ଦରମା ରାଜନଗରରେ, ପଢ଼ାଉଛନ୍ତି ନିମାପଡ଼ାରେ; ବିନା ଶିକ୍ଷକରେ ସଂସ୍କୃତ ପଢୁଛନ୍ତି ପିଲା

ରାଜନଗର : ଶିକ୍ଷୟିତ୍ରୀ ଦରମା ପାଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ କେରେଡ଼ାଗଡ଼ସ୍ଥିତ ଶ୍ରୀଜଗନ୍ନାଥ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟରୁ। ପାଠ କିନ୍ତୁ ପଢ଼ାଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ତଳୀ ଭଂଟି ଗ୍ରାମର ଶ୍ରୀରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ। ଏହି କାରଣରୁ ଦୀର୍ଘ ୧୩ମାସ ହେଲା ଶ୍ରୀଜଗନ୍ନାଥ ହାଇସ୍କୁଲର ଛାତ୍ରଛାତ୍ରୀ ସଂସ୍କୃତ ବିଷୟ ପଢ଼ି ପାରୁନାହାନ୍ତି। ବିନା ଶିକ୍ଷକରେ ଛାତ୍ରଛାତ୍ରୀ ସଂସ୍କୃତ ପାଠ ପଢୁଥିଲେ ମଧ୍ୟ ଏଥିପ୍ରତି ଶିକ୍ଷାବିଭାଗ ଉଦାସୀନ। ସଂପୃକ୍ତ ଶିକ୍ଷୟିତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀର ହୋଇଥିବାରୁ ସମସ୍ୟା ପ୍ରତି ନା ଗଣଶିକ୍ଷା ବିଭାଗ ଦୃଷ୍ଟି ଦେଉଛି ନା ଶୁଣୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ରାଜନଗର ବ୍ଲକ୍‌ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ମଧ୍ୟରେ ୫୪୨ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ୬ଷ୍ଠ ଶ୍ରେଣୀରେ ୧୦୪ଜଣ, ୭ମରେ ୧୦୩, ୮ମରେ ୭୪, ୯ମରେ ୧୫୩ ଓ ୧୦ମ ଶ୍ରେଣୀରେ ୧୦୮ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ୫୪୨ଜଣ ପିଲାଙ୍କ ପାଇଁ ୪ଜଣ ଏଲିମେଣ୍ଟାରି କ୍ୟାଡର୍‌ର ଶିକ୍ଷକ, ଜଣେ ପିସିଏମ୍‌ ଓ ଅନ୍ୟ ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି। ମାତ୍ର ଏହି ବିଦ୍ୟାଳୟରୁ ଦରମା ପାଉଥିବା ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ପରିଡ଼ା ଗତ ୧୩ମାସ ହେଲା ଏଠାରେ ପାଠ ପଢ଼ାଉ ନାହାନ୍ତି। ସେ ଏହି ବିଦ୍ୟାଳୟରେ ଚାକିରି କରିଥିବା ନେଇ ଦରମା ପାଉଥିଲେ ମଧ୍ୟ ଜୁନ ୨୦୨୧ରୁ ପୁରୀ ଜିଲ୍ଲା ନିମାପଡା ବିଧାନସଭା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଭଂଟି ଗ୍ରାମସ୍ଥିତ ଶ୍ରୀରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ ପାଠ ପଢ଼ାଉଛନ୍ତି। ତାଙ୍କୁ ଡାଇରେକ୍ଟର୍‌ ଅଫିସ୍‌ ଚିଠି ବଦଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ରିଲିଭ୍‌ କରିଛନ୍ତି। ଶିକ୍ଷୟିତ୍ରୀ ‘ଡେପ୍ଲଏମେଣ୍ଟ୍‌ ଅର୍ଡର୍‌’ ବଳରେ ପୁରୀ ଜିଲ୍ଲାକୁ ଯାଇଥିବା ବେଳେ ସରକାରୀ ରେକର୍ଡରେ ସେ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ନୋଡାଲ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟିତ୍ରୀ ଥିବା ଦର୍ଶାଉଛି। ସେଇ କାରଣରୁ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ। ଫଳସ୍ବରୂପ, ବିନା ପାଠପଢାରେ ଛାତ୍ରଛାତ୍ରୀ ସଂସ୍କୃତ ପରୀକ୍ଷା ଦେଉଛନ୍ତି।

ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ତାଙ୍କୁ ପଚାରିବାରୁ ୨୦୧୧ରେ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ପରିଡା ଯୋଗ ଦେଇଥିଲେ। ୨୦୧୧ ଜୁନ ମାସରେ ଡାଇରେକ୍ଟର ଅଫିସ୍‌ ଚିଠି ବଳରେ ତାଙ୍କୁ ଶ୍ରୀରାମ ଚନ୍ଦ୍ର ନୋଡାଲ ହାଇସ୍କୁଲ, ଭଂଟି ଗ୍ରାମ, ନିମାପଡା, ପୁରୀକୁ ଡେପୁଟେସନରେ ନିଆଯାଇଛି। ଆମ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ପଦରେ ‘ଭ୍ୟାକାନ୍ସି’ ଦେଖାଉ ନ ଥିବାରୁ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନି। ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛି ବୋଲି କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀର ଶିକ୍ଷୟିତ୍ରୀ ବୋଲି ଡେପୁଟେସନରେ ଜିଲ୍ଲା ପାର ହୋଇପାରିବେ କି? ଏଥିପ୍ରତି ଗଣଶିକ୍ଷା ମନ୍ତ୍ରୀ ଦୃଷ୍ଟି ଦେବା ସହ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର