ବିନା ଇଞ୍ଜେକସନ୍‌ରେ ପିଲା ନେବେ ଟିକା

ବ୍ୟବହାର ହେବ ଫାର୍ମା ଜେଟ୍‌ ଟେକ୍‌ନୋଲୋଜି
ଭର୍ଚୁଆଲରେ ତାଲିମ୍ ନ‌େଲେ ୧୦ ସ୍ବାସ୍ଥ୍ୟ ଅଧିକାରୀ

ଭୁବନେଶ୍ୱର : ପିଲାମାନଙ୍କୁ କରୋନା ଟିକା ଦେବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଭାଇକଭ୍‌-ଡି ପିଲାମାନଙ୍କୁ ଦେବା ଲାଗି ନିକଟରେ ଡିସିଜିଆଇ ଅନୁମତି ଦେଇଛନ୍ତି। ପିଲାମାନେ ଛୁଞ୍ଚିକୁ ଡରୁଥିବାରୁ ସେମାନଙ୍କ ପାଇଁ ନୂଆ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ହେବ। ଫାର୍ମା ଜେଟ୍‌ ଟେକ୍‌ନୋଲୋଜି ଜରିଆରେ ପିଲାମାନଙ୍କୁ ଟିକା ଦିଆଯିବ। ଯାହାଫଳରେ ପିଲାମାନେ ଛୁଞ୍ଚିର ଯନ୍ତ୍ରଣାରୁ ମୁକ୍ତ ହୋଇପାରିବେ। ତେବେ ଏହି ନୂଆ ଟେକ୍‌ନୋଲୋଜିକୁ କିଭଳି ବ୍ୟବହାର କରାଯିବ ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତାଲିମ୍ ଆରମ୍ଭ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୧୦ଜଣ ଟେକ୍‌ନିସିଆନ୍ ଭର୍ଚୁଆଲ ମୋଡରେ ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି ଭାଇକଭ-ଡି ଟିକା ୧୨ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇ ପାରିବ। ଆଜି ସଂଧ୍ୟାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟରୁ ୧୦ଜଣ ଟେକ୍‌ନିସିଆନ୍ ଅଂଶଗ୍ରହଣ କରିଥିଲେ। ଯେହେତୁ ପିଲାମାନଙ୍କୁ ଛୁଞ୍ଚିରେ ଇଞ୍ଜେକସନ୍ ଦିଆଯିବ ନାହିଁ, ସେଥିପାଇଁ ଫାର୍ମା ଜେଟ୍‌ର ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧରେ ତାଲିମ୍ ଦିଆଯାଇଛି। ଆଗକୁ କେବେ ଜିଲ୍ଲାସ୍ତରରେ ଏହାର ତାଲିମ୍ ଦିଆଯିବ ତାହା ସଂପର୍କରେ କେନ୍ଦ୍ରରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କେବଳ ତାଲିମ୍ ନୁହେଁ, କେବେ ଟିକା ଆସିବ ଓ କେବେଠାରୁ ଟିକାକରଣ ଆରମ୍ଭ ହେବ ତାହା ସଂପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି କୁହାଯାଇଛି।

ଅପରପକ୍ଷରେ ରାଜ୍ୟରେ ୨ରୁ ୧୮ବର୍ଷ ଭିତରେ ୧.୪ କୋଟି ଶିଶୁ ରହିଛନ୍ତି। ଜାଇକଭ-ଡି ଟିକାକୁ ୧୨ବର୍ଷରୁ ଅଧିକ ଲୋକ ନେଇପାରିବେ। ଏକାସାଙ୍ଗରେ ପିଲାମାନଙ୍କ ପାଇଁ ଟିକାକରଣ କରିବା ଲାଗି ଟିକାକରଣ କେନ୍ଦ୍ର ବଢ଼ାଯିବ। ପିଲାମାନଙ୍କୁ ଟିକା ଦେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ରଭାବେ ଏସ୍‌ଓପି ଜାରି କରାଯିବ। ସେହି ଅନୁଯାୟୀ ରାଜ୍ୟରେ ଟିକାକରଣ ଆରମ୍ଭ ହେବ ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଜାଇକଭ-ଡି ବାଦ୍ କୋଭାକ୍ସିନ୍‌କୁ ମଧ୍ୟ ପିଲାମାନଙ୍କୁ ଦେବା ପାଇଁ ଅନୁମୋଦନ ମିଳିଛି। ମାତ୍ର ତାହା କେବେ ଉପଲବ୍ଧ ହେବ ତାହା ସଂପର୍କରେ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ।

ରାଜ୍ୟରେ ଆଜି ୨ଲକ୍ଷ ୫୮ହଜାର ୬୦୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏଥିରେ ଯୁବ ବର୍ଗରେ ୯୧,୭୮୧ ପ୍ରଥମ ଓ ୮୬,୫୭୯ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୩୯,୭୫୭ ପ୍ରଥମ ଓ ୩୯,୮୮୦ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୩କୋଟି ୫୩ଲକ୍ଷ ୫୭ହଜାର ୭୦ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୨ଲକ୍ଷ ୩୮ହଜାର ୪୮୦ ଗର୍ଭବତୀ ମହିଳା ମଧ୍ୟ ଟିକା ନେଇଛନ୍ତି। ରାଜ୍ୟରେ ଏବେ ୩୦ଲକ୍ଷରୁ ଅଧିକ ଟିକା ମହଜୁଦ ରହିଛି। ଏହାସତ୍ବେ ମଧ୍ୟ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଦୈନିକ ଲକ୍ଷ୍ୟ ହାସଲ ହୋଇପାରୁ ନାହିଁ। ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଟିକାକରଣ ଧିମେଇ ଯାଇଥିବାରୁ ଏହି ଲକ୍ଷ୍ୟ ହାସଲ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଲାଣି।

ସମ୍ବନ୍ଧିତ ଖବର