୮ରେ ପିଲାମାନେ ଖାଇବେ କୃମିନାଶକ ଔଷଧ

ଭୁବନେଶ୍ବର : ଆସନ୍ତା ୮ତାରିଖରେ ରାଜ୍ୟବ୍ୟାପୀ ପିଲାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ଜାତୀୟ କୃମି ନାଶକ ଦିବସ ଅଭିଯାନରେ ୧ରୁ ୧୯ବର୍ଷ ପର୍ଯ୍ୟନ୍ତ ୧କୋଟି ୩୦ଲକ୍ଷ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ। ଯେଉଁ ପିଲାମାନେ ଅସୁସ୍ଥ କିମ୍ବା ଅନୁପସ୍ଥିତ ରହିବା କାରଣରୁ ଏହି ଦିନ ବଟିକା ଖାଇ ନ ପାରିବେ ସେମାନଙ୍କୁ ଫେବ୍ରୁଆରି ୧୪ତାରିଖରେ ଏହି ବଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ହୋଟେଲ ଏକ୍ସଲେନ୍‌ସିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦେଶକ ଡା.ଲିଙ୍ଗରାଜ ମିଶ୍ର କହିଲେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ୬ ମାସରେ ଥରେ ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କୃମିନାଶକ ଔଷଧ ଓ ୯ମାସରୁ ୫ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଭିଟାମିନ୍‌ ଦ୍ରବଣ ଖାଇବାକୁ ଦିଆଯାଉଛି। ସ୍ବାସ୍ଥ୍ୟ ବିଭାଗ ବାଦ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏହି ଅଭିଯାନରେ ସାମିଲ ହେଉଛି। ରାଜ୍ୟର ସମସ୍ତ ସରକାରୀ, ବେସରକାରୀ, ସରକାରୀ ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ବଟିକା ଖାଇବାକୁ ଦିଆଯିବ। ଶିକ୍ଷକ, ମହିଳା ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ଏହି ବଟିକା କିଭଳି ଖାଇବାକୁ ଦିଆଯିବ ସେ ସ˚ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ୧-୩ବର୍ଷ ବୟସର ପିଲାଙ୍କୁ କୃମିନାଶକ ସିରପ୍‌ ଓ ୪-୫ବର୍ଷ ପିଲାଙ୍କୁ କୃମିନାଶକ ବଟିକା ଗୁଣ୍ତ କରି ପାଣିରେ ମିଶାଇ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଦାନ କରାଯିବ। ୬-୧୯ବର୍ଷର ପିଲାଙ୍କୁ ବଟିକା ପ୍ରଦାନ କରାଯିବ। ସେହିପରି ଯେଉଁ ପିଲାମାନେ ବିଦ୍ୟାଳୟକୁ ଯାଉ ନାହାନ୍ତି ସେମାନଙ୍କୁ ଅଙ୍ଗନବାଡ଼ି କର୍ମୀ ଓ ଦମନ ସ୍ବେଚ୍ଛାସେବୀଙ୍କ ଦ୍ବାରା ଏହାକୁ ପ୍ରଦାନ କରାଯିବାକୁ ଯୋଜନା ହୋଇଛି ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି।

ଡା.ପ୍ରମିଳା ବରାଳ କହିଲେ, ରାଜ୍ୟରେ କୃମିନାଶକ ଔଷଧ ଦିଆଯାଉଥିବା ବେଳେ ଅନୁଗୁଳ, ଭଦ୍ରକ, ଗ˚ଜାମ ଓ ନୟାଗଡ଼ ଜିଲ୍ଲାରେ ୨ବର୍ଷରୁ ଅଧିକ ପିଲା/ଲୋକମାନଙ୍କୁ ଫାଇଲେରିଆ ବଟିକା ଦିଆଯିବ। ଏହି ୪ଜିଲ୍ଲାରେ ୫୪ଟି ବ୍ଲକ୍‌ରେ ୭୫ଲକ୍ଷ ଲୋକଙ୍କୁ ଏହି ବଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୪ହଜାର ଡ୍ରଗ୍‌ ଆଡମିନିଷ୍ଟ୍ରେଟରଙ୍କ ଜରିଆରେ ଏହି ବଟିକା ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟର ୨୦ଟି ଜିଲ୍ଲାରେ ଫାଇଲେରିଆ ସର୍ବେକ୍ଷଣ ହୋଇଥିଲା। ୧୧ଟି ଜିଲ୍ଲା ଫାଇଲେରିଆ ମୁକ୍ତ ହୋଇଥିବା ବେଳେ ଅନ୍ୟ ୯ଟି ଜିଲ୍ଲାରେ ଆସନ୍ତା ସେପ୍ଟେମ୍ବର ମାସରେ ଏହି ବଟିକା ପ୍ରଦାନ କରାଯିବ। ରାଜ୍ୟର ପ୍ରଥମ ଜିଲ୍ଲାଭାବେ କୋରାପୁଟ ଫାଇଲେରିଆମୁକ୍ତ ହୋଇପାରିଛି। ଏହି ଦିନ କୌଣସି ପ୍ରକାର ସମସ୍ୟା ପାଇଁ ରାପିଡ୍‌ ରେସପନ୍‌୍‌ସ ଟିମ୍‌ ବା ଆରଆରଟି ଗଠନ କରାଯାଇଛି। ପ୍ରତ୍ୟେକ ସିଏଚ୍‌ସି ଓ ପିଏଚ୍‌ସି ସ୍ତରରେ ଏହା କାର୍ଯ୍ୟ କରିବ ବୋଲି ଡା.ବରାଳ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନ୍ୟୁଟ୍ରିସନ୍‌ର ଉପ-ନିର୍ଦେଶକ ଡା.ବିଶ୍ବର˚ଜନ ପାଢ଼ୀ ଓ ୟୁନିସେଫ୍‌ର କମ୍ୟୁନିକେସନ୍‌ ସ୍ପେସାଲିଷ୍ଟ ଅଳକା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର