ଉମରକୋଟ ମେଡିକାଲରେ ଅଘଟଣ : ଦିନକ ଭିତରେ ୩ ଶିଶୁ ମୃତ

ଉମରକୋଟ : ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। ଦିନକ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଏସ୍‌ଏନ୍‌ସିୟୁରେ ଜଣେ ନବଜାତ ଶିଶୁ ଓ ଶିଶୁ ବିଭାଗରେ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉମରକୋଟ ଗସ୍ତର କିଛି ଘଣ୍ଟା ପୂର୍ବରୁ ଘଟିଛି ଏଭଳି ଅଘଟଣ। ଚିକିିତ୍ସାରେ ଅବହେଳା ଯୋଗୁଁ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ସଂପର୍କରେ ଜାଣିବା ପରେ ତଦନ୍ତ କରାଯିବ। ଏହାପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ଗୋବରୀ ଗ୍ରାମର ବୁଦୁ ଗୌଡଙ୍କ ପତ୍ନୀ ୮ଦିନ ତଳେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ଶିଶୁ କନ୍ୟାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଏସଏନସିୟୁରେ ରଖାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୧୦ଟାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା। ସେହିପରି ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅଞ୍ଚଳା ଗ୍ରାମର ରୁକମନ ସାନ୍ତାଙ୍କ ୮ମାସର ଝିଅ ଆଜି ସକାଳ ପ୍ରାୟ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ଝିଅର ମୃତ୍ୟୁ ହୋଇଥିବା ରୁକମନ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଝରିଗାଁ ପଞ୍ଚାୟତର କୁରାକୋଟ ଗ୍ରାମର ବିଜୟ ହରିଜନ ଓ ପତ୍ନୀ ଜୟଲକ୍ଷ୍ମୀଙ୍କ ୬ମାସର ପୁଅ ଜ୍ୱରରେ ଆକ୍ରାନ୍ତ ହେବାରୁ କିଛି ଦିନ ତଳେ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁ ବିଭାଗରେ ଭର୍ତି କରାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଏସଂପର୍କରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମେଶ ପଣ୍ଡାଙ୍କୁ ପଚାରିବାରୁ ଏନେଇ ତାଙ୍କ ନିକଟରେ କୌଣସି ଖବର ନଥିବା କହିବା ସହ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଏକ ସାଧାରଣ ଘଟଣା ବୋଲି କହିଥିଲେ।

ସମ୍ବନ୍ଧିତ ଖବର