ଗଛ ଡାଳରେ ନେଟ୍‌ୱର୍କ ଖୋଜୁଛନ୍ତି ପିଲା, ‌ତଳେ ଜଗୁଛନ୍ତି ଅଭିଭାବକ

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅନ୍ ଲାଇନ୍ ପାଠପଢ଼ା

ରାଉରକେଲା: ସରକାର ଡିଜିଟାଲ ଇଣ୍ଡିଆ, ମେକ୍‌ ଇନ୍‌ ଇଣ୍ଡିଆ ଆଦିର ନାରା ଦେଉଛନ୍ତି। ବାସ୍ତବ ଚିତ୍ର କିନ୍ତୁ କେତେ ଅଲଗା, ସୁନ୍ଦରଗଡ଼ର ଅନେକ ଗାଁକୁ ଦେଖିଲେ ଜଣାଯାଏ। ଜିଲ୍ଲାରେ ଏମିତି ଅନେକ ଗାଁ ଅଛି ଯେଉଁଠି ମୋବାଇଲ୍ ନେଟ୍‌ୱର୍କ ସ୍ବପ୍ନ। ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲା, ତୁଳସୀକାନି, ଝାରବେଡା, ମନ୍‌କୋ, ହରିହରପୁର, ରାମଲୋଇ ଆଦି ଅନେକ ଗାଁରେ ସାଧାରଣ ଲୋକ ଯେତିକି ସମସ୍ୟା ଭୋଗୁଛନ୍ତି, ତା’ଠାରୁ ଢ଼େର ଅସୁବିଧାରେ ପଡୁଛନ୍ତି ଅନ୍‌ ଲାଇନ୍‌ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ। ପାଠପଢ଼ା ସମୟ ହୋଇଗଲେ ଛାତ୍ରଛାତ୍ରୀମାନେ ଖୋଜୁଛନ୍ତି ନେଟ୍‌ୱାର୍କ। କିଏ ଗଛ ଉପରେ ତ ପୁଣି ଆଉ କିଏ ଧନୀ ଘରର ଛାତ ଖୋଜୁଛି। ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀମାନେ ଏଭଳି ଜଟିଳ ସମସ୍ୟା ଭୋଗୁଛନ୍ତି।

ଜରେଇକେଲା ତେବେ ଗଛ ଉପରେ ଯେ ଠିକ୍ ନେଟ୍‌ୱର୍କ ଆସୁଛି, ତା’ ନୁହେଁ। ୫ ମିନିଟ୍‌ ନେଟ୍‌ ଆସିଲେ, ୧୦ ମିନିଟ୍‌ ନାହିଁ। ଅତିକଷ୍ଟରେ ୪୫ ମିନିଟ୍‌ର କ୍ଲାସରେ ଛାତ୍ରଛାତ୍ରୀମାନେ ପ୍ରାୟ ୧୫ରୁ ୨୦ ମିନିଟ୍‌ ହିଁ ଅନ୍‌ ଲାଇନ୍‌ କ୍ଲାସ କରି ପାରୁଛନ୍ତି। କ୍ଲାସ ସମୟ ହେବାର ପ୍ରାୟ ଅଧଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକମାନଙ୍କୁ ଧରି ଗଛ ପାଖରେ ପହଞ୍ଚନ୍ତି। ତା’ପରେ ଗଛ ଚଢ଼ନ୍ତି। ଏ ବାବଦରେ ଛାତ୍ରୀମାନେ ଭାରି ସମସ୍ୟାରେ ପଡୁଛନ୍ତି। ବେ‌‌‌ଳେବେଳେ ଛାତ୍ରଛାତ୍ରୀମାନେ ଗଛ ଡାଳରେ ଏମିତି ଭାବେ ବସନ୍ତି ଯେ, ପଡିଯିବାର ଯଥେଷ୍ଟ ଆଶଙ୍କା ଥାଏ। ତେଣୁ ଅଭିଭାବକମାନେ ଗଛ ତଳେ ସେମାନଙ୍କୁ ଜଗି ବସୁଛନ୍ତି। ବିଶ୍ରା ସମେତ ଗୁରୁଣ୍ଡିଆ, ନୂଆଗାଁ ପରି ଅନେକ ବ୍ଲକରେ ଏହି କାରଣରୁ ହଜାର ହଜାର ଛାତ୍ରଛାତ୍ରୀ ଅନ୍‌ ଲାଇନ୍‌ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି। ଏଭଳି ସ୍ଥିତିରେ ଶିକ୍ଷା ବିଭାଗ କେବଳ ଅନ୍‌ ଲାଇନ୍‌ କ୍ଲାସ୍‌ ଘୋଷଣା କରି ନିଜ କାମ ସାରି ଦେଇଛି। ଅନ୍ ଲାଇନ୍‌ କ୍ଲାସ୍‌ ଘୋଷଣା ପୂର୍ବରୁ ଜିଲ୍ଲା ପ୍ରଶାସନ ପ୍ରଥମେ ଉପାନ୍ତ ଗାଁଗୁଡ଼ିକରେ ମୋବାଇଲ୍ ନେଟ୍‌ୱର୍କକୁ ଠିକ୍‌ କରିବା ଆବଶ୍ୟକ ଥିଲା।

ସମ୍ବନ୍ଧିତ ଖବର