ଭୁବନେଶ୍ୱର : ଆସନ୍ତା ୩ତାରିଖରୁ ୧୫-୧୮ବର୍ଷ କିଶୋରଙ୍କ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ୨୦୦୭ କିମ୍ବା ତା’ପୂର୍ବରୁ ଜନ୍ମ ନେଇଥିବା ପିଲାମାନେ ଟିକା ନେଇପାରିବେ। ଉଭୟ ଅନଲାଇନ୍ ଓ ଅନସାଇଟ୍ରେ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ଯେଉଁମାନଙ୍କର ଅନ୍ୟ କୌଣସି ପ୍ରମାଣପତ୍ର ନ ଥିବ ସେମାନେ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜୀକରଣ କରିବା ସହିତ ଟିକା ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।
ଡା.ପାଣିଗ୍ରାହୀ କହିଛନ୍ତି, ଆସନ୍ତା ୩ତାରିଖରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ପିଲାଙ୍କ ଟିକାକରଣ ପାଇଁ ଏକ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ପୂର୍ବରୁ ଯେଉଁ ଟିକାଦାନ କେନ୍ଦ୍ର ରହିଛି ସେଠାରେ ଦିନ ୮ଟାରୁ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ। ଅପରାହ୍ଣରେ ଅନ୍ୟମାନଙ୍କୁ ଟିକା ଦିଆଯିବ। ପିଲାମାନଙ୍କୁ କୋଭାକ୍ସିନ୍ର ଦୁଇ ଡୋଜ୍ ଟିକା ଦିଆଯିବ। ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ତେବେ ସ୍କୁଲରେ ସ୍ବତନ୍ତ୍ର ଟିକା କେନ୍ଦ୍ର ଖୋଲିବ କି ନାହିଁ ଏ ସଂପର୍କିତ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ।
ସେ ଆହୁରିମଧ୍ୟ କହିଛନ୍ତି ଯେ ବୁଷ୍ଟର ଡୋଜ୍ ନେବା ପାଇଁ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ୍ର ଆବଶ୍ୟକତା ନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ସେମାନେ ଟିକା ନେଇପାରିବେ ବୋଲି ଡା. ପାଣିଗ୍ରାହୀ କହିଛନ୍ତି। ଆସନ୍ତା ୧୦ତାରିଖରୁ ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ୧୫-୧୮ବର୍ଷର ଭିତରେ ୨୫ଲକ୍ଷ ୫୩ହଜାର ପିଲା ରହିଥିବା ବେଳେ ୬୦ବର୍ଷରୁ ଅଧିକ ୫୨ଲକ୍ଷ ୩୭ହଜାର ଲୋକ ରହିଛନ୍ତି।
ରାଜ୍ୟରେ ଆଜି ୨ଲକ୍ଷ ୪୫ହଜାର ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୪୧,୧୪୧ ପ୍ରଥମ, ୧,୨୩ହଜାର ୧୮୩ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୧୭,୭୪୮ ପ୍ରଥମ ଓ ୬୨,୭୯୪ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ବର୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୯୫ଲକ୍ଷ ୪୨ହଜାର ୭୪୨ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟିରୁ ଅଧିକ ଲୋକ ଉଭୟ ଡୋଜ୍ ଟିକା ନେଇ ସାରିଲେଣି।