ଶିଶୁ ବିକ୍ରି ଘଟଣାରେ ସିଡବ୍ଲୁସିର ଉଦ୍‌ବେଗ : ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

୫ ବର୍ଷର ଶିଶୁକୁ ୩ ଥର ବିକ୍ରି କରିଥିଲେ, ବାଲେଶ୍ୱର ଡିସିପିଓଙ୍କ ଚରମ ଅବହେଳା

ବାଲେଶ୍ୱର : ବାଲେଶ୍ୱରରେ ଫେଲ୍‌ ମାରିଛି ସରକାରଙ୍କ ଶିଶୁ ସୁରକ୍ଷା ଅଭିଯାନ। ସରକାର ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲ ମନୋଭାବ ଏଥିରେ ଅନ୍ତରାୟ ସାଜିଛି। କିଛି ବର୍ଷ ପୂର୍ବରୁ ବାଲେଶ୍ବରରୁ ବିକ୍ରି ହୋଇଥିବା ଏକ ଶିଶୁକୁ ଭୁବନେଶ୍ବରରେ ଉଦ୍ଧାର କରାଯିବା ପରେ ସେଠାକାର ଚାଇଲ୍ଡ ଲାଇନ ତାକୁ ଆଣି ବାଲେଶ୍ୱର ସିଡବ୍ଲୁସିକୁ ହସ୍ତାନ୍ତର କରିବା ଘଟଣା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ଅନ୍ୟପକ୍ଷରେ ସିଡବ୍ଲୁସି ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛନ୍ତି। ସପ୍ତାହେ ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ରୢାକେଟ୍‌କୁ ଖୋଜି ବାହାର କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଏ ନେଇ ୮୭/୨୦୨୦ରେ ଆଜି ଡିସିପିଓଙ୍କୁ ଏକ ଅର୍ଡର କପି ଦିଆଯାଇଥିବା ବେଳେ ବାଲେଶ୍ବର ଏସ୍‌ପି, ଖନ୍ତାପଡ଼ା ଥାନା ଆଇଆଇସି ଏବଂ ସହଦେବଖୁଣ୍ଟା ଥାନା ଆଇଆଇସିଙ୍କୁ ତାର ନକଲ କପି ଦିଆଯାଇଥିବା ସୂଚନା ମିଳିଛି।

ବାଲେଶ୍ୱର ଖନ୍ତାପଡ଼ା ଥାନା ନଈଛଣପୁର ଗାଁର ଲାଲମୋହନ ସିଂଙ୍କ ପତ୍ନୀ ମାଳତୀ ଅଭାବ ଅସୁବିଧା ଯୋଗୁଁ ୩ ବର୍ଷ ତଳେ ସେହି ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପତ୍ନୀ ରୀନାଙ୍କୁ ତାଙ୍କ ୫ ବର୍ଷର ଶିଶୁକୁ ୩ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହାପରେ ମାଳତୀ ବାହାର ରାଜ୍ୟକୁ କାମ କରିବାକୁ ପଳାଇବା ପରେ ରୀନା ବେହେରା ସେହି ଶିଶୁକୁ ନେଇ ଗାଁ ପାଖ ଦହିଗଡ଼ିଆ ଗାଁର ସରୋଜ ଦାସଙ୍କୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲେ। ପରେ ସରୋଜ ଦାସ ମଧ୍ୟ ଶିଶୁଟିକୁ ବାଲେଶ୍ବର ସହରର ଜଣେ ପ୍ରଭାବଶାଳୀ ଲୋକଙ୍କୁ ଦେଇ ତାଙ୍କଠାରୁ ୩୦ ହଜାର ଟଙ୍କା ନେଇଗଲେ। ସେଠାରେ ଉକ୍ତ ଶିଶୁଟିକୁ କିଛିଦିନ କାମ କରାଇବା ପରେ ସମ୍ପୃକ୍ତ ବ୍ୟକ୍ତି ପିଲାଟିକୁ ଭୁବନେଶ୍ବର ନେଇ ତାଙ୍କ ଝିଅ ଘରେ ରଖିଲେ। ସେଠାରେ ପିଲାଟି କିଛି ଦିନ ରହିବା ପରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଖସି ପଳାଇ ଆସିଥିଲା। ରାସ୍ତାରେ ଏକୁଟିଆ ବୁଲୁଥିବା ଦେଖି ସହିଦନଗର ଥାନା ପୁଲିସ ତାକୁ ଉଦ୍ଧାର କରି ସ୍ଥାନୀୟ ସିଡବ୍ଲୁସି ଜରିଆରେ ରୁଚିକା ଚାଇଲ୍ଡ ଲାଇନ୍‌ରେ ରଖିଥିଲେ। ପିଲାଟିର ନାଁ, ଗାଁ ଓ ଠିକଣା ଜାଣିବା ପାଇଁ ରୁଚିକା କର୍ତ୍ତୃପକ୍ଷ ଗତ ଫେବ୍ରୁଆରି ମାସରେ ବାଲେଶ୍ବର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏକ ଚିଠି ଲେଖିଥିଲେ। ହେଲେ ବାଲେଶ୍ବର ଶିଶୁ ସୁରକ୍ଷା ଅଧିକାରୀ ଏ ବାବଦରେ କିଛି ପଦକ୍ଷେପ ନେଲେ ନାହିଁ। ଭୁବନେଶ୍ବର ସିଡବ୍ଲୁସି ଏ ନେଇ ବାରମ୍ବାର ବାଲେଶ୍ବର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିବା ପରେ ଶେଷରେ ଗତ ଜୁଲାଇ ମାସରେ ବାଲେଶ୍ବର ଡିସିପିଓ ଚିଠିର ଉତ୍ତର ରଖି ସେଥିରେ ଉକ୍ତ ଠିକଣାରେ କିମ୍ବା ସେହି ନାଁରେ କେହି ପିଲା ନଥିବା ଜଣାଇଥିଲେ। ଏହାପରେ ଭୁବନେଶ୍ବର ସିଡବ୍ଲୁସିର ପରାମର୍ଶକ୍ରମେ ରୁଚିକା ଚାଇଲ୍ଡ ଲାଇନ୍‌ ନିଜ ତରଫରୁ ଉକ୍ତ ପିଲାର ଗାଁ ଓ ଠିକଣା ବାବଦରେ ଅନୁସନ୍ଧାନ କରିଥିଲେ। ଗତକାଲି ମଧ୍ୟାହ୍ନରେ ରୁଚିକା ଚାଇଲ୍ଡ ଲାଇନ୍‌ର ଏକ ଟିମ୍‌ ପିଲାଟିକୁ ଧରି ବାଲେଶ୍ବର ଖନ୍ତାପଡ଼ାସ୍ଥିତ ତା ଗାଁରେ ପହଞ୍ଚିଥିଲେ। ସେଠାରେ ଗାଁ ଲୋକ ଓ ସ୍ଥାନୀୟ ସରପଞ୍ଚ ପିଲାଟିକୁ ଚିହ୍ନିବା ପରେ ଉକ୍ତ ଟିମ୍‌ ତାକୁ ଧରି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଶିଶୁ ସୁରକ୍ଷା ୟୁନିଟ୍‌କୁ ଯାଇଥିଲେ। ସେଠାରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟି ପିଲାଟି ବାବଦରେ ଜଣାଇବା ପରେ ସେ ନିଜ ଦୋଷ ନମାନି ସଙ୍ଗେ ସଙ୍ଗେ ସେ ପିଲାକୁ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଦେବାକୁ କହିଥିଲେ। ମାତ୍ର ଉକ୍ତ ଟିମ୍‌ ପିଲାଟିକୁ ଧରି ବାଲେଶ୍ବର ସିଡବ୍ଲୁସିରେ ପହଞ୍ଚିଥିଲେ। ସେଠାରେ ପିଲାଟି ସହ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କରିବା ସହ ଏନେଇ ବାଲେଶ୍ବର ଶିଶୁ ସୁରକ୍ଷା ୟୁନିଟ୍‌ର ଅବହେଳା ସମ୍ପର୍କରେ ଅଭିଯୋଗ କରିଥିଲେ। ସିଡବ୍ଲୁସିର ପରାମର୍ଶ କ୍ରମେ ଉକ୍ତ ଟିମ୍‌ ପିଲାକୁ ଉତ୍କଳ ବାଳାଶ୍ରମରେ ରଖିବାକୁ ନେବାବେଳେ ସେଠାରେ ସୁପରିନ୍‌ଟେଣ୍ଡେଣ୍ଟ ଦାୟିତ୍ବରେ ଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଖିବା ପାଇଁ ରୋକଠୋକ୍‌ ମନା କରି ଦେଇଥିଲେ। ପରେ ସିଡବ୍ଲୁସିର ସଦସ୍ୟମାନଙ୍କ ହସ୍ତକ୍ଷେପ ପରେ ପିଲାଟିକୁ ବାଳାଶ୍ରମରେ ଛଡ଼ା ଯାଇଥିଲା।

ଏଠାରେ ପ୍ରଶ୍ନ ଉଠୁଛି ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାରୀ ଦରମା ନେଇ ରହିଥିବା ଜିଲ୍ଲା ସୁରକ୍ଷା ଅଧିକାରୀ ଘଟଣା ସମ୍ପର୍କରେ ଅବଗତ ହେବା ପରେ ମଧ୍ୟ କାହିଁକି ତତ୍ପରତା ଦେଖାଇନଥିଲେ? ଆରମ୍ଭରୁ ପିଲାର ଠିକଣା ଖୋଜିବାରେ ବିଭାଗୀୟ ଚିଠିର ଉତ୍ତର ନଦେବା, ପିଲାବିକ୍ରି ଘଟଣାର ଖୋଳତାଡ଼ ନ କରିବା ଏବଂ ବାଳାଶ୍ରମରେ ତାକୁ ରଖିବାକୁ ମନା କରିବା ଆଦି ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଲାବିକ୍ରି ଘଟଣାରେ ସନ୍ଦେହଜନକ ଭୂମିକା ଓ ଏହାର ଅନ୍ୟ ଦିଗ ପ୍ରତି ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର