ବେଗୁନିଆ: ବାନ୍ଧବୀଙ୍କ ଆଶା ପୂରଣ କରିବେ ବାନ୍ଧବୀ। ଜଣେ ଦେଶର ପ୍ରଥମ ନାଗରିକ। ଆଉ ଜଣେ ସାଧାରଣ ଗରିବ ମହିଳା। ତଥାପି କେହି କାହାରିକୁ ଭୁଲିନାହାନ୍ତି। ସେଥିପାଇଁ ମହାମହିମଙ୍କୁ ଭେଟିବା ପଇଁ ରାଷ୍ଟ୍ରପତି ଭବନରୁ ଆସିଛି ବହୁପ୍ରତୀକ୍ଷିତ ସ୍ବତନ୍ତ୍ର ଡାକରା। ଫଳରେ ତାଙ୍କ ଖୁସି ଏବେ କହିଲେ ନସରେ। ଏହି ସୌଭାଗ୍ୟବତୀ ମହିଳାଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ନିପଟ ମଫସଲ ଗାଁ’ ଦୁର୍ଗାପୁରରେ ରହୁଥିବା ଗୌରୀ ମଲ୍ଲିକ। ଗୌରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନର ପାଠପଢ଼ା ସାଙ୍ଗ। ବହୁ ବର୍ଷ ତଳେ ଉଭୟ ଭୁବନେଶ୍ୱରର କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସହ ଗୋଟିଏ ଛାତ୍ରାବାସରେ ରହୁଥିଲେ। ଗୋଟିଏ ଶ୍ରେଣୀରେ ପାଠ ପଢ଼ିବା ସହ ସାଙ୍ଗ ହୋଇ ନାଚଗୀତ କରୁଥିଲେ। ପାଠ ନଆସିଲେ ଉଭୟ ଉଭୟଙ୍କୁ ପଚରାପଚରି ହୋଇ ପଢ଼ୁଥିଲେ। ହେଲେ ବଡ଼ ହେବା ପରେ ବାଟ ବଦଳି ଯାଇଥିଲା। ମହାମହିମ ସଫଳତାର ସିଡ଼ି ପରେ ସିଡ଼ି ଚଢ଼ି ଚାଲିଥିଲେ। ଗୌରୀ କିନ୍ତୁ ମଫସଲ ଗାଁ’ରେ ସୀମିତ ହୋଇଯାଇଥିଲେ। ଏଣୁ ନିଜ ପିଲାବେଳର ସାଙ୍ଗଙ୍କୁ ଭେଟିବା ଲାଗି ସେ ଯେମିତି ପୂରା ବ୍ୟାକୁଳ ହୋଇ ଉଠିଥିଲେ। ଏହି ଖବର ଅତୀତରେ ‘ସମ୍ବାଦ’ ପ୍ରକାଶ କରିସାରିଛି।
ଗୌରୀ ମଧ୍ୟ ଏଥିଲାଗି ଠାକୁରଙ୍କୁ ଦିନରାତି ଡାକୁଥିଲେ। ଏବେ ଏକଥା ମହାମହିମଙ୍କ ଦୃଷ୍ଟି ଗୋଚର ହୋଇଛି। ସେଥିପାଇଁ ଗୌରୀଙ୍କୁ ଭେଟିବା ଲାଗି ସେ ଆଗ୍ରହ ପ୍ରକାଶ କରିବା ସହ ରାଷ୍ଟ୍ରପତି ଭବନରୁ ଗୌରୀଙ୍କ ପାଖକୁ ଆସିଛି ସ୍ବତନ୍ତ୍ର ଡାକରା। ଉଭୟଙ୍କ ମହାମିଳନ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ରାଜଭବନରେ ହେବାକୁ ଥିବାବେଳେ ସ୍ଥାନୀୟ ପ୍ରଶାସନକୁ ଏଥିଲାଗି ସବୁବ୍ୟବସ୍ଥା କରିବାକୁ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଆସିଛି। ନିର୍ଦ୍ଦେଶ ମିଳିବା ପରେ ସ୍ଥାନୀୟ ପ୍ରଶାସନରେ ମଧ୍ୟ ତତ୍ପର ହୋଇଉଠିଛି। ଗୌରୀଙ୍କୁ ଏହି ବିଷୟରେ ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ ଜଣାଇଛନ୍ତି। ତାଙ୍କୁ ନେବା ଆଣିବାର ସବୁ ବନ୍ଦୋବସ୍ତ ପ୍ରଶାସନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ଦିନର ଆଶା ପୂରଣ ହେବାକୁ ଯାଉଥିବାରୁ ଗୌରୀ ବି ବେଶ୍ ଉଲ୍ଲସିତ ଅଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟି ଜିଲାଦିନର ସେହି ଅବିସ୍ମରଣୀୟ ସ୍ମୃତିକୁ ଉଜାଗର କରିବାକୁ ଚାତକ ଭଳି ଚାହି ବସିଛନ୍ତି। ମହାମହିମଙ୍କୁ ଭେଟିବା ପାଇଁ ଗୋରୀଙ୍କ ସହ ତାଙ୍କ ପୁଅ ଓ ବୋହୂ ମଧ୍ୟ ଯିବେ। ଏଥିଲାଗି ଅନୁମତି ମଧ୍ୟ ମିଳିସାରିଛି। ସୂଚନା ପାଇବା ପରେ ଗୌରୀ ‘ସମ୍ବାଦ’କୁ ବିଶେଷ ଧନ୍ୟବାଦ ଦେଇଛନ୍ତି। ସବୁକିଛି ଗଣମାଧ୍ୟମ ପାଇଁ ହେଲା ବୋଲି କହିଛନ୍ତି।