ବୀରମହାରାଜପୁର: ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ବିଦ୍ୟାଳୟଠାରେ ରବିବାର ‘ସମ୍ବାଦ’ ପକ୍ଷରୁ  ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଜ୍ଞାନିକ ଯୁଗରେ ପରିବେଶ ସନ୍ତୁଳନ ନିହାତି ଜରୁରି। ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଆମେ ସମସ୍ତ ଋତୁ ଜାଣିପାରୁ ନାହୁଁ। କେତେବେଳେ ବର୍ଷା ହେଉଛି ତ କେତେବେଳେ ଖରା। ବର୍ଷାଦିନେ ଏଭଳି ଗରମ ଅନୁଭୂତ ହେଉଛି ଯେ ଏସି ବ୍ୟବହାର କରିବାକୁ ପଡୁଛି। ସୁସ୍ଥ ଜୀବନ ଯାପନ ଏବଂ ଆଗାମୀ ଭବିଷ୍ୟତ ପାଇଁ ଆମକୁ ବୃକ୍ଷରୋପଣ କରିବାକୁ ପଡ଼ିବ। ସରକାର ଏବେ ବହୁଳ ଭାବରେ ବୃକ୍ଷରୋପଣ ପାଇଁ  ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

Advertisment

ପ୍ରଚୁର ପରିମାଣର ବୃକ୍ଷରୋପଣ ନ କଲେ, ବର୍ଜ୍ୟବସ୍ତୁ ଠିକ୍‌ ଭାବେ ପରିଚାଳନା ନ କଲେ ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ନ ରୋକିଲେ ପରିବେଶ ବିଷମୟ ହୋଇଯିବ। ତେଣୁ ପରିବେଶକୁ ବଞ୍ଚାଇବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟଅତିଥି ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶ୍ରୀ ଜଗଦଲା ନିଜ ନିଜ ଘର ଅଗଣାରେ ଛାତ୍ରଛାତ୍ରୀମାନଙ୍କୁ ଜନ୍ମଦିନରେ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ ବୀରମହାରାଜପୁର ପ୍ରତିନିଧି ରାଧାକାନ୍ତ ବାଘଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ ମୁଖ୍ୟବକ୍ତା, ସାମ୍ବାଦିକ ଶେଷଦେବ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ପରିବେଶ ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷକ ଅକ୍ଷୟ ରାଏ ସଭା ସଂଯୋଜନା କରିଥିବାବେଳେ ‘କନକ ନ୍ୟୁଜ୍‌’ ଜିଲ୍ଲା ପ୍ରତିନିଧି ନରୋତ୍ତମ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଚାନନ ମେହେର ଓ ମାନଭଞ୍ଜନ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।