ଯାଜପୁର/ବ୍ୟାସନଗର : ୫ ବର୍ଷ ତଳେ ବ୍ୟାସନଗର ପୌର ସଂସ୍ଥା ପକ୍ଷରୁ ନିର୍ମିତ ଏକ ଶିଶୁ ଉଦ୍ୟାନ ଏବେ ଭଡ଼ାରେ ଲାଗିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଗୋଟିଏ ପଟେ ପୌର ସଂସ୍ଥା ରାଜନୀତିରେ ମାତିଥିବାବେଳେ ଅନ୍ୟପଟେ ଏହି ଘଟଣା ଶିଶୁମାନଙ୍କ ମାନସିକତା ଉପରେ ଏକ ପ୍ରଚଣ୍ଡ ପ୍ରହାର ବୋଲି ଲୋକମାନେ କହିଛନ୍ତି।

Advertisment

ବ୍ୟାସନଗର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବ୍ୟାସନଗର ପୌରସଂସ୍ଥା ପକ୍ଷରୁ ଦଳାଛକଠାରେ ଏକ ଶିଶୁ ଉଦ୍ୟାନ ଖୋଲାଯାଇଥିଲା। ଏହା ହେଉଛି ସହରର ଏକମାତ୍ର ଶିଶୁଉଦ୍ୟାନ। ଏହା ଛୋଟଛୋଟ ପିଲାମାନଙ୍କ ମନୋରଞ୍ଜନ ପାଇଁ ଏକ ମାଧ୍ୟମ ଥିଲା। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ, ଗତ ୫ବର୍ଷ ମଧ୍ୟରେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଧ୍ୱଂସ ପାଇଯାଇଛି। ନିକଟରେ ଏହି ଉଦ୍ୟାନକୁ ନିଆଁ ଲଗାଇ ପୋଡ଼ି ଦିଆଗଲା। ଅଥଚ ପୌର ସଂସ୍ଥା ତା ଉପରେ ଏତଲା ମଧ୍ୟ କଲା ନାହିଁ।

ଏବେ ଏହି ଶିଶୁ ଉଦ୍ୟାନକୁ ପୌର ସଂସ୍ଥା ଭୋଜିଭାତ ଓ ଉତ୍ସବ ପାଇଁ ଭଡ଼ା ଦିଆଯାଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସାମ୍ବାଦିକ ଅଭୟ ପତି ଅଭିଯୋଗ କରିଛନ୍ତି ଯେ, ‘ମହିଳା କଲେଜ୍‌ ନିକଟରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ଭୂଇଁରୁ ଉଠିପାରୁ ନଥିବା ବେଳେ ପୂର୍ବରୁ ଥିବା ଶିଶୁ ଉଦ୍ୟାନକୁ ପୌର ସଂସ୍ଥା ଭଡ଼ା ଦେବା ଘଟଣା ଏକ ହୀନ ମାନସିକତା।’ ତତ୍କାଳୀନ ଅଧ୍ୟକ୍ଷା ତଥା କାଉନ୍‌ସିଲର୍‌ ବନ୍ଦିତା ପରିଡ଼ା ମଧ୍ୟ ଏହାର ତୀବ୍ର ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ, କେତେକ ବ୍ୟକ୍ତି ନିଜର ନାମ ଗୁପ୍ତ ରଖି କହିଛନ୍ତି ଯେ, ଶିଶୁ ଉଦ୍ୟାନ ପାର୍ଶ୍ୱରେ ମଦ ଦୋକାନ ଥିବାରୁ ଭବିଷ୍ୟତରେ ପ୍ରତିବାଦର ସ୍ୱର ତୀବ୍ର ହେବା ନେଇ ଆଶଙ୍କା ରହିଛି। ଯାହାକୁ ଦୃଷ୍ଟିରେ ରଖି ଏପରି ଏହି ହୀନ ଉଦ୍ୟମ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ଆନ୍ଦୋଳନ ଦାନା ବାନ୍ଧୁଥିବାର ଦେଖିବାକୁ ମିଳିଛି।