୨ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ମିଶନ କମ୍ପାଉଣ୍ଡରୁ ଶୁକ୍ରବାର ଦୁଇଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଲାଇନ । ମିଶନ ପରିସରରେ ରହୁଥିବା ମୃତ୍ୟୁଞ୍ଜୟ ନାମକ ଜଣେ ପାଷ୍ଟର ଦାମନଯୋଡି ଅଞ୍ଚଳର ଦୁଇ ନାବାଳିକାଙ୍କୁ ରଖିଥିଲେ । ଏହି ଦୁଇ ଭଉଣୀକୁ ଲାଳନପାଳନ କରୁଥିବାବେଳେ ନିର୍ମମ ମାଡ ମାରୁଥିଲେ । ଏନେଇ ସାହିର କେହି ଚାଇଲ୍ଡ ଲାଇନକୁ ଅଭିଯୋଗ କରିବା ପରେ ସକାଳୁ ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି ।

ଦୀର୍ଘ ବର୍ଷ ହେବ ଦାମନଯୋଡିର ଅମିତା ଓ ସମିତା (ଛଦ୍ନନାମ୍ନୀ)ଙ୍କ ବାପା ଓ ମାଙ୍କର ମୃତ୍ୟୁ ଘଟିଥିଲା । ବାପାମାଙ୍କୁ ହରାଇଥିବାରୁ ସେଠାକାର ଲୋକଙ୍କ ସହାୟତାରେ ଏହି ପାଷ୍ଟର ଜଣକ ଆଣି ଘରେ ରଖିଥିଲେ । ଏହାପରେ ତାଙ୍କୁ ଦଶମଶ୍ରେଣୀ ଯାଏ ପଢାଉଥିବାବେଳେ ଘରର ଯାବତୀୟ କାମ କରାଉଥିଲେ । ଗୁରୁବାର ରାତିରେ ପାଷ୍ଟରଙ୍କ ଝିଅ ଉକ୍ତ ଦୁଇ ନାବାଳିକାଙ୍କୁ କାଠ ପାଇଁ ବାରିପଟକୁ ଯିବାକୁ କହିଥିଲେ । କିନ୍ତୁ ବଡ ଭଉଣୀ ନ ଯିବାରୁ ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ ।

ଦୁଇ ଭଉଣୀଙ୍କ ଚିତ୍କାରରେ ସାହି କମ୍ପୁଥିବାବେଳେ କେହି ଜଣେ ଚାଇଲ୍ଡ ଲାଇନ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଏହି ଦୁଇ ନାବାଳିକାଙ୍କର ବୟାନ ରେକର୍ଡ କରାଯାଇଛି। ଉଭୟଙ୍କୁ ଶିଶୁ ସୁରକ୍ଷା କମିଟି (ସିଡବ୍ଲୁସି) ନିକଟରେ ଉପସ୍ଥାପନ କରାଯାଇ ମୁକ୍ତାକାଶ ଆଶ୍ରୟସ୍ଥଳୀରେ ରଖାଯାଇଛି । ଶନିବାର ସେମାନଙ୍କୁ ପଚରାଉଚୁରା କରାଯିବ । ଏହାସହ ଉକ୍ତ ପାଷ୍ଟର ଓ ତାଙ୍କ ଝିଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପିଓ ରାଜଶ୍ରୀ ଦାସ କହିଛନ୍ତି ।

ସମ୍ବନ୍ଧିତ ଖବର