ରାଜନଗର: ରାଜନଗର ବ୍ଲକ୍ରେ କୋମଳମତି ଶିଶୁ ଓ ପ୍ରସୂତି ଏବଂ ଗର୍ଭବତୀଙ୍କୁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଛତୁଆ ପ୍ରଦାନରେ ଅନିୟମିତତା ସାମ୍ନାକୁ ଆସିଛି। ଏଭଳି ଅନିୟମିତାକୁ ଆଜି ଖୋଦ୍ ସିଡିପିଓ ଧରିଛନ୍ତି। ସୂଚନା ଅନୁସାରେ, ପୁଷ୍ଟିହୀନତା ଦୂର କରିବା ପାଇଁ ୬ମାସରୁ ୩ ବର୍ଷ ବୟସର ଶିଶୁଙ୍କୁ ସରକାର ପ୍ରତିମାସ ଛତୁଆ ଓ ସୁଜି ଯୋଗାଇ ଦେଉଛନ୍ତି। ଗର୍ଭବତୀ ଓ ପ୍ରସୂତିଙ୍କୁ ଛତୁଆ, ଖସାଲଡ଼ୁ, ବାଦାମଲଡ଼ୁ, ମୁଢ଼ି, ସୋଲା, ଖଜୁରୀ କୋଳି ଆଦି ଯୋଗାଇ ଦିଆଯାଇଛି। ମାତ୍ର ରାଜନଗର ବ୍ଲକ୍ରେ ଛତୁଆ, ସୁଜି ଓ ଅନ୍ୟ ସାମଗ୍ରୀ ଯୋଗାଣ ନାଁରେ ଅନିୟମିତତା ହୋଇଛି। ଦୁଇଟି ସ୍ବୟଂସହାୟକ ଗୋଷ୍ଠୀ ବହୁବର୍ଷ ହେବ ସେମାନଙ୍କ ଏକଚାଟିଆ ଭାବେ ଛତୁଆ ଯୋଗାଇ ଆସୁଛନ୍ତି। ସରକାରଙ୍କ ନିୟମ ମୁତାବକ, ପ୍ରତିମାସର ୨୩ ତାରିଖ ଦିନ ଛତୁଆ ପ୍ରସ୍ତୁତି ପାଇଁ ପୂର୍ବରୁ ଭଜା ହୋଇଥିବା ଗହମ, ବୁଟ, ଚିନାବାଦାମ ସହ ଚିନି ମିଶ୍ରଣ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗର ସୁପର୍ଭାଇଜର୍ଙ୍କ ଉପସ୍ଥିତିରେ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ସାମଗ୍ରୀର ଅନୁପାତ ଅନୁଯାୟୀ ଓଜନ କରାଯାଇ ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟା ପରେ ଛତୁଆ ପ୍ରସ୍ତୁତ ହେବ ଏବଂ ଏହାପରେ ଛତୁଆ ପ୍ୟାକେଟ୍ କରାଯାଇ ବ୍ୟାଚ୍ ନମ୍ବର ଓ ପ୍ରସ୍ତୁତି ତାରିଖ ଲେଖାଯାଇ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଠିକାଦାର ପହଞ୍ଚାଇବେ।
ମାତ୍ର ଏଥିରେ ଅନିୟମିତତା ହୋଇଥିବା ଆଜି ଧରାପଡ଼ିଛି। ସକାଳ ପ୍ରାୟ ୮ଟାରେ ରାଜନଗର ସିଡିପିଓ ସନ୍ତୋଷିନୀ ଭୋଇ ରାଜନଗର ବ୍ଲକ୍ର ବାଘୁଆସ୍ଥିତ ମା’ ବୁଢ଼ୀମଙ୍ଗଳା ସ୍ବୟଂସହାୟକ ଗୋଷ୍ଠୀର ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ତାଲା ଝୁଲୁଥିବା ଦେଖାଯାଇଥିଲା। ସିଡିପିଓ ବହୁ ସମୟ ଫୋନ କରିବା ପରେ ତାଲା ଖୋଲିଥିଲା। କିନ୍ତୁ ଛତୁଆ ପ୍ରସ୍ତୁତି ଦାୟିତ୍ବରେ ଥିବା ସ୍ବୟଂସହାୟକ ଗୋଷ୍ଠୀର କୌଣସି ସଦସ୍ୟା କିମ୍ବା ବିଭାଗର ସୁପର୍ଭାଇଜର୍ଙ୍କ ଦେଖା ନ ଥିଲା। ଫଳରେ ସିଡିପିଓ ୪ ଘଣ୍ଟା ଛତୁଆ ପ୍ରସ୍ତୁତ କେନ୍ଦ୍ର ଭିତରେ ବସି ରହିଥିଲେ। ସିଡିପିଓ କେନ୍ଦ୍ରକୁ ପଶିବା ପରେ ଛତୁଆ ପ୍ରସ୍ତୁତରେ ଚାଲିଥିବା ଅନିୟମିତତା ଧରିଥିଲେ। ଆଜି ଛତୁଆ ପ୍ରସ୍ତୁତି ପାଇଁ ଗହମ, ବୁଟ, ଚିନି, ଚିନାବାଦାମ ମିଶ୍ରଣର ତାରିଖ ରହିଥିଲା। ମାତ୍ର ସିଡିପିଓ ପହଞ୍ଚିବା ବେଳକୁ ଛତୁଆ ବହୁଦିନ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିଲା। ବଡ଼କଥା ହେଲା, ପ୍ରସ୍ତୁତ ହୋଇଥିବା ଛତୁଆ ପ୍ୟାକେଟ୍ରେ ୨୬ ଜୁନ୍, ୨୦୨୪ ବୋଲି ଉଲ୍ଲେଖ ଥିଲା। ଆଜି ୨୩ ତାରିଖ ଥିଲା ବେଳେ ପ୍ୟାକେଟ୍ରେ ୨୬ ତାରିଖ ଛତୁଆ ପ୍ରସ୍ତୁତ ହୋଇଛି ବୋଲି ଲେଖାଯିବା ନେଇ ପ୍ରଶ୍ନ ଉଠିଛି?
ଅନ୍ୟପଟେ, ଉକ୍ତ କେନ୍ଦ୍ରରେ କେବଳ ଗହମ ସହ ଅଳ୍ପକିଛି ଚିନି ମିଶାଇ ଛତୁଆ ପ୍ରସ୍ତୁତ କରି ଯୋଗାଣ କରାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆଜି ଛତୁଆ ସାମଗ୍ରୀ ମିଶ୍ରଣ ତାରିଖ ରହିଥିଲା। ମୁଁ ୪ ଘଣ୍ଟା ପୂର୍ବରୁ ପହଞ୍ଚିଥିଲେ ମଧ୍ୟ ସୁପର୍ଭାଇଜର୍ କିମ୍ବା ଠିକାସଂସ୍ଥାର କୌଣସି ସଦସ୍ୟାଙ୍କର ଦେଖା ନ ଥିଲା। ଏଠାରେ ପ୍ରସ୍ତୁତ ହୋଇ ଥୁଆ ହୋଇଥିବା ଛତୁଆରେ ୨୬ ଜୁନ୍ ୨୦୨୪ ତାରିଖ ପଡ଼ିଛି। ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।