ବେପରୁଆ ବାପା-ମା’ ବନ୍ଦ କ‌ାର୍‌ରେ ଦେଢ଼ ବର୍ଷର ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ

ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ

ଢେଙ୍କାନାଳ: ପିଲାଙ୍କ ପାଇଁ ପିତାମାତା ଯେ କୌଣସି ତ୍ୟାଗ କରିବାକୁ ସୁଦ୍ଧା ପଛେଇ ନଥାନ୍ତି। ହେଲେ ଏକ ଦମ୍ପତିଙ୍କ ବେପରୁଆ ଆଚରଣ ପରେ ଏହାକୁ ନେଇ ସ୍ବତଃ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଏକ ଦମ୍ପତି ନିଜ ବନ୍ଦ କାର‌୍‌ ଭିତରେ ସେମାନଙ୍କ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡ଼ି କାମରେ ବାହାରିଯିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ସମୟ ଧରି ଶିଶୁଟି ରୁଦ୍ଧ କାର୍‌ ଭିତରେ କାନ୍ଦିକାନ୍ଦି ଅଣନିଶ୍ବାସୀ ହୋଇ ପଡ଼ିଥିଲାବେଳେ କେତେକ ଲୋକ ତାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି।

ସୂଚନା ଅନୁଯାୟୀ, ସହରର କାଠଗଡ଼ା ଅଞ୍ଚଳର ପ୍ରଦୀପ ଦାଶ ଆଜି ସକାଳେ ତାଙ୍କ ସ୍ତ୍ରୀ ଏବ˚ ଦେଢ଼ବର୍ଷର ଝିଅ ସହ ନିଜ କାର‌୍‌ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଝିଅଟି କାର‌୍‌ ଭିତରେ ଶୋଇ ପ଼ଡ଼ିଥିବାରୁ କାମ ସାରି ଫେରି ଆସିବେ ଭାବି ପ୍ରଦୀପ ଏବ˚ ତାଙ୍କ ସ୍ତ୍ରୀ ଇସିଜି କରିବା ପାଇଁ ଚିକିତ୍ସାଳୟ ଭିତରକୁ ଯାଇଥିଲେ। ଶିଶୁ କନ୍ୟାଟି କାର‌୍‌ ଭିତରେ ଶୋଇ ପଡ଼ିଥିବାରୁ କାର୍ ଦରଜା କାଚ ଅଳ୍ପ ତଳକୁ ଖସାଇ ଗାଡ଼ି ଲକ୍‌ କରି ଯାଇଥିଲେ। ହେଲେ ଉଭୟ ସ୍ବାମୀ ସ୍ତ୍ରୀ ଇସିଜି ସାରି ଫେରିବାରେ ବିଳମ୍ବ ହୋଇଥିଲା। ଅନ୍ୟ ପକ୍ଷରେ ଖରାରେ କାର‌୍‌ଟି ରହିଥିବାରୁ ଶିଶୁକନ୍ୟ‌ାର ନିଦ ଭାଙ୍ଗିଯାଇଥିଲା। ସେ ବାପାମା’ଙ୍କୁ ଖୋଜିବା ସହ ଅଣନିଶ୍ବାସୀ ହୋଇ ପଡ଼ିବାରୁ କାନ୍ଦି କାନ୍ଦି କାର‌୍‌ ଭିତରେ ଝାଳନାଳ ହୋଇପଡ଼ିଥିଲା। ମୁମୂର୍ଷୁ ଅବସ୍ଥାରେ ଶିଶୁଟିକୁ ଦେଖି ଚିକିତ୍ସାଳୟକୁ ଆସିଥିବା ଅନ୍ୟ କାର‌୍‌ର ଚାଳକ ଓ ଲୋକମାନେ ଉକ୍ତ କାର‌୍‌ର କାଚକୁ ତଳକୁ ଦାବି ଖସାଇବା ସହ ଶିଶୁ କନ୍ୟାକୁ କାର‌୍‌ ଭିତରୁ କୌଣସି ମତେ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ। ତିନିଜଣିଆ ଡାକ୍ତରୀଦଳ ଶିଶୁଟିକୁ ଚିକିତ୍ସା କରିବା ସେ ସୁସ୍ଥ ହୋଇଥିଲା। ତେବେ ବନ୍ଦ କାର୍‌ ଭିତରେ ଆଉ କିଛି ସମୟ ରହିଥିଲେ ହୁଏତ ଅବସ୍ଥା ଅନ୍ୟ କିଛି ହୋଇଥାନ୍ତା ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଖାନା ପରିସରରେ ହୋ-ହଲ୍ଲା ହେବା ପରେ ଶିଶୁକନ୍ୟାର ବାପା ଓ ମା’ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ତେବେ ଉପସ୍ଥିତ ଲୋକେ ଉଭୟଙ୍କୁ ଗାଳିଗୁଲଜ କରିବା ସହ ଶିଶୁଟିକୁ ଦେଇ ନ ଥିଲେ। ସେମାନଙ୍କର ଅନ୍ୟ ସଂପର୍କୀୟ ଓ ପରିବାର ସଦସ୍ୟ ପହଞ୍ଚିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଜରିଆରେ ପରିଚୟ ଯାଞ୍ଚ କରି ଶିଶୁକନ୍ୟାକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର