ଭୁବନେଶ୍ବର: ମାତ୍ର ୫ ବର୍ଷ ବୟସର ଶିଶୁକନ୍ୟା। ପୂରାପୂରି ମା’ କୋଳ ଛାଡ଼ିନି। କିନ୍ତୁ ବାପାମା’ ବିକିଦେଲେ। ରାଜଧାନୀ ବଜାରରେ ତା’ର ମୂଲ ହେଲା ୪୦ ହଜାର ଟଙ୍କା। ଖୋଦ୍‌ ରାଜଧାନୀରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ଆଜି ସାରା ସହରରେ ହଇଚଇ ସୃଷ୍ଟି କରିଛି। ଘଟଣାର ପର୍ଦ୍ଦାଫାସ୍‌ ହେବା ପରେ ବଡ଼ଗଡ଼ ଥାନା ପୁଲିସ ଏହି ଶିଶୁକନ୍ୟା ବିକ୍ରି ମାମଲାରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରିଛି। ଶିଶୁକନ୍ୟା ବିକିଥିବା ବିହାରୀ ଦମ୍ପତି, କିଣିଥିବା ନିଃସନ୍ତାନ ଦମ୍ପତି, ଏହି କିଣାବିକାରେ ମଧ୍ୟସ୍ଥତା କରି ୨ ମହିଳା ଓ ଜଣେ ମହିଳା ମଧ୍ୟସ୍ଥିଙ୍କ ସ୍ବାମୀଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ବିହାରୀ ଦମ୍ପତି ହେଲେ ସୁ ବୋଧ ଶର୍ମା ଓ ତାଙ୍କ ପତ୍ନୀ ଗୁଡ଼ିଆ ଦେବୀ, ଶିଶୁକନ୍ୟାକୁ କିଣିଥିବା ଦମ୍ପତି ‌ହେଲେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ବେହେରା, ମଧ୍ୟସ୍ଥି ଦମ୍ପତି ରଶ୍ମି ସାହୁ ଓ ସ୍ବାମୀ ଲାଲା ସାହୁ ଏବଂ ଅନ୍ୟତମ ମଧ୍ୟସ୍ଥି ପିପିଲିର ଜୁଲି ଲେଙ୍କା। ଶିଶୁକନ୍ୟାଟିକୁ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ଓ ଚାଇଲ୍‌ଡ ଲାଇନ୍‌ ଜରିଆରେ ଏକ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। 
Advertisment
ରାଜଧାନୀରେ ହଇଚଇ, ବାପାମା’ଙ୍କ ସମେତ ୭ ବନ୍ଧାହେଲେ
ଘଟଣାଟି ଏମିତି। ବିହାର ଭାଗଲପୁରର ଏହି ଦମ୍ପତି ଭୁବନେଶ୍ବର ବଡ଼ଗଡ଼ ଥାନା ଶିଶୁପାଳଗଡ଼ ବଡ଼ଟାଙ୍ଗୀ ଅଞ୍ଚଳରେ ସାର୍ଥକ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଛନ୍ତି। ସୁବୋଧ କାଠମିସ୍ତ୍ରି ଭାବେ କାମ କରେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସୁ ବୋଧ ଦ୍ବିତୀୟ ବିବାହ କରି ଗୁଡ଼ିଆଙ୍କ ହାତ ଧରିଥିଲେ। ଗୁଡ଼ିଆଙ୍କ ସ୍ବାମୀ ମରିଯାଇଥିବାରୁ ସେ ନିଜର ଶିଶୁକନ୍ୟାକୁ ପାଖରେ ରଖିବାକୁ କହିଥିଲେ ଏବଂ ସୁ ବୋଧ ରାଜି ହୋଇଥିଲେ। ସାବତ ବାପା ହେଲେ ମଧ୍ୟ ସୁ ବୋଧ କେବେ ବି ଗୁଡ଼ିଆଙ୍କ ଶିଶୁକନ୍ୟାକୁ ହତାଦର କରିନଥିଲା। ମାତ୍ର ଅଭାବ ସଂସାରରେ ଶିଶୁକନ୍ୟାକୁ ଲାଳନପାଳନ କରିବା କଷ୍ଟକର ଥିଲା। ସେପଟେ ପିପିଲି ଅଞ୍ଚଳର ନିଃସନ୍ତାନ ଦମ୍ପତି ରଘୁନାଥ ଓ ତାଙ୍କ ସ୍ତ୍ରୀ ପିଲାଟିଏ ଖୋଜୁଥିଲେ। ଆଇନଗତ ଦୃଷ୍ଟିରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା କଷ୍ଟକର ହୋଇଥିବାରୁ ସେମାନେ ଚୋରାଲୁଚାରେ ପିଲାଟିଏ ଖୋଜୁଥିଲେ। ଏଥିପାଇଁ ପିପିଲି ଅଞ୍ଚଳର ଜୁଲି ଲେଙ୍କାଙ୍କୁ କହିଥିଲେ। ଶିଶୁପାଳଗଡ଼ ବଡ଼ଟାଙ୍ଗୀରେ ରହୁଥିବା ରଶ୍ମି ସାହୁ ଓ ଜୁଲି ଜଣାଶୁଣା ହୋଇଥିବାରୁ ସେମାନେ ରଘୁନାଥଙ୍କ ପାଇଁ ପିଲାଟିଏ ଯୋଗାଡ଼ରେ ଲାଗିପଡ଼ିଥିଲେ। ଚୋରାଲୁଚାରେ ଶିଶୁ ବିକାକିଣା ଦଣ୍ଡନୀୟ ଅପରାଧ ବୋଲି ଜାଣି ସୁଦ୍ଧା ଜୁଲି ଓ ରଶ୍ମି କମିସନ ଟଙ୍କା ଲୋଭରେ ରଘୁନାଥଙ୍କ ପାଇଁ ପିଲା ଯୋଗାଡ଼ରେ ଲାଗିପଡ଼ିଥିଲେ। ରଶ୍ମିର ନଜର ପଡ଼ିଥିଲା ବିହାରୀ ଦମ୍ପତିଙ୍କ ଉପରେ। ଅର୍ଥାଭାବରୁ ବଡ଼ କଷ୍ଟରେ ଚଳୁଥିବା ଦମ୍ପତିଙ୍କୁ ଫସାଇବା ସହଜ ହେବ ବୋଲି ରଶ୍ମି ଓ ଜୁଲି ଧରିନେଇଥିଲେ। ତେଣୁ ରଶ୍ମି ସୁବୋଧଙ୍କ ସ୍ତ୍ରୀ ଗୁଡ଼ିଆକୁ ପ୍ରଲୋଭିତ କରିଥିଲେ। ଛୁଆଟି ବିକିବା ପରେ ଧନୀ ବାପାମା’ଙ୍କ ପାଖରେ ତା’ର ଭବିଷ୍ୟତ ସୁନ୍ଦର ହେବ ବୋଲି ‌ବୁଝାଇଥିଲେ। ସୁ ବୋଧ ସାବତ ବାପା ହୋଇଥିବାରୁ ଭବିଷ୍ୟତରେ କିଛି ବି ସମସ୍ୟା ହୋଇପାରେ ବୋଲି ସେମାନେ ଗୁଡ଼ିଆ କାନରେ କହିଚାଲିଥିଲେ। ପ୍ରଥମେ ପ୍ରଥମେ ମା’ ମନ ବୁଝିନଥିଲା। କିନ୍ତୁ ବାରମ୍ବାର କହିବା ପରେ ଝିଅର ସୁନ୍ଦର ଭବିଷ୍ୟତ ଲୋଭରେ ବିଚାରୀ ମା’ ରାଜି ହୋଇଯାଇଥିଲା। ସେହିଭଳି ପ୍ରଥମେ ଭୟ କରିଥିଲେ ବି ସୁ ବୋଧ ରାଜି ହୋଇଯାଇଥିଲେ। ଏମିତିରେ ଏକ ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା ଏବଂ ପ୍ରଥମେ ୪୦ ହଜାର ଟଙ୍କା ଗଣି ରଘୁନାଥ ଶିଶୁକନ୍ୟାଟିକୁ ନେଇଯାଇଥିଲେ। ୧୦ଟଙ୍କିଆ ଷ୍ଟାମ୍ପ ପେପର୍‌ରେ ଲେଖାହୋଇଥିଲା ଯେ ବିକୁଥିବା ଦମ୍ପତି ସ୍ବେଚ୍ଛାରେ ପିଲାଟିକୁ ଦାନ କରୁଛନ୍ତି। କିନ୍ତୁ ଘଟଣାଟି ଲୁଚିଲା ନାହିଁ। ଘର ମାଲିକ ସାର୍ଥକଙ୍କର ସନ୍ଦେହ ହୋଇଥିଲା। ଶିଶୁକନ୍ୟାକୁ ନ ଦେଖି ସେ ବାପାମା’ଙ୍କୁ ପଚାରିଥିଲେ। ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ପାଇ ସାର୍ଥକ ନିଜେ ଖୋଳତାଡ଼ କରି ପିଲା ବିକି ଘଟଣା ଜାଣିପାରିଥିଲେ। ଏହାପରେ ସେ ନିଜେ ଯାଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।  
ଦେଢ଼ବର୍ଷର କନ୍ୟାକୁ ଦୁଷ୍କର୍ମ
କେନ୍ଦୁଝର/ଯୋଡ଼ା: ମା’ କୋଳରେ ବି ଆଉ ସୁରକ୍ଷିତ ନୁହେଁ ଶିଶୁକନ୍ୟା। ପାଟି ଖୋଲି ନ ଥିବା ମାତ୍ର ଦେଢ଼ବର୍ଷର ଶିଶୁକନ୍ୟାକୁ ଖେଳାଇବା ବାହାନାରେ କୋଳେଇ ନେଇ ଦୁଷ୍କର୍ମ କରିଛି ଯୌନ ପିଶାଚ। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟା ୭ଟାବେଳେ ଶିଶୁଟି ଘର ବାରଣ୍ଡାରେ ବସିଥିଲା। ପରିବାର ଲୋକେ କାମରେ ବ୍ୟସ୍ତ ଥିଲେ। ପଡ଼ୋଶୀ ପବିତ୍ର ବେହେରା ତାକୁ 
ଖେଳାଇବା ଆଳରେ ‌ଘରଠାରୁ କିଛି ଦୂରକୁ ନେଇଥିଲା। ସେଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା। ଯନ୍ତ୍ରଣା ହେବାରୁ ଶିଶୁଟି ଖୁବ ଜୋରରେ କାନ୍ଦିଥିଲା।
ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଶିଶୁକନ୍ୟାକୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଶିଶୁକନ୍ୟାର ଦାଦା ଯୋଡ଼ା ଥାନା‌ରେ ଅଭିଯୋଗ କରିଛନ୍ତି। ପୁଲିସ କେସ୍‌ ନମ୍ବର ୩୦୬/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ଏ ସଂପର୍କରେ ଯୋଡ଼ା ଥାନା ଅଧିକାରୀ ଲୋକେଶ ସାହୁ କହିଛନ୍ତି, ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ପଦକ୍ଷେପ ନେଇଛି। ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।