ଚିରଂଜୀବୀ କର

Advertisment

କଟକ: ରାଜ୍ୟର ବିଭିନ୍ନ ଜେଲରେ ଶିକ୍ଷାଦାନ ସୁଯୋଗ ସଂପୂର୍ଣ୍ଣ ପ୍ରହସନରେ ପରିଣତ ହୋଇଛି। ଜେଲ୍‌ ମାନୁଆଲ୍‌ରେ ନିୟମ କରି ଦିଆଯାଇଛି କିନ୍ତୁ ୮୭ଟି ଜେଲ୍‌ ପାଇଁ ମାତ୍ର ୨୩ଟି ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ରହିଛି। ସେଥିରୁ ପୁଣି ବହୁବର୍ଷ ହେଲା ୧୭ଟି ପଦବି ଖାଲି ପଡ଼ିଛି। ଏଭଳି ସ୍ଥିତିରେ ଅନ୍ୟ କଏଦୀଙ୍କୁ ପଢ଼ାଇବା ଦୂରର କଥା ଜେଲରେ ମହିଳା କଏଦୀଙ୍କ ସହ ରହୁଥିବା ଶିଶୁଙ୍କ ପାଇଁ ନର୍ସରି ଶିକ୍ଷା ଦେବା ବ୍ୟବସ୍ଥା ବି ହୋଇପାରୁନି।

୧୯୪୨ ପରେ ୨୦୨୦ ସେପ୍ଟେମ୍ବର ୨୯ରେ ଅର୍ଥାତ୍‌ ୭୮ବର୍ଷ ପରେ ଜେଲ୍ ପାଇଁ ନୂଆ ମାନୁଆଲ୍ ଗୃହ ବିଭାଗ ପକ୍ଷରୁ ଲାଗୁ ହୋଇଥିଲା। ନୂଆ ମାନୁଆଲ୍ ଅନୁଯାୟୀ, କଏଦୀଙ୍କ ସାମଗ୍ରିକ ବିକାଶ ସହ ଜେଲରୁ ବାହାରିଲା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଥିଲା। ପରୋକ୍ଷରେ ଏହା ଅପରାଧ ହ୍ରାସ କରିବାରେ ବି ସହାୟକ ହୋଇଥାଏ। ପ୍ରତ୍ୟେକ ଜେଲରେ ପର୍ଯ୍ୟାପ୍ତ ଶିକ୍ଷକ, ଶ୍ରେଣୀଗୃହ ଓ ପାଠାଗାର ଭଳି ସର୍ବନିମ୍ନ ସୁବିଧା ପ୍ରଦାନ ସମ୍ପର୍କରେ ଜେଲ୍‌ ମାନୁଆଲ୍‌ରେ ଗୁରୁତ୍ବ ଦିଆଯାଇଛି। ଜେଲ୍‌ଗୁଡ଼ିକରେ ଏନ୍‌ଆଇଓଏସ୍ ମାଧ୍ୟମରେ ମାଟ୍ରିକ ଓ ଯୁକ୍ତ୨ ପାଠ୍ୟକ୍ରମ ପ୍ରଦାନ ଏବଂ ଇନ୍ଦିର ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ) ମାଧ୍ୟମରେ ଯୁକ୍ତ ୩, ସ୍ନାତକୋତ୍ତର କୋର୍ସ ଯୋଗାଇ ଦିଆଯାଉଛି। ଏହାବାଦ ଧନ୍ଦାମୂଳକ ଶିକ୍ଷା ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। 
କିନ୍ତୁ ଜେଲ୍ ବିଭାଗର ଶିକ୍ଷା ବ୍ୟବସ୍ଥାକୁ ନେଇ ବାସ୍ତବ ଚିତ୍ର ଅତ୍ୟନ୍ତ ସାଂଘାତିକ। ଡିସେମ୍ବର ୩୦ ସୁଦ୍ଧା ରାଜ୍ୟରେ ମଞ୍ଜୁରିପ୍ରାପ୍ତ ଶିକ୍ଷକ ସଂଖ୍ୟା ୨୩ ଥିବାବେଳେ ମାତ୍ର ୬ ଜଣ ସ୍ଥାୟୀ ଶିକ୍ଷକ ଅଛନ୍ତି। ସେମାନେ ଭୁବନେଶ୍ବର, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ନାରୀ ବନ୍ଦୀ ନିକତେନ, ସମ୍ବଲପୁର ସର୍କଲ ଜେଲ୍, ଅନୁଗୁଳ ସର୍କଲ ଜେଲରେ ଅଛନ୍ତି। ସୁନ୍ଦରଗଡ଼ ଓ ରାଉରକେଲା ଜେଲରେ ଦୁଇଜଣ ଶିକ୍ଷକ ଡେପୁଟେସନରେ ଆସିଛନ୍ତି। ଫଳରେ ଅନ୍ୟ ୧୭ ଜେଲ୍‌ରେ ସ୍ଥାୟୀ ଶିକ୍ଷକ ନାହାନ୍ତି। ରାଜ୍ୟର ମୋଟ ୮୭ଟି ଜେଲରୁ ୨୩ଟି ଜେଲ୍ ପାଇଁ ଗୋଟିଏ ଲେଖାଏଁ ଶିକ୍ଷକ ପଦକୁ ମଞ୍ଜୁରି ମିଳିଥିବା ବେଳେ ୧୭ ଜେଲ୍‌ରେ ଶିକ୍ଷକ ନଥିବା ଘଟଣା ଯୋଜନାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

୮୭ ଜେଲ୍‌ ପାଇଁ ୨୩ ଶିକ୍ଷକ ପଦବି, ଖାଲିପଡ଼ିଛି ୧୭

ରାଜ୍ୟରେ ସମ୍ବଲପୁରର ଗୋଟିଏ ନାରୀ ବନ୍ଦୀ ନିକେତନ(ମହିଳା ଜେଲ୍) ସହିତ ୮୭ ଜେଲରେ ମହିଳା କଏଦୀ ସଂଖ୍ୟା ୫୮୬। ଏହି ମହିଳା କଏଦୀଙ୍କ ସହିତ ୩୬ ଶିଶୁ ଅଛନ୍ତି। କିନ୍ତୁ ଜେଲ୍‌ରେ ଥିବା ଶିଶୁଙ୍କୁ ସେମାନଙ୍କ ଶିକ୍ଷା ଅଧିକାରରୁ ଏକ ପ୍ରକାର ବଞ୍ଚିତ କରାଯାଉଛି। ଯଦି ପରିବାରରେ ଅନ୍ୟ କୌଣସି ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନାହିଁ, ତେବେ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ମା’ ନିକଟରେ ରହିବ। କୌଣସି ଶିଶୁ ୬ ବର୍ଷ ବୟସରେ ପହଞ୍ଚିଲେ ତାକୁ ମହିଳା ଓ ଶିଶୁ ବିକାଶ ବିଭାଗ କିମ୍ବା ସମାଜ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଗୃହରେ ରଖାଯିବ। ତିନି ବର୍ଷରୁ କମ୍ ବୟସର ପିଲାମାନଙ୍କୁ କ୍ରେଚ୍‌ ଏବଂ ତିନିରୁ ଛଅ ବର୍ଷ ମଧ୍ୟରେ ପିଲାମାନଙ୍କୁ ନର୍ସରି ସ୍କୁଲରେ ଯତ୍ନ ନିଆଯିବ। ଯଦି ଜେଲ୍‌ରେ ଏହି ବ୍ୟବସ୍ଥା ନାହିଁ, ତେବେ ଜେଲ୍ ପ୍ରଶାସନ ଉପଯୁକ୍ତ ସୁରକ୍ଷା ମଧ୍ୟରେ ପିଲାମାନଙ୍କୁ ଘରୋଇ ଭାବେ ପରିଚାଳିତ କ୍ରେଚ୍‌ ଓ ନର୍ସରି ସ୍କୁଲକୁ ପଠାଇବାର ବ୍ୟବସ୍ଥା କରିପାରିବେ। ଏଥିପାଇଁ ପିଲମାନଙ୍କ ସହିତ ଜଣେ ମହିଳା ଗାର୍ଡ ମଧ୍ୟ ଯୋଗାଇ ଦିଆଯିବ। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ପରିବହନ ଦେୟ ଏବଂ କ୍ରେଚ୍ ଦେୟ ଜେଲ୍‌ କର୍ତ୍ତୃପକ୍ଷ ବହନ କରିବେ। କିନ୍ତୁ କୌଣସି ଜେଲରେ ନର୍ସରି ବ୍ୟବସ୍ଥା ନାହିଁ କି ଏଥିପାଇଁ ଶିକ୍ଷକ ବି ନାହାନ୍ତି।  ନୂଆ ଜେଲ୍ ମାନୁଆଲ୍ ଅନୁଯାୟୀ, ୬ ଜଣ କଏଦୀ ପିଛା ଜଣେ ଵାର୍ଡର ରହିବେ। କିନ୍ତୁ ଭୁବନେଶ୍ବର ଝାରପଡ଼ା ଭଳି ଜେଲରେ ୩୦ କଏଦୀରେ ଜଣେ ଵାର୍ଡର, କଟକ ଚୌଦ୍ବାର ସର୍କଲ ଜେଲରେ ୧୨ କଏଦୀରେ ଜଣେ ଵାର୍ଡର ରହିଥିବା ବେଳେ ଅନ୍ୟ ଜେଲ୍‌ରେ ବି ଅବସ୍ଥା ଶୋଚନୀୟ।  ପିଲାଙ୍କୁ ବାହାରକୁ ପଢ଼ାଇବାକୁ ନେବା ଆଣିବାରେ ଅତି କମ୍‌ରେ ଦୈନିକ ଜଣେ ମହିଳା ଗାର୍ଡଙ୍କ ଆବଶ୍ୟକତା ରହିଛି। ସେତକ ବି ଯୋଗାଇବାରେ ଜେଲ୍ ବିଭାଗ ଅସହାୟ ହୋଇପଡ଼ିଛି।