ଲକ୍‌ଡାଉନ୍‌ ପରେ ବଢ଼ିପାରେ ଶିଶୁ ଚାଲାଣ : ଏଣିକି କଡ଼ାକଡ଼ି ହେବ ପ୍ରବାସୀ ଶିଶୁଙ୍କ ପଞ୍ଜୀକରଣ

ଭୁବନେଶ୍ବର : ଲକ୍‌ଡାଉନ୍‌ ପରେ ଶିଶୁ ଚାଲାଣ ବଢ଼ିବା ନେଇ ଆଶଙ୍କା କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। ରୋଜଗାର ଯୋଗାଇଦେବା ବାହାନାରେ ଦଲାଲ ଶିଶୁମାନଙ୍କୁ ଚାଲାଣ କରିବା ସମ୍ଭାବନା ରହିଛି। ସେହିଭଳି ରୋଜଗାର ଆଶାରେ ବାହାରକୁ ଯାଉଥିବା ଶ୍ରମିକ ସହ ଶିଶୁମାନେ ମଧ୍ୟ ରହିପାରନ୍ତି। ଲକ୍ଷଲକ୍ଷ ପ୍ରବାସୀ ଫେରିବା ବେଳେ ସେମାନଙ୍କ ସହ ଶିଶୁ ଥିବା ସରକାରଙ୍କ ନଜରକୁ ଆସିଛି। ଶ୍ରମିକମାନେ ବାହାରକୁ ଯିବା ବେଳେ ଶିଶୁମାନଙ୍କର ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ହେଲେ କେହି ପଞ୍ଜୀକରଣ କରୁନାହାନ୍ତି। ଏଣୁ କେତେ ଶିଶୁ ବାହାରେ ରହିଲେ, ସେ ନେଇ ସରକାରଙ୍କ ପାଖ‌ରେ ତଥ୍ୟ ରହୁନାହିଁ। ଶିଶୁମାନଙ୍କ ସୁରକ୍ଷାକୁ ନେଇ କୌଣସି ବଡ଼ ଘଟଣା ଘଟିଲେ ଯାଇ ତନାଘନା ହେଉଛି। ପରୀ, ମୁସ୍କାନ ଭଳି ଯୋଜନା ତିଆରି କରି ବାହାର ରାଜ୍ୟରେ ଶିଶୁମାନଙ୍କୁ ଖୋଜା ହେଉଛି। ଏଣୁ ଲକ୍‌ଡାଉନ୍‌ ସରିବା ପରେ ପରେ ଶିଶୁ କିମ୍ବା ନାବାଳିକାମାନେ ବାହାରକୁ ଗଲେ, ସେମାନଙ୍କର ପଞ୍ଜୀକରଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ନେଇଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। ବିନା ପଞ୍ଜୀକରଣରେ ବାହାରକୁ ନେଲେ ପରିବାରବର୍ଗ କିମ୍ବା ଦଲାଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।

ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବେ ଘରକୁ ବାହୁଡ଼ୁଛନ୍ତି। ସରକାରଙ୍କ ହିସାବଠାରୁ ଢେର୍‌ ଗୁଣରେ ଅଧିକା ଲୋକ ରାଜ୍ୟ ବାହାରେ ଥିବା ଏହି ପରିସଂଖ୍ୟାନରୁ ପ୍ରମାଣିତ ହୋଇଛି। ବାହାରକୁ କାମ କରିବା ପାଇଁ ଯାଇଥିବା ଶ୍ରମିକଙ୍କ ହିସାବ ଶ୍ରମ ବିଭାଗ ପାଖରେ ନଥିବାରୁ ଏହି ପରିସଂଖ୍ୟାନ ସରକାରଙ୍କୁ ମଧ୍ୟ ଚକିତ କରିଛି। ଶ୍ରମିକମାନେ ସ୍ବଦେଶ ଫେରିବା ବେଳେ ସେମାନଙ୍କ ସହ ଶିଶୁ ରହିଥିବା ଦେଖାଯାଇଥିଲା। ଯେଉଁଠି ଶ୍ରମିକଙ୍କ ହିସାବ ନଥିଲା, ସେଠାରେ ଶିଶୁଙ୍କ ହିସାବ କେଉଁଠୁ ଆସିବ ବୋଲି ପ୍ରଶ୍ନ ଉଠିଥିଲା। ଏବେ ଶ୍ରମିକମାନେ ଯଦି ବାହାରକୁ ଯିବେ ଓ ସେମାନଙ୍କ ସହ ଶିଶୁ ଥିବେ, ତେବେ ସେମାନେ ଶିଶୁ ଅଧିକାର ଆୟୋଗ ଅଧୀନରେ ପଞ୍ଜୀକୃତ ହେବେ। ଏହି ନିୟମ ଆଗରୁ ଥିଲେ ମଧ୍ୟ କେହି ମାନୁ ନଥିଲେ। ଏଣିକି ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୋଗ ଚିନ୍ତା କରିଛି।

ଏ ନେଇ ଶିଶୁ ଅଧିକାର ସୁରକ୍ଷା‌ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଏନେଇ ପୂର୍ବରୁ ସଚେତନତା ସୃଷ୍ଟି କରାଯାଇଛି। କିନ୍ତୁ ଅନେକ ଅଭିଭାବକ ମାନି ନାହାନ୍ତି। ଅନେକ ସମୟ‌ରେ ଅଭିଭାବକମାନେ ଦଲାଲ ସମର୍ଥନରେ ଥିବାରୁ ବିଭାଗ ପକ୍ଷେ ଜାଣିବା କଷ୍ଟକର ହୋଇଥାଏ ତେବେ ଏହା ଉପରେ ଏବେ କଡ଼ା ନଜର ରହିବ। ପଞ୍ଜୀକରଣ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ବିଶେଷକରି ଚାଲାଣର ହଟ୍‌ସ୍ପଟ୍‌ କୁହାଯାଉଥିବା କନ୍ଧମାଳ ସହ ଗଞ୍ଜାମ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଉପରେ ଆୟୋଗର କଡ଼ା ନଜର ରହିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶିକ୍ଷକ ଓ ଅଭିଭାବକଙ୍କୁ ସଚେତନ କରାଯିବା ସହ ବିଭିନ୍ନ ଜାଗାରେ ଏ ନେଇ ହୋର୍ଡିଂ ଲାଗିବାକୁ ଯୋଜନା ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର