ଖୋର୍ଦ୍ଧା: ବାଲ୍ୟା ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ନିୟୋଜନ ଆଦି ରୋକିବା, ଅନାଥ ଶିଶୁଙ୍କୁ ଉଦ୍ଧାର କରି ପ୍ରଶାସନ ହେଫାଜତରେ ଦେବା ଆଦି କାମରେ ଗତ ୨୩ ବର୍ଷ ଧରି ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଚାଇଲ୍ଡଲାଇନ୍ ଫାଉଣ୍ଡେସନ ସେପ୍ଟମ୍ବର ୧ ତାରିଖ, ଅର୍ଥାତ୍ ଆଜି ଠାରୁ ବନ୍ଦ ହୋଇଯାଇଛି। ଏଥିରେ କାମ କରୁଥିବା ଶତାଧିକ ସ୍ବେଚ୍ଛାସେବୀ ନିଜର ନିଯୁକ୍ତି ହରାଇଛନ୍ତି।
ନିକଟରେ କେନ୍ଦ୍ର ସରକାରଙ୍କ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଚାଇଲ୍ଡଲାଇନ୍ ଫାଉଣ୍ଡେସନ୍ ଓ ଏହାର ଟୋଲ୍ ଫ୍ରି ନମ୍ବର ୧୦୯୮କୁ ବନ୍ଦ କରିଦିଆଯାଇଛି। ଏହା ବଦଳରେ, ରାଜ୍ୟସରକାରଙ୍କ ମହିଳା ଓ ଶିଶୁ ମଙ୍ଗଳ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ୟୁନିଟ୍ ଓଏହାର ଟୋଲ୍ଫ୍ରି ନମ୍ବର ୧୧୨ କାର୍ଯ୍ୟ କରିବ। ଚାଇଲ୍ଡଲାଇନ୍ ଫାଉଣ୍ଡେସନ ବନ୍ଦ ହୋଇଯିବା ଫଳରେ ଏଥିରେ କାମ କରୁଥିବା ଖୋର୍ଦ୍ଧା ଜିଲ୍ଲାର ୨୨ ଜଣ କର୍ମଚାରୀ ଓ ସମଗ୍ର ରାଜ୍ୟର ପ୍ରାୟ ୫ଶହ କର୍ମଚାରୀ ବର୍ତମାନ ନିଯୁକ୍ତି ହରାଇଛନ୍ତି। ଅପରପକ୍ଷରେ, ଚାଇଲ୍ଡଲାଇନ୍ ଫାଉଣ୍ଡେସନ ଯେଉଁ କାମ କରୁଥିଲା ତାହା ବର୍ତମାନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କରିବ। ଏଭଳି ସ୍ଥିତିରେ, ଚାଇଲ୍ଡଲାଇନ୍ରେ କାମ କରୁଥିବା କର୍ମଚାରୀଙ୍କୁ ଶିଶୁ ସୁରକ୍ଷା ୟୁନିଟ୍ ନେବାକୁ ପ୍ରସ୍ତୁତ ନୁହେଁ। ଆବଶ୍ୟକ ପଡ଼ୁଥିବା ଅତିରିକ୍ତ କର୍ମଚାରୀ ନୂତନ ନିଯୁକ୍ତି ପ୍ରକ୍ରିୟାରେ ଗ୍ରହଣ କରିବ ବୋଲି କହିଛି। ଏହାର ପ୍ରତିବାଦରେ ଚାଇଲ୍ଡ ଲାଇନ୍ ୟୁନିଟ୍ ପକ୍ଷରୁ ଏକଦାବିପତ୍ର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ, ୫-ଟି ସଚିବ ଓ ମହିଳା- ଶିଶୁ ମଙ୍ଗଳ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି। ଦାବିପତ୍ରରେ ନିଯୁକ୍ତ ହରାଇଥିବା କର୍ମଚାରୀମାନେ କହିଛନ୍ତି ଯେ ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ସେମାନେ ସପରିବାର ରାଜରାସ୍ତାରେ ଧାରଣାରେ ବସିବେ। ଚାଇଲ୍ଡଲାଇନ୍ରେ କାର୍ଯ୍ୟ କରିଥିବା ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ କର୍ମଚାରୀ ମନିପାଲ ସାହୁ କହିଛନ୍ତି ଯେ ସେମାନେ ୨୩ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ତୃରମୂଳସ୍ତରରେ ସୁଦୃଢ଼ କରିଛନ୍ତି। ଜିଲ୍ଲାର ଡିସିପିଓ, ସିଡବ୍ଲୁସି, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ପୁଲିସ ଓ ଶିକ୍ଷା ବିଭାଗ ସହ ସହଯୋଗ ସ୍ଥାପନ କରି ଅନାଥ, ଅସହାୟ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ନିଶ୍ଚିତ କରୁଥିଲେ। ଏନେଇ ଏକାଧିକ ମାମଲାରେ ସେମାନେ ସାକ୍ଷୀ ଭାବେ ରହିଛନ୍ତି। ଆଗାମୀ ଦିନଗୁଡ଼ିକରେ ଏହି ମାମଲାରେ ସେମାନେ କୋର୍ଟରେ ହାଜର ହେବେ। ଏଭଳି ସ୍ଥିତିରେ ଯଦି ସେମାନେ ଚାକିରି ହରାନ୍ତି, ତେବେ କୋର୍ଟ ଆସିବା ଖର୍ଚ୍ଚ ଆଦି କିଏ ଭରଣା କରିବ। ସେହି ମାମଲା ସମ୍ପର୍କରେ କିଏ ଦିଗ୍ ଦର୍ଶନ ଦେବ। ଏଣୁ ସେମାନେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଶିଶୁ ସୁରକ୍ଷା ୟୁନିଟ୍ରେ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି। ସେମାନେ ନିବେଦନ ପୂରଣ ନହେଲେ ସେମାନେ ଗାଣତାନ୍ତ୍ରିକ ଭିତ୍ତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ।