ଶିଶୁ ଦିବସରେ ସହିଦ ବାଜି ରାଉତଙ୍କୁ ମନେପକାଇଲେ ବୀରେନ୍ଦ୍ର ସେହବାଗ

ଭୁବନେଶ୍ୱର: ଭାରତର ସ୍ୱାଧୀନତା ସଂଗ୍ରାମରେ ସହିଦ ବାଜି ରାଉତଙ୍କ ବଳିଦାନ ଉଲ୍ଲେଖନୀୟ। ଶିଶୁ ଦିବସ ଅବସରରେ ଏହି ବାଳୁତ ସହିଦଙ୍କୁ ମନେ ପକାଇଛନ୍ତି ବିଶିଷ୍ଟ କ୍ରିକେଟ୍‌ ତାରକା ବୀରେନ୍ଦ୍ର ସେହବାଗ। ବାଜି ରାଉତଙ୍କ ବଳିଦାନକୁ ନେଇ ଆଜି ଟ୍ଵିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେହବାଗ। ସେହବାଗ ଟ୍ଵିଟ୍‌ କରିଛନ୍ତି, ଶିଶୁ ଦିବସରେ ଓଡ଼ିଶାର ନୀଳକଣ୍ଠପୁରର ବାଜି ରାଉତଙ୍କ ବିଷୟରେ ସମସ୍ତେ ଜାଣିବା ଉଚିତ। ୧୨ ବର୍ଷର ଏହି ବାଳକ ଦେଶୀ ଡଙ୍ଗାରେ ଥିବା ବେଳେ ବ୍ରିଟିସ୍‌ମାନେ ତାଙ୍କୁ ବ୍ରାହ୍ମଣୀ ନଈ ପାର କରିବାକୁ କହିବା ପରେ ସେ ପାର କରିବାକୁ ମନା କରି ଦେଇଥିଲେ। ବ୍ରିଟିସ୍‌ ସୈନିକଙ୍କ ଧମକକୁ ନ ଡରି ନଈ ପାର କରାଇବାର ଆଦେଶକୁ ଭୃକ୍ଷେପ ନ କରିବାରୁ ବ୍ରିଟିସ୍‌ ସୈନିକ ତାଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଏଥିରେ ବାଜି ଟଳି ପଡ଼ିଥିଲେ। ଗୁଳିରେ ଆହତ ହେଲା ପରେ ମଧ୍ୟ ଚିତ୍କାର କରି ବ୍ରିଟିସ୍‌ ସୈନିକଙ୍କୁ ନଦୀ ପାର କରାଇ ଦେବେନି ବୋଲି କହିଥିଲେ। ଭାରତର ମୁକ୍ତି ସଂଗ୍ରାମର ସର୍ବ କନିଷ୍ଠ ସହିଦଙ୍କୁ ଆହୁରି ଅଧିକ ସ୍ୱୀକୃତିର ଆବଶ୍ୟକତା ରହିଛି। ଏହି ମହାନ ବାଳକଙ୍କୁ ସେ ସଲାମ କରୁଛନ୍ତି ବୋଲି ଟ୍ଵିଟ୍‌ରେ କହିଛନ୍ତି ସେହବାଗ। ଏହି ଟ୍ଵିଟ୍‌ରେ ସେ ଲକ୍ଷ୍ମଣ ମଲ୍ଲିକ, ଫଗୁ ସାହୁ, ହୃଷି ପ୍ରଧାନ ଓ ନଟ ମଲ୍ଲିକ ପ୍ରମୁଖ ପ୍ରମୁଖ ପୁଲିସ୍‌ ଗୁଳିରେ ମୃତ୍ୟୁବରଣ କରିଥିବା ଲେଖିଛନ୍ତି। ବାଜି ରାଉତଙ୍କ କଥାକୁ ଉଜାଗର କରି ବୀରେନ୍ଦ୍ର ସେହବାଗ ଓଡ଼ିଆ ଆତ୍ମ ସ୍ୱାଭିମାନକୁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରାଇଛନ୍ତି ବୋଲି ଟ୍ଵିଟ୍‌ କରି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଓଡ଼ିଆମାନଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର