ବିବାହ ପୂର୍ବରୁ ଏଚ୍ଆଇଭି ପରୀକ୍ଷା ବାଧ୍ୟତାମୂଳକ ହେଉ

ଭୁବନେଶ୍ବର : କୌଣସି ଶିଶୁ ଦୁନିଆଁକୁ ଆସିବା ପୂର୍ବରୁ ଯେପରି ମରଣକୁ ସଙ୍ଗରେ ଆଣି ନଆସୁ। ବାପାମା’ଙ୍କ ଭୁଲ୍‌ ପାଇଁ ପିଲା ଦଣ୍ଡ ନପାଆନ୍ତୁ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ବାହାଘର ପୂର୍ବରୁ ଏଚ୍ଆଇଭି ପରୀକ୍ଷା ବାଧ୍ୟତାମୂଳକ କରାଯାଉ। ଏହାକୁ ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ରଖନ୍ତୁ ବୋଲି ରାଜ୍ୟର ଶତାଧିକ ଶିଶୁ ଦାବି କରିଛନ୍ତି। ଯେଉଁ ବୟସରେ ପିଲାମାନେ ଖେଳକୁଦ‌, ପାଠପଢ଼ାରେ ମନନିବେଶ କରିବା କଥା ସେହି ବୟସରେ ପିଲାମାନେ କଅଁଳ ଶିଶୁଙ୍କ ଭବିଷ୍ୟତ କଥା ଚିନ୍ତା କରିଛନ୍ତି। ଯାହା କୌଣସି ରାଜନୈତିକ ଦଳ ଆଜି ଯାଏଁ ଭାବିନାହାନ୍ତି ତାହା କୁନି କୁନି ପିଲାମାନେ ସେମାନଙ୍କୁ କରିବାକୁ ଆହ୍ବାନ ଦେଇଛନ୍ତି।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେ ରାଜନୈତିକ ଦଳଗୁଡ଼ିକ ଦଳୀୟ ଇସ୍ତାହାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏତିକିବେଳେ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ ରାଜଧାନୀରେ ଏକତ୍ର ହୋଇ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ କ’ଣ ଦରକାର ସେନେଇ ଦାବି ପ୍ରସ୍ତୁତ କରିଛନ୍ତି। ଦଳୀୟ ଇସ୍ତାହାର କେବଳ ଭୋଟ୍‌ ପାଇବା ପାଇଁ ନହେଉ। ଶିଶୁଙ୍କୁ ଶିକ୍ଷା, ସ୍ବାସ୍ଥ୍ୟରୁ ଆରମ୍ଭ କରି ସାମାଜିକ ସୁରକ୍ଷା ଯୋଗାଇବାକୁ ରାଜନୈତିକ ଦଳଗୁଡ଼ିକ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ। ଶିଶୁଙ୍କୁ ନିର୍ବାଚନୀ ଇସ୍ତାହାରରେ ପ୍ରାଧାନ୍ୟ ଦିଆଯାଉ ବୋଲି ଦାବି କରିଛନ୍ତି।

ଓଡ଼ିଶା ଆଲିଆନ୍ସ ଫର୍ ଚାଇଲ୍ଡ ରାଇଟ୍ (ଓଏସିଆର୍‌) ପକ୍ଷରୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ସହାୟତାରେ ହୋଟେଲ ଏକ୍ସଲେନ୍ସିରେ ଆୟୋଜିତ ‘ନିର୍ବାଚନ ୨୦୧୯: ରାଜନୈତିକ ଦଳମାନଙ୍କ ନିର୍ବାଚନୀ ଇସ୍ତାହାରରେ ଶିଶୁମାନଙ୍କୁ ଅଗ୍ରାଧିକାର’ ଶୀର୍ଷକ କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ଶିଶୁ ଦୁଇଦିନ ଆଲୋଚନା କରିବା ପରେ ଆଜି ୩୦ଦଫା ଦାବି ବିଭିନ୍ନ ରାଜନୈତିକ ଦଳକୁ ଦେଇଛନ୍ତି।

ଏଥିରେ ୧୮ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାଙ୍କୁ ମାଗଣା ଶିକ୍ଷା, ପ୍ରତ୍ୟେକ ସ୍କୁଲକୁ ସବୁଦିନିଆ ରାସ୍ତା ନିର୍ମାଣ, ବିଦ୍ୟାଳୟରେ ସମସ୍ତ ଶିଶୁଙ୍କର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଫିସ ଓ ସହରରେ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଜନ୍ମ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବା, ପ୍ରତ୍ୟେକ ପରିବାର ଓ ବିଦ୍ୟାଳୟକୁ ବିଶୁଦ୍ଧ ପାନୀୟ ଜଳ ଓ ପାଇଖାନା ଯୋଗାଇବା, ପ୍ରତ୍ୟେକ ଶିଶୁ ଓ ତାର ପରିବାରକୁ ନିରାପଦ ବାସଗୃହ ଯୋଗାଇବା, ବିଦ୍ୟାଳୟ ପରିଚାଳନା କମିଟିରେ ଜଣେ ଭିନ୍ନକ୍ଷମ ଶିଶୁ ସମେତ ତିନି ଜଣ ଛାତ୍ରଛାତ୍ରୀଙ୍କୁ ରଖିବା, ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ, ପ୍ରତ୍ୟେକ ସ୍କୁଲରେ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦେବା, ଗ୍ରାମାଞ୍ଚଳରେ ପ୍ରତ୍ୟେକ ବିଦ୍ୟାଳୟରେ ଓ ସହରାଞ୍ଚଳରେ ପ୍ରତ୍ୟେକ ୱାର୍ଡରେ ଖେଳ ପଡ଼ିଆ, ଧନୀ ଓ ଗରୀବ ସବୁ ବର୍ଗର ପିଲାଙ୍କ ପାଇଁ ଗୋଟିଏ ପ୍ରକାରର ଶିକ୍ଷା ବ୍ୟବସ୍ଥା, ଶିକ୍ଷା ଅଧିକାର ଆଇନରେ ପିଲାଙ୍କୁ ଫେଲ୍‌ ନକରିବା, ପ୍ରତ୍ୟେକ ଗାଁ ଓ ୱାର୍ଡ ସ୍ତରରେ ଶିଶୁ ସୁରକ୍ଷା ସମିତି ଗଠନ କରିବା, ଶିଶୁ ଯତ୍ନ ଅନୁଷ୍ଠାନରେ ୧୮ବର୍ଷ‌ରୁ ଉର୍ଦ୍ଧ୍ବ ପିଲାଙ୍କୁ ସ୍ବତନ୍ତ୍ର ଥଇଥାନ କରିବା, ୧୮ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କୌଣସି ଶ୍ରମରେ ନିୟୋଜନ ନକରିବା, ପ୍ର‌େତ୍ୟକ ସ୍କୁଲ, ହଷ୍ଟେଲ, ଆବାସିକ ବିଦ୍ୟାଳୟରେ ସିସିଟିଭି ବାଧ୍ୟତାମୂଳକ କରିବା, ଶିଶୁ ମିତ୍ର ସହର, ଶିଶୁ ମିତ୍ର ଗ୍ରାମ, ଶିଶୁ ମିତ୍ର ନିର୍ବାଚନ ମଣ୍ଡଳୀ ଗଠନ, ପିଲାଙ୍କ ସମସ୍ୟା ବୁଝିବା ଓ ସମାଧାନ ପାଇଁ ରାଜନୈତିକ ଦଳଗୁଡ଼ିକ ସ୍ବତନ୍ତ୍ର ସେଲ୍‌ ଗଠନ କରନ୍ତୁ, ଶିଶୁଙ୍କ ପାଇଁ ଥିବା ବିଭିନ୍ନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା, ଶିଶୁଙ୍କ ଉପରେ ହେଉଥିବା ହିଂସାକୁ ରୋକିବାକୁ ଆଇନକୁ କଡ଼ାକଡ଼ି ପାଳନ କରିବା ଭଳି ଦାବି ସମ୍ବଳିତ ପତ୍ରକୁ ବିଭିନ୍ନ ରାଜନୈତିକ ଦଳକୁ ଦେଇଛନ୍ତି।

ଓଏସିଆର୍‌ର ଅଧ୍ୟକ୍ଷ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଇସ୍ତାହାର କମିଟି ମୁଖ୍ୟ ଗଣେଶ୍ବର ବେହେରା, ବିଜେଡିର ସାଧାରଣ ସମ୍ପାଦିକା ସୁଲତା ଦେଓ, ବ‌ିଜେପିର ଇସ୍ତାହାର କମିଟି ସଦସ୍ୟା ତଥା ରାଜ୍ୟ ଉପସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ, ସିପିଆଇଏମ୍‌ ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ସିପିଆଇର ଜୟନ୍ତ ଦାସ ପ୍ରମୁଖ ପିଲାଙ୍କ ଠାରୁ ଦାବି ପତ୍ର ସଂଗ୍ରହ କରିବା ସହ ସେମାନଙ୍କ ଦଳ ଏହି ସବୁ ଦିଗ ଉପରେ ବିଚାର କରି ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ପିକକ୍‌ର ଅନୁରାଧା ମହାନ୍ତି, ରେଆରର ଗୌରୀଶ୍ୟାମ ପଣ୍ଡା, ଆଡପ୍ସନ ସେଣ୍ଟ୍ରମର ରୁବି ରାଉତ, ସଂଯୋଗର ପ୍ରଶାନ୍ତ ପାଲଟାସିଂହ, ୱାର୍ଲଡ ଭିଜନର ଅନଙ୍ଗ ଦେବ ସିଂହ, ଓଏଲ୍‌ଏସ୍‌ର ପ୍ରକାଶ ରଥ, ସିୱାଇଏସ୍‌ଡିର ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଏସିଆର କାର୍ଯ୍ୟକାରୀ କମିଟି ସଦସ୍ୟ ମହେଶ ଛାଟୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର