ଜ୍ୱରରେ କମ୍ପୁଛନ୍ତି ଶିଶୁ, ତଳଡିହ ପହଞ୍ଚିପାରୁନି ଡାକ୍ତରୀ ଦଳ

କାଳିଆପାଣି : ସୁକିନ୍ଦା ବ୍ଲକ୍‌ର ନଗଡ଼ା ପାଖ ଗୁହିଆଶାଳ ମୌଜା ଅନ୍ତର୍ଗତ ତଳଡିହ ଜୁଆଙ୍ଗ ବସ୍ତିର ଶିଶୁମାନେ ଅଜଣା ଜ୍ବର ଓ କାଶରେ କମ୍ପୁଥିଲେ ମଧ୍ୟ ଏଠାରେ ସ୍ବାସ୍ଥ୍ୟସେବା ଅପହଞ୍ଚ ରହିଛି। ଗତ ୧୭ ତାରିଖ ”ସମ୍ବାଦ”ରେ ”ନଗଡ଼ା ସ୍ବାସ୍ଥ୍ୟସେବାରେ ଢିଲା” ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ତଳଡିହ ବସ୍ତିର ରଇବାରୀ ଓ ଉଷା ପ୍ରଧାନଙ୍କ ୨ ଝିଅ , ଅଙ୍ଗନବାଡ଼ି କର୍ମୀ ଆଗୁଣି ପ୍ରଧାନ ଓ ନନ୍ଦ ପ୍ରଧାନଙ୍କ ଝିଅ ଓ ପୁଅ , ଫୁଲମଣି ଓ ଅମିନ ପ୍ରଧାନଙ୍କ ୨ ଝିଅଙ୍କ ସମେତ ଏକାଧିକ ଶିଶୁ ଓ ସାଧାରଣ ଲୋକ ରୋଗରେ ପଡ଼ିଥିବା ସୂଚନା ପାଇ ଦୁଇଟି ଡାକ୍ତରୀଦଳ ଗତ ବୁଧବାର ଓ ଗୁରୁବାର ଲଗାତର ଦୁଇଦିନ ତଳଡିହ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧାବାଟରୁ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି।

ବୁଧବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିରଞ୍ଚି ନାରାୟଣ ବାରିକ ଓ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ୍ତ କୁମାର ସାହୁଙ୍କ ନିର୍ଦେଶରେ ଆୟୁଷ ଡାକ୍ତର ବ୍ରହ୍ମାବରଦା ପ୍ରିୟଦର୍ଶିନୀ, ମଶା ବାହିତ ରୋଗ ପରାମର୍ଶଦାତା(ଭିବିଡି), ପରିଦର୍ଶକ ବନ୍ଦନା ପ୍ରିୟଦର୍ଶିନୀ ସାମଲ, ଅଙ୍ଗନବାଡ଼ି ସୁପରଭାଇଜର ଶକୁନ୍ତଳା ସଏ, ସ୍ବାସ୍ଥ୍ୟକର୍ମୀ ବିଷ୍ଣୁ ଚରଣ ନାଏକ ଓ ଭାସ୍କର ହାଇବ୍ରୁ, ଆଶାକର୍ମୀ ଜୟନ୍ତୀ ମହାନ୍ତ ପ୍ରମୁଖ ଗୁହିଆଶାଳରେ ପହଞ୍ଚି ଭ୍ରାମ୍ୟମାଣ ଚିକିତ୍ସା ସେବା ମାଧ୍ୟମରେ ଘରକୁ ଘର ବୁଲି ସାଧାରଣ ଶିଶୁ ଓ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ୩୬ ଜଣ ବ୍ୟକ୍ତିଙ୍କ ମ୍ୟାଲେରିଆ ପରୀକ୍ଷଣ ହୋଇଥିଲା। ୪ ଜଣ ଜ୍ବରରେ ଓ ୭ ଜଣ ଚର୍ମରୋଗରେ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଔଷଧ ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏଠାରୁ ଉତ୍ତର-ପୂର୍ବ କୋଣରେ ସାତକୁଲିଆ ପାହାଡ଼ ତଳକୁ ଥିବା ତଳଡିହ ବସ୍ତିକୁ ଯିବା ସମ୍ଭବ ‌ହୋଇପାରିନଥିଲା ବୋଲି ଏହି ଦଳରେ ଥିବା ସ୍ବାସ୍ଥ୍ୟକର୍ମୀ ବିଷ୍ଣୁ ନାଏକ ସ୍ପଷ୍ଟ ମତ ରଖିଛନ୍ତି।

ସେହିପରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ନିର୍ଦେଶରେ ଗତକାଲି ୩ ସ୍ବାସ୍ଥ୍ୟ ପରିଦର୍ଶକ ଅନ୍ତର୍ଯ୍ୟାମୀ ଧଳ, ପବିତ୍ର କୁମାର ଘଡ଼େଇ ଓ ଚନ୍ଦନ କୁମାର ନାୟକ ପ୍ରମୁଖ ଔଷଧ ପେଟି ମୁଣ୍ଡାଇ ହାତରେ ବାଡ଼ି ଧରି ତଳଡିହ ବାହାରିଥିଲେ ମଧ୍ୟ ଦୁର୍ଗମ ବାଟ ଓ ବଣୁଆ ହାତୀ ଭୟ ପାଇଁ ଅଧାରୁ ଫେରି ଆସିଥିବା କହିଛନ୍ତି। ଏବେ ଗୁହିଆଶାଳ ଯିବାକୁ ହେଲେ ନାଲିଆଡାବରେ ଗାଡ଼ି ରଖିବାକୁ ପଡ଼ୁଛି। ଏଠାରୁ ଜଙ୍ଗଲ ମଧ୍ୟରେ ୩ କିଲୋମିଟର ଦୂର ମାଟି କାଦୁଅ ରାସ୍ତାରେ ଚାଲିଚାଲି ଯିବା ପରେ ସେଠାରୁ ଘଞ୍ଚ ଜଙ୍ଗଲ ଗୁଳା ଦେଖି ଆଉ ଅଢ଼େଇ କିଲୋମିଟର ଦୂର ତଳଡିହ ପର୍ଯ୍ୟନ୍ତ ଯିବାକୁ ‌ହୋଇଥ‌ାଏ। ଏହି ବାଟରେ ‌ଏବେ ଗଛଲତା ସବୁ ମାଡ଼ି ଯାଇଥିବାରୁ ଗୁଳା ଚିହ୍ନଟ ହୋଇପାରୁନି। ପୁନଶ୍ଚ ସରୀସୃପଙ୍କ ଭୟ ସାଙ୍ଗକୁ ପଥର ଉପରେ ଶିଉଳି ମାଡ଼ି ଯାଇଥିବାରୁ ଚାଲିବା ବି ଅତ୍ୟନ୍ତ କଷ୍ଟକର ଓ ବିପଜ୍ଜନକ ବୋଲି ସ୍ବାସ୍ଥ୍ୟ ପରିଦର୍ଶକ ଶ୍ରୀ ଧଳ ସ୍ପଷ୍ଟ ମତ ରଖିଥିଲେ। ଗୁଳାରେ ହାତୀ ମଳ ଦେଖିବାକୁ ମିଳୁଛି। ଗୁହିଆଶାଳ ଗାଁର ଏକାଧିକ ବ୍ୟକ୍ତିଙ୍କୁ ମଜୁରି ଯାଚି ସାଙ୍ଗରେ ଯିବାକୁ ସହାୟତ‌ା ମାଗିଥିଲେ ମଧ୍ୟ କେହି ତଳଡିହ ଯିବା ପାଇଁ ରାଜି ହୋଇନଥିଲେ। ଦୁର୍ଗମ ରାସ୍ତା ପାଇଁ ଗାଁର ୧୨ଟି ଯାକ ଜୁଆଙ୍ଗ ପରିବାର ଏବେ ଅଶୋକଝର ବାଟେ ଯାତାୟାତ କରୁଥିବା ନେଇ ତଳଡିହ ବସ୍ତିର ଉଷା ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର