀରର ୨ ବର୍ଷୀୟା ବନିତାକୁ ଭାଉଜ ଫାନସ୍‌ ପୁଞ୍ଜି ମାତ୍ର ୪୦ ଟଙ୍କା ଓ ଶାଢ଼ିଖଣ୍ଡେ ବଦଳରେ ବିକ୍ରି କରିଦେବା ଘଟଣା ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ବି ଏହି ଖବର ପୃଷ୍ଠାମଣ୍ଡନ କରିଥିଲା। ବହୁତ ହୋ ହଲ୍ଲା ହୋଇଥିଲା। ସରକାର ଚିହିଁକିଥିଲେ। ଏହାପରେ ଦାରିଦ୍ର୍ୟ ଦୂରୀକରଣ ଓ ଶିଶୁ ସୁରକ୍ଷା ପାଇଁ ପଶ୍ଚିମ ଓଡ଼ିଶାରେ ଅନେକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ତଥାପି ଚାଲିଛି ପିଲାବିକ୍ରି। ଏହା ପରେ ମଧ୍ୟ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରୁ ପିଲାବିକ୍ରିର ଖବର ଆସିଛି। ଆଉ ଏବେ ପୁଣି ଏକ ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଡାକ୍ତରଖାନାରେ ଜନ୍ମ ହୋଇଥିବା ତାଙ୍କ ପିଲାକୁ ତାଙ୍କ ସ୍ବାମୀ କେଉଁଠି ବିକ୍ରି କରି ଦେଇଛନ୍ତି। ସ୍ବାମୀଙ୍କ ଘର ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ନନ୍ଦୋଲ ଗାଁରେ। ଏବେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହୋଇ ସାରିଛନ୍ତି। ପିଲା କଥା ପଚାରିଲେ ମାଡ଼ଗାଳି ଓ ନିର୍ଯାତନା ଦେଉଛନ୍ତି। ସେ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ ଅଭିଯୋଗ ଉପରେ କର୍ଣ୍ଣପାତ କରୁନାହାନ୍ତି।

ସିନାପାଲି ଥାନା ହାତୀବନ୍ଧା ଗାଁର ଏହି ମହିଳାଙ୍କ କାହାଣୀ କୌଣସି ନାଟକର କାହାଣୀଠାରୁ କମ୍‌ ନୁହେଁ। ତାଙ୍କର ବାପା ମା କି ଭାଇ କେହି ନାହାନ୍ତି। ନିଜର କହିଲେ ତାଙ୍କ ବାପାଙ୍କ ଦ୍ବିତୀୟ ସ୍ତ୍ରୀ ଯାହାକୁ ସେ ସାନମା ବୋଲି ଡାକନ୍ତି। ୨୦୦୬ ମସିହାରେ ଯୁବତୀଜଣକ ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ଗ୍ରାମର ହରି ମେହେରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ମାତ୍ର ଦିନ କେଇଟା ପରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ତାଙ୍କ ଜୀବନକୁ ଆସିଥିଲେ ବଲାଙ୍ଗୀର ଜିଲ୍ଲା ନନ୍ଦୋଲ ଗ୍ରାମର ଚନ୍ଦ୍ରଧ୍ୱଜ ମେହେର। ଚନ୍ଦ୍ରଧ୍ବଜ ତାଙ୍କ ଶାଶୂଘର ଲୋକଙ୍କ ସଂପର୍କୀୟ ହୋଇଥିବାରୁ ତାଙ୍କ ଘରକୁ ଯିବା ଆସିବା କରୁଥିଲା। ଏହାପରେ ଚନ୍ଦ୍ରଧ୍ବଜ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତାଙ୍କୁ ବିବାହ କରି ଭଲରେ ରଖିବାର ପ୍ରତିଶ୍ରୁତି ଦେଇ ସଂପର୍କ ବଢ଼ାଇଥିଲା। ଯୁବତୀଙ୍କୁ ଚନ୍ଦ୍ରଧ୍ବଜ ଛତିଶଗଡ଼ର ଦୁର୍ଗ ସହରକୁ ନେଇ ସେଠାରେ ସ୍ତ୍ରୀ ଭାବେ ରଖିଥିଲା। ଉଭୟେ ସେଠାରେ କାମ କରୁଥିଲେ। ପରେ ଚନ୍ଦ୍ରଧ୍ବଜଙ୍କ ପରିବାର ଲୋକେ ଯାଇ ଉଭୟଙ୍କୁ ଗାଁକୁ ନେଇ ଆସିଥିଲେ। ଏହି ସମୟରେ ଯୁବତୀଜଣକ ଗର୍ଭବତୀ ହୋଇଥିଲେ ଓ ୨୦୦୯ ମସିହା ଗଣେଶ ପୂଜା ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ମାତ୍ର ତାଙ୍କ ଅସୁସ୍ଥତାର ସୁଯୋଗ ନେଇ ସ୍ବାମୀ ଚନ୍ଦ୍ରଧ୍ବଜ ଶିଶୁପୁତ୍ରକୁ କାହାକୁ ଦେଇ ଦେଇଥ‌ିଲେ ବୋଲି ଯୁବତୀଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ଏହାପରେ ଦୀର୍ଘ ୧୨ ବର୍ଷ ଧରି ସେମାନେ ସ୍ବାମୀ ସ୍ତ୍ରୀ ଭାବେ ରହୁଥିଲେ। ଜାତି ସମାଜ ପକ୍ଷରୁ ମଧ୍ୟ ସେମାନଙ୍କ ବିବାହ କରାଯାଇଥିଲା। ତେବେ ଚନ୍ଦ୍ରଧ୍ବଜ ବେରୋଜଗାର ଥିବା ଓ ଟ୍ରେନିଂ ପାଇଁ ଟଙ୍କା ଆବଶ୍ୟକ ଥିବାରୁ ଯୁବତୀଜଣକ ତାମିଲନାଡ଼ୁ ଯାଇ ସେଠାରେ ଏକ ପୋଷାକ କାରଖାନାରେ କାମ କରୁଥିଲେ। ସେଠାରୁ ଟଙ୍କା ପଠାଉଥିଲେ। ପୁଅ କଥା ପଚାରିଲେ କିନ୍ତୁ ନାନା ବାହାନା କରି ଟାଳି ଦେଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ଚନ୍ଦ୍ରଧ୍ବଜ ଆଉ ଜଣେ ଯୁବତୀଙ୍କୁ ବାହା ହୋଇ ଘରକୁ ଆଣିଥିବା ଜାଣିବା ପରେ ସେ ୨୦୧୯ ମସିହାରେ ସିନାପାଲି ଥାନାରେ ଏତଲା ଦେଇଥିଲେ। ମାତ୍ର ପୁଲିସ ଚନ୍ଦ୍ରଧ୍ବଜଙ୍କୁ ଗିରଫ କରି ପାରିନଥିଲା।

ଦୀର୍ଘ ୨ ବର୍ଷ କାଳ ନ୍ୟାୟ ନ ପାଇବାରୁ ଏବେ ସିନାପାଲି ଫେରି ଯୁବତୀଜଣକ ପୁଣି ଥରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଅକୁ ତାଙ୍କ ସ୍ବାମୀ ବିକ୍ରି କରି ଦେଇଥିବା କଥା ଜଣାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେ ରୋଜଗାର କରି ତାଙ୍କ ସ୍ବାମୀଙ୍କୁ ଟ୍ରେନିଂ ପାଇଁ ଦେଇଥିବା ଅଢ଼େଇ ଲକ୍ଷ ଟଙ୍କା ଫେରାଇ ଦେବା ସହ ପ୍ରତି ମାସରେ ତାଙ୍କୁ ଭରଣପୋଷଣ ଦେବାକୁ ଦାବି କରିଛନ୍ତି। ଏ ନେଇ ସେ ମହିଳା କମିସନ୍‌ରେ ମଧ୍ୟ ଅଭିଯୋଗ କରିଛନ୍ତି।

ଏ ନେଇ ସିନାପାଲି ଥାନାଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ଙ୍କୁ ପଚାରିବାରୁ ମାମଲା କୋର୍ଟକୁ ଯାଇସାରିଛି, ଚନ୍ଦ୍ରଧ୍ୱଜଙ୍କ ନାଁରେ ୱାରେଣ୍ଟ ଜାରି ହୋଇଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟରୁ ଆଗୁଆ ଜାମିନ୍‌ ଆଣିଥିବାରୁ ଚନ୍ଦ୍ରଧ୍ବଜ ଗିରଫ ହୋଇ ପାରିନଥିବା ତୁରେକେଲା ପୁଲିସ କହିଛି। ମାତ୍ର ତାଙ୍କ ୧୨ ବର୍ଷର ଶିଶୁପୁତ୍ର ଏବେ କେଉଁଠି ଅଛି ତାହା ରହସ୍ୟ ଭିତରେ ରହିଛି। ଏହି ଘଟଣାରେ କିଛି ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବାର ମଧ୍ୟ ସୂଚନା ମିଳୁଛି। ଯଦି ଯୁବତୀଙ୍କ ପିଲା ବିକ୍ରି ଅଭିଯୋଗ ସତ ହୋଇଥାଏ ତେବେ ନିଶ୍ଚିତ ଭାବେ ଏହା ଏକ ସାଂଘାତିକ ଓ ସ୍ପର୍ଶକାତର ବିଷୟ। ୨ ବର୍ଷ ତଳୁ ଅଭିଯୋଗ ହୋଇଥିଲେ ବି ପ୍ରଶାସନ କାନକୁ କିପରି ଏହି ଖବର ଯାଇନାହିଁ। ପୁଲିସ ଓ ପ୍ରଶାସନ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର