ଭୁବନେଶ୍ବର: ବଢ଼ୁଛି ଦୁର୍ଘଟଣା। ପ୍ରତିଦିନ ରାଜ୍ୟରେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଉଛି। କେଉଁଠି ଦ୍ରୁତଗତି ଯୋଗୁଁ ତ ଆଉ କେଉଁଠି ରାସ୍ତା ପାର ସମୟରେ ସମସ୍ୟା ଯୋଗୁଁ ଅନେକ ନିରିହ ଜୀବନ ଚାଲିଯାଉଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ ଯୋଗୁଁ ମଧ୍ୟ ପ୍ରତିବର୍ଷ ଦୁର୍ଘଟଣାରେ ହଜାର ହଜାର ଜୀବନ ଅକାଳରେ ଚାଲି ଯାଉଛି। ନିୟମକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅମାନିଆଙ୍କୁ ନିୟନ୍ତ୍ରଣ କରି ହେଉନି। ଏବେ ଓଡ଼ିଶାରେ ସ୍ଥିତି ଏମିତି ହେଲାଣି ଯେ ପ୍ରତି ମାସରେ ପାଖାପାଖି ୫୦୦ ଲୋକଙ୍କ ଜୀବନ ଯାଉଛି। ଯେଉଁଥିରେ ବହୁ ସଂଖ୍ୟକ ଛୋଟ ପିଲା ମଧ୍ୟ ଅଛନ୍ତି। ଦୁର୍ଘଟଣାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଟ୍ରାଫିକ୍ ସଚେତନତା ହେଉଥିବା ବେଳେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ସ୍ତରରେ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ସଚେତନ କରିବାକୁ ନିଷ୍ପତ୍ତି ହୋଇଛି।
ଜୁଲାଇ ୨୯ରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ। ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଯେପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ନିର୍ଦ୍ଧାରିତ ତାରିଖର ଶେଷ ଦୁଇଟି ପିରିୟଡ୍ରେ ଏସମ୍ପର୍କରେ ଆଲୋଚନା ହେବ। ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପିତାମାତାଙ୍କ ସହ ଯୋଗଦେବେ। କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଟ୍ରାଫିକ୍ ସାଇନ୍ବୋର୍ଡ, ସିଗ୍ନାଲ୍ ଲାଇଟ୍, ଜେବ୍ରା କ୍ରସିଂ ଆଦି ବିଷୟରେ ତାଲିମ ଦିଆଯିବ। ଗାଡ଼ି ଚଳାଇବା ସମୟରେ କେଉଁ ଲାଇଟ୍ ଜଳିଲେ ଗାଡ଼ି ଚାଲିବ, କେଉଁ ଲାଇଟ୍ରେ ଗାଡ଼ି ଜେବ୍ରା କ୍ରସିଂ ପୂର୍ବରୁ ରହିବ, ରାସ୍ତା ପାର ହେବା ସମୟରେ କିଭଳି ବାମ ଓ ଡାହାଣ ପାର୍ଶ୍ବକୁ ଦେଖିବେ ସେ ବିଷୟରେ ଅବଗତ କରାଯିବ। ରାସ୍ତାରେ ଯିବା ସମୟରେ ମୋବାଇଲ୍ରେ କଥା ନ ହେବା, ଗୀତ ନ ଶୁଣିବା, ଇୟର ଫୋନ୍ ବ୍ୟବହାର ନ କରିବା, ଖବରକାଗଜ/ବହି ଇତ୍ୟାଦି ନ ପଢ଼ିବା ଏବଂ ହୋର୍ଡିଂ ନ ଦେଖିବାକୁ ପରାମର୍ଶ ଦିଆଯିବ। ଏପରିକି ସାଙ୍ଗସାଥୀଙ୍କ ସହ ରାସ୍ତା ମଝିରେ ଠିଆ ହୋଇ ବାର୍ତ୍ତାଳାପ ଏବଂ ସାମ୍ନାରେ ଯାଉଥିବା ଗାଡ଼ିକୁ ଅତିକ୍ରମ କରିବା ସମୟରେ ଡାହାଣପଟେ ଅତିକ୍ରମ କରିବାକୁ ମଧ୍ୟ କୁହାଯିବ।
ଜିଲ୍ଲାରେ ଥିବା ହେଲ୍ପଲାଇନ୍ର ନୋଡାଲ ଅଫିସର ଆବଶ୍ୟକ ଅନୁଯାୟୀ ବିଷୟବସ୍ତୁ ଓ ନିୟମାବଳୀକୁ ପ୍ରତି ବିଦ୍ୟାଳୟରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଶ୍ରେଣୀ ଅନୁଯାୟୀ ଆଲୋଚନା କରିବାକୁ ଦାୟିତ୍ବ ଦିଆଯିବ। ଆଲୋଚନା ସମୟରେ ସେମାନେ ଚିତ୍ରଗୁଡ଼ିକ କଳାପଟାରେ ଆଙ୍କି ପିଲାଙ୍କୁ ବୁଝାଇବାକୁ ଚେଷ୍ଟା କରିବେ। ବିଦ୍ୟାଳୟସ୍ତରରେ ଏହି କାର୍ଯ୍ୟକ୍ରମ ଯେପରି ସୂଚାରୁରୂପେ ପରିଚାଳନା କରାଯାଇପାରିବ ସେଥିପାଇଁ ଜିଲ୍ଲା ନୋଡାଲ ଅଫିସରମାନେ ଦୃଷ୍ଟି ଦେବେ। ସୁବିଧା ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମର ଫଟୋ ଉଠାଇ ପଠାଇବାକୁ କୁହାଯାଇଛି।
ସୂଚନା ଅନୁଯାୟୀ ଟ୍ରାଫିକ୍ ନିୟମ ସମ୍ପର୍କରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅବଗତ କରିବାକୁ ଗତ ଏପ୍ରିଲ ୨୨ରେ ଏକ କାର୍ଯ୍ୟକ୍ରମ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ମାତ୍ର ଗ୍ରୀଷ୍ମ ଛୁଟି ପାଇଁ କାର୍ଯ୍ୟକ୍ରମ ହୋଇପାରି ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/road-safety.jpg)