ଆଜି ଶିଶୁ ଦିବସ: ଦାରିଦ୍ର୍ୟ ପାଖରେ ବନ୍ଧା ପଡ଼ିଛି ଶୈଶବ

ପୁରୀ : ଶାଗ ଚାରି ବିଡ଼ା କୋଡ଼ିଏ…। ନେଇଯାଅ, ସଜ କୋଶଳା…। ବୟସ ଦଶ ହେବ କି ନାହିଁ, କିନ୍ତୁ ପରିବା ହାଟରେ ଶୁଭ୍ର (ଛଦ୍ମନାମ)ର ଏ ବ୍ୟବସାୟିକ ଭାଷା କୌଣସି ପୋଖତ ବ୍ୟବସାୟୀଙ୍କଠୁ କମ୍‌ ନଥିଲା। ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ ହେଁ, ସ୍କୁଲ୍‌ ଛୁଟି ଥିବାରୁ ସେ ଶାଗର ପସରା ମେଲାଇଥିବ‌ା କହୁଥିଲା। ମାତ୍ର ତା’ର ବ୍ୟବସାୟ କରିବାର କଳା ହିଁ ସୂଚାଇ ଦେଉଥିଲା, କେବଳ ଆଜି ନୁହେଁ ସେ ଢେର ଦିନ ହେବ ବ୍ୟବସାୟ କରୁଛି। ଖାଲି ଶୁଭ୍ର (ଛଦ୍ମନାମ) ନୁହେଁ, ତା’ ଭଳି କୁନିକୁନି ପିଲାମାନେ ଆଜି ବି କେଉଁଠି ଗ୍ୟାରେଜ୍‌ରେ କାମ କରୁଛନ୍ତି ତ ପୁଣି କେଉଁ ବାବୁମାନଙ୍କ ଘରେ କାମ ପାଇଟି କରି ପେଟ ପୋଷୁଛନ୍ତି। ଏ ଚିତ୍ର ଆଜିର ନୁହେଁ, ବରଂ ସବୁଦିନ ଏଭଳି ସମ୍ବେଦନଶୀଳ ଚିତ୍ର ଆଖି ସାମ୍ନାରେ ନାଚିଯାଏ। ଅଥଚ ସଚେତନ ନାଗରିକମାନେ ଏହାକୁ ନିରବରେ ସମର୍ଥନ କରନ୍ତି। ଯେଉଁ ବୟସରେ ଖେଳିବୁଲି ମଜା କରିବା କଥା ସେ ବୟସରେ ତା’ କାନ୍ଧରେ ବୋଝ ଲଦି ଦେବା ଯେ ଅନ୍ୟାୟ ଏହା ନା କେହି ବୁଝାନ୍ତି, ନା ଅଭିଭାବକମାନେ ଶୁଣିବାକୁ ପ୍ରସ୍ତୁତ ଥାଆନ୍ତି। ଆସନ୍ତାକାଲି ଶିଶୁ ଦିବସ ପାଳନ ପରିପ୍ରେକ୍ଷୀରେ ଶିଶୁଙ୍କ ଅଧିକାର ନେଇ ଆଲୋଚନା ହେବ। ମାତ୍ର ପରିବାରର ସଂଘର୍ଷରେ ପେଷି ହେଉଥିବା ସେମାନଙ୍କ ଉପଭୋଗ୍ୟ ଶୈଶବ କ’ଣ ଆଉ ଫେରିପାରିବ?

କୁହାଯାଏ, ଶିଶୁ ମାଟି ପିତୁଳା। ‌ତାକୁ ଯେମିତି ଗଢ଼ିବ ସେ ସେମିତି ଗଢ଼ି ହେବ। ମାତ୍ର ଆଜି ବି କିଛି ପିଲାଙ୍କର ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛନ୍ତି ସେମାନଙ୍କ ଅଭିଭାବକ। ପରିବା ହାଟ ପରେ ନଜର ପଡ଼ିଥିଲା ରେଳ ଷ୍ଟେସନର ଖୋଲାମେଲା ଟୁରିଷ୍ଟ କମ୍ପ୍ଲେକ୍ସରେ ଖେଳୁଥିବା ଶିଶୁମାନଙ୍କ ଉପରେ। ସେମାନଙ୍କର ବୟସ ଥିଲା ୫ରୁ ୧୦ ବର୍ଷ। ଢେଙ୍କାନାଳରୁ ଆସି ଏହି କମ୍ପ୍ଲେକ୍ସ ମଧ୍ୟରେ ରହୁଥିବା ପିଲାମାନଙ୍କର ଅଭିଭାବକମାନଙ୍କୁ ପଚାରିବାରୁ ଖୋଲାଖୋଲି ସ୍ବୀକାର କରିଥିଲେ ଯେ ସେମାନେ ଅଳିଆରୁ ବର୍ଜ୍ୟ ଗୋଟାଇ ବିକ୍ରି କରି ସେଥିରେ ଭୋକ ମେଣ୍ଟାନ୍ତି। କେବଳ ସେତିକି ନୁହେଁ ନାବାଳିକା ଝିଅମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରୁଥିବା କଥା ବି ସ୍ବୀକାର କରିବାକୁ ପଛାଇନଥିଲେ। ବିଡ଼ମ୍ବନା ଏହି ଯେ ବହୁବାର ଚାଇଲ୍‌ଡ ଲାଇନ୍‌ର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ଯାଇ ସଚେତନ କରାଇଛନ୍ତି। ମାତ୍ର ଅଭିଭାବକମାନେ ସେମାନଙ୍କୁ ଦେଖିଲେ ଫଁ ଫଁ ଗର୍ଜନ୍ତି। ପିଲାମାନେ ସେମାନଙ୍କୁ ଏମିତି ଚିହ୍ନିଗଲେଣି ଯେ ସେ ସ୍ଥାନରେ ଚାଇଲ୍‌ଡ ଲାଇନ୍‌ର କର୍ମକର୍ତ୍ତାଙ୍କୁ ଦେଖିଲେ ଛତ୍ରଭଙ୍ଗ ଦିଅନ୍ତି।

କେବଳ ଷ୍ଟେସନ ରୋଡ୍‌ ନୁହେଁ ହେଲିପ୍ୟାଡ୍‌ ଏବଂ ଲୋକନାଥ ରୋଡ୍‌‌ରେ ତମ୍ଭୁ ଟାଣି ରହୁଥିବା ବଞ୍ଜାରାମାନଙ୍କ ପିଲାମାନଙ୍କର ବିକଳ ମୁହଁ ହିଁ ସୂଚାଇ ଦିଏ ସେମାନେ କେତେ ନିଃସହାୟ। ଶ୍ରୀମନ୍ଦିର ସମ୍ମୁଖରେ ଯେତେବେଳେ ପିଲାମାନେ ଫିନ୍‌ଫିନ୍‌ ପୋଷାକ ପିନ୍ଧି ସ୍କୁଲ୍‌ ଯାଉଥାଆନ୍ତି, ସେତେବେଳେ ବଞ୍ଜାରା ପିତାମାତାମାନେ ନିଜ ପିଲାମାନଙ୍କ ହାତରେ ବେଲୁନ ଧରେଇ ଦେଇ ବ୍ୟବସାୟ ପାଇଁ ପଠାଇ ଦେଉଛନ୍ତି। ଯେମିତି ଦାରିଦ୍ରୢ ଆଗରେ ସେମାନଙ୍କ ଶୈଶବ ବନ୍ଧା ପଡ଼ିଯାଇଛି।

ସମ୍ବନ୍ଧିତ ଖବର