ମାଲକାନଗିରି: ଶିକ୍ଷାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯୋଜନାଗୁଡ଼ିକ ଯେଭଳି ଉପାନ୍ତ ଅଂଚଳରେ ପହଞ୍ଚିବ ସେଥିପ୍ରିତି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ନାହିଁ। ତେଣୁ ଉପାନ୍ତ ଅଂଚଳରେ ବାସ କରୁଥିବା ପିଲାମାନେ ଶିକ୍ଷାରୁ ବଂଚିତ ହୋଇ ପରିବାରକୁ ବିଭିନ୍ନ କାମରେ ସହଯୋଗ କରିବା ସହ ପରିବାରର ବୋଝ ମଧ୍ୟ ଉଠାଉଛନ୍ତି।
Advertisment
ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକର ବିଭିନ୍ନ ଅଂଚଳରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଗୋଷ୍ଠୀ ବସବାସ କରୁଛନ୍ତି। ଏମାନେ ବଣ ଜଂଗଲରେ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବିଲ ଡଂଗରରେ ଫସଲ ଉତ୍ପାଦନ କରି ଜୀବନ ବିତାଉଛନ୍ତି। ଏସବୁ କାମରେ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଥିବା ପ୍ରାୟତଃ ଦେଖିବାକୁ ମିଳେ।ଘରର ମୁରବୀ ପରିବାରର ସମସ୍ତ ବୋଝ ଉଠାଉଥିଲେ ମଧ୍ୟ ଅନ୍ୟମାନେ ଏଥିରେ ହାତ ବଢାଇଥାନ୍ତି। କିନ୍ତୁ ଏମିତି ବି ଦେଖିବାକୁ ମିଳିଥାଏ ଯେ କମ୍ ବୟସର ପିଲାମାନେ ମଧ୍ୟ ନିଜର ବାପା ଓ ମା‘ଙ୍କୁ ପରିବାରର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥାନ୍ତି, ଯାହାକି ସେମାନଙ୍କର ବଳ ଓ ବୟସ ତୁଳନାରେ ଅଧିକା ବୋଝ ହୋଇଥାଏ।ଯେଉଁ ବୟସରେ ସେମାନେ ଖେଳକୁଦ କରିବା କଥା କିମ୍ବା ବହି ବସ୍ତାନୀ ନେଇ ସ୍କୁଲକୁ ଯିବାର କଥା, ସେହି ବୟସରେ ପିଲାମାନେ ଗୃହପାଳିତ ପଶୁକୁ ନେଇ ପାଖ ବଣକୁ ଗୋରୁ ଚରାଇବାକୁ ନେଇଥାନ୍ତି। ତାଛଡା ଜଂଗଲରୁ ପତ୍ର ତୋଳିବା, ଜାଳେଣୀ କାଠ ସଂଗ୍ରହ କରିବା, ଏପରିକି ବିଲରେ ହଳ ବୁଲାଇବା ସହ ଧାନ କାଟିବା ଆଉ ଅମଳ କରିବାରେ ମଧ୍ୟ ସହଯୋଗ କରିଥାନ୍ତି।
publive-image
ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲାର ପ୍ରାୟ ସବୁ ଗାଁ ଗହଳିରେ ଦେଖିବାକୁ ମିଳେ। ଖଇରପୁଟର ବଣ୍ଡାଘାଟିରେ ଯେଉଁ ଦୃଶ୍ୟ ଦେଖିଲୁ ତାହା ବିଶ୍ବାସ କରି ହେଲା ନାହିଁ। ଯେଉଁ ବୟସରେ ପିଲାମାନେ ଖେଳକୁଦ କରିବା କଥା ସେହି ବୟସରେ ପିଲାମାନେ ନିଜର ସାନ ଭାଇଭଉଣୀମାନଙ୍କୁ କୋଳେଇ ଧରିବା ସହ ଯତ୍ନ ନେଇଥାଏ। ପୁଣି ଦେଖିବାକୁ ମିଳିଥିଲା ଯେ ଛୋଟ ଛୋଟ ପିଲାମାନେ ଜଂଗଲରୁ ଜାଳେଣୀ କାଠ ସଂଗ୍ରହ କରି ଘରକୁ ନେଉଛନ୍ତି। ଏପରିକି ଝିଅ ଓ ପୁଅର ବୟସ ୧୪ କିମ୍ବା ୧୫ ବର୍ଷ ହୋଇଗଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ବଣ୍ଡା ଜନଜାତିର ବହୁ ନାବାଳକ ପୁଅ ଝିଅମାନେ ଜିଲ୍ଲାର ବିଭିନ୍ନ ହୋଟେଲ ଏବଂ ଗ୍ୟାରଜମାନଙ୍କରେ କାମ କରୁଥିବା ଦେଖିବାକୁ ମିଳେ। ବଣ୍ଡାଘାଟିରେ ଶିକ୍ଷା କହିଲେ ବହୁଦୂରରେ। ଏହାଯେ କେବଳ ଏମାନଙ୍କର ଭାଗ୍ୟରେ କାମ କରିବା ଲେଖାଯାଇଛି ତାହା ନୁହେଁ,ଏପରିକି ପ୍ରତ୍ୟେକ ଆଦିବାସୀ ପରିବାରରେ କୋମଳମତି ଶିଶୁମାନେ ବାପା ମାଆଙ୍କୁ ସାହାଯ୍ୟ କରିବା ପାଇଁ ସଂସାରର ବୋଝ ଉଠାଇଥାନ୍ତି।
ଆଦିବାସୀ ପରିବାରର ଆର୍ଥିକ ସ୍ଥିତି ଅତି ଦୁର୍ବଳ ଥିବା ଯୋଗୁଁ ପରିବାରର ସମସ୍ତ ସଦସ୍ୟ ପେଟ ପାଇଁ ମୂଲ ଲାଗିବା ବେଳେ ଏହି ଅସହାୟ ଶିଶୁମାନେ ନିଜର ଭାଇଭଉଣୀମାନଙ୍କୁ ଯତ୍ନ ନେବା ପାଇଁ ବାଧ୍ୟ ହୋଇଥାନ୍ତି। ସେମାନଙ୍କର ସବୁ ସ୍ବପ୍ନ ଏଠାରେ ହିଁ ବନ୍ଧା ପଡ଼ିଯାଏ। ଏସବୁକୁ ଆଦିବାସୀଙ୍କ ଯୁଗ ଯୁଗର ପରଂପରାର ଆଖ୍ୟା ଦେଇ ଶିକ୍ଷିତ ସମାଜ ଆଡେଇ ଦେଉଥିବା ବେଳେ ପ୍ରଶାସନ ଓ ସରକାରଙ୍କର ଉଦାସୀନତା ଏହି କୋମଳମତି ଶିଶୁମାନଙ୍କର ଭାଗ୍ୟକୁ ଅନ୍ଧାରର ଗର୍ଭ ଭିତରକୁ ଠେଲି ଦେଉଛି।ଏମାନଙ୍କର ଭାଗ୍ୟ କେବେ ବଦଳୁଛି ଦେଖିବାକୁ ବାକି ରହିଲା।