ବାଲେଶ୍ୱରରେ ଶିଶୁ ବିକ୍ରି ଘଟଣା : ତଦନ୍ତ ପ୍ରକ୍ରିୟାକୁ ଚାପି ଦେଇଥିଲେ, ସରକାରୀ ଚିଠିରେ ରହିଛି ପ୍ରମାଣ

ବାଲେଶ୍ୱର : ଶିଶୁ ସୁରକ୍ଷା ପାଇଁ ଚାକିରି, ମୋଟା ଅଙ୍କର ଦରମା। ହେଲେ ଜିଲ୍ଲାରେ ଶିଶୁ ବିକ୍ରିର ତଦନ୍ତ ଘଟଣାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ବିବାଦୀୟ ଭୂମିକାର ପ୍ରମାଣ ‘ସମ୍ବାଦ’ ହାତରେ ଲାଗିଛି। କେମିତି ଶିଶୁ ବିକ୍ରି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ, ତାହା ଏ ଚିଠିରୁ ପ୍ରମାଣିତ ହୋଇଛି।

କିଛିବର୍ଷ ପୂର୍ବରୁ ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରୁ ବିକ୍ରି ହୋଇଥିବା ଏକ ଶିଶୁକୁ ଭୁବନେଶ୍ବରରେ ଉଦ୍ଧାର କରାଯିବା ପରେ ଏବେ ତାକୁ ନିଜ ଜିଲ୍ଲାକୁ ଅଣାଯାଇଥିବା ଖବର ଚର୍ଚ୍ଚାରେ ରହିଛି। ପିଲାଟିକୁ ସେଠାରୁ ଉଦ୍ଧାର କରାଯିବା ପରେ ତା’ଠାରୁ ସବୁକଥା ଶୁଣି ‌ଭୁବନେଶ୍ବରସ୍ଥିତ ଖୋର୍ଧା ଜିଲ୍ଲା ଅତିରିକ୍ତ ସିଡବ୍ଲୁସି ବାଲେଶ୍ବର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖି ପିଲାର ଠିକଣା ଯାଞ୍ଚ୍‌ କରି ଜଣାଇବାକୁ କହିଥିଲେ। ହେ‌ଲେ ଶିଶୁ ସୁରକ୍ଷା ଅଧିକାରୀ ଦୀର୍ଘମାସ ପର୍ଯ୍ୟନ୍ତ ଏ ବାବଦରେ କୌଣସି ଉତ୍ତର ସେମାନଙ୍କୁ ପଠାଇଲେ ନାହିଁ। ସେପଟୁ ଏନେଇ ବାରମ୍ବାର ସ୍ମରଣଧର୍ମୀ ଚିଠି ଦେବା ପରେ ଗତ ଜୁଲାଇ ମାସରେ ଶିଶୁ ସୁରକ୍ଷା ଅଧିକାରୀ ଉକ୍ତ ଠିକଣାରେ ସେ ପିଲା କିମ୍ବା ତାର ବାପା ମା’ ନାଁରେ କୌଣସି ସନ୍ଧାନ ମିଳୁନଥିବା ଜଣାଇଦେଲେ। ଏହାପରେ ଗତ ୪ ଦିନ ତଳେ ଭୁବନେଶ୍ବର ଅତିରିକ୍ତ ସିଡବ୍ଲୁସିର ନିର୍ଦେଶକ୍ରମେ ପିଲାଟି ରହିଥିବା ରୁଚିକା ଚାଇଲ୍ଡ ଲାଇନର ଏକ ଟିମ୍‌ ବାଲେଶ୍ବର ଆସି ପିଲାଟିର ଘର ଏବଂ ପରିବାରର ସନ୍ଧାନ ପାଇଥିଲେ। ସେଠାରେ ସ୍ଥାନୀୟ ସରପଞ୍ଚ ଏବଂ ତାର ଘରଲୋକ ପିଲାଟିକୁ ଚିହ୍ନିଥିଲେ। ଉକ୍ତ ଟିମ୍‌ ପିଲାଟିକୁ ଆଣି ଜିଲ୍ଲା ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ ଏବଂ ପିଲାଟି ବାବଦରେ ତାଙ୍କୁ ଦିଆଯାଇଥିବା କାମରେ ସେ ଅସହଯୋଗ କରିବାର କାରଣ ପଚାରିଥିଲେ। ମାତ୍ର ସେ ସେମାନଙ୍କ କଥାକୁ ଗୁରୁତ୍ବ ନ ଦେବାରୁ ଉକ୍ତ ଟିମ୍‌ ବାଲେଶ୍ବର ସିଡବ୍ଲୁସି କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ।

ସିଡବ୍ଲୁସି ଏହି ଘଟଣାକୁ ଗୁରୁତ୍ବର ନେବା ସହ ପିଲାଟିକୁ ବାଳାଶ୍ରମରେ ରହିବା ବ୍ୟବସ୍ଥା କରିଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଗତ ୨୦ ତାରିଖ ଦିନ ୦୮୭/୨୦ ନମ୍ବରର ଏକ ଅର୍ଡର ପାଶ କରି ସପ୍ତାହେ ମଧ୍ୟରେ ଏହି ପିଲାବିକ୍ରି ଘଟଣାର ତଦନ୍ତ ସାରି ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦେଶ ଦେଇଛନ୍ତି। ତେବେ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ଉଠିଥିବା ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚରାଯାଇଥିବାବେଳେ ପିଲାଟି ବାବଦରେ ତାଙ୍କୁ କେବେ କୌଣସି ଚିଠି ଆସିନଥିଲା ବୋଲି କହିଥି‌ଲେ। ଏହାସହିତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁଚାରୁରୂପେ ତାର ଦାୟିତ୍ବ ତୁଲାଉଥିବା ସେ ସଫେଇ ଦେଇଥିଲେ।

ଅନ୍ୟପକ୍ଷରେ, ଏ ବାବଦରେ ଖୋଳତାଡ଼ କରିବାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏ ଘଟଣାରେ ସମ୍ପୂର୍ଣ୍ଣ ମିଛ କହିଥିବା ଏବଂ କିଛି ଲୁଚାଉଥିବା ଜଣାପଡ଼ିଛି। ଗତ ଜୁଲାଇ ମାସ ୧୩ ତାରିଖରେ ଖୋର୍ଦ୍ଧା ଅତିରିକ୍ତ ସିଡବ୍ଲୁସି ଚିଠି ନମ୍ବର ୩୨୪/ଏସିଡବ୍ଲୁସି/୨୦୨୦ରେ ସମ୍ପୃକ୍ତ ଶିଶୁଟି ବାବଦରେ ମାଗିଥିବା ତଥ୍ୟ ଅନୁଯାୟୀ ଚିଠି ନମ୍ବର ୪୪୬/ଡିସିପିୟୁ/୨୦୨୦ରେ ଜିଲ୍ଲାର ଖନ୍ତାପଡ଼ା ସ୍ଥିତ ଉକ୍ତ ଗାଁରେ ସମ୍ପୃକ୍ତ ଶିଶୁ କିମ୍ବା ତାର ବାପା ମା’ ନାଁରେ କେହି ନଥିବା ଗତ ୩୦ ଜୁଲାଇରେ ବା‌‌ଲେଶ୍ବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ନିଜ ଦସ୍ତଖତ ମାରି ତାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ତେବେ ଶ୍ରୀ ମାଝୀ କାହିଁକି ଏ ସମ୍ପର୍କରେ ଲୁଚାଇଥିଲେ , କାହିଁକି ସମ୍ପୃକ୍ତ ଶିଶୁଟି ବାବଦରେ ମିଛି ତଥ୍ୟ ଦେଇଥିଲେ ଏବଂ ତଦନ୍ତ ପ୍ରକିୟାରେ କାହିଁକି ସହଯୋଗ କରୁନଥିଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର