ପିଲା ପଢ଼ିବେ ସାଇବର ପାଠ, ପ୍ରସ୍ତୁତ ହେବ ସାଇବର ସୁରକ୍ଷା ହ୍ୟାଣ୍ଡବୁକ୍‌

‘ସାଇବର ସେଫ୍‌’ ପାଠ୍ୟକ୍ରମ ପାଇଁ ପରାମର୍ଶ
ଉଚ୍ଚଶିକ୍ଷାନୁଷ୍ଠାନରେ ହେବ କର୍ମଶାଳା, ହାକାଥନ୍‌

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି ସାଇବର ଅପରାଧ। ସାରା ଦେଶରେ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଠକାମିର ଶିକାର ହେଉଛନ୍ତି। ବିଶେଷକରି ଯୁବପିଢ଼ି ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ଯେଉଁଥିରେ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯାଇଛି। ସେମାନଙ୍କୁ ସାଇବର୍‌ ନିରାପତ୍ତା ସମ୍ପର୍କରେ ସଚେତନ କରିବା ସହ ନିୟମିତ ଭାବେ ଉଚ୍ଚ ଶିକ୍ଷାନୁଷ୍ଠାନରେ ସାଇବର ଅପରାଧ ସମ୍ପର୍କରେ କର୍ମଶାଳା, ପ୍ରତିଯୋଗିତା, ହାକାଥନ୍‌ ଆୟୋଜନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହାକୁ ଆଧାର କରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇ ସାଇବର ଅପରାଧ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ କହିଛନ୍ତି ଯେ ସାଇବର ନିରପତ୍ତା ସମ୍ପର୍କରେ ଅଧିକ ପ୍ରାଥମିକତା ଦେବାକୁ ପଡ଼ିବ। ଗତ ଫେବ୍ରୁଆରିରେ ଏନେଇ ଉଚ୍ଚ ଶିକ୍ଷାନୁଷ୍ଠାନକୁ କୁହାଯାଇଥିଲା। ତେବେ ଅଧିକାଂଶ ଶିକ୍ଷାନୁଷ୍ଠାନ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ନଥିବା ଜଣାପଡ଼ିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଟୁଇଟର୍‌ ‘@CyberDost’ ସମ୍ପର୍କରେ ଅଧିକ ପ୍ରଚାରପ୍ରସାର କରିବା, ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ‘ନ୍ୟାସନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ’ https://cybercrime.gov.in ସମ୍ପର୍କରେ ଜଣାଇବା, ଆଞ୍ଚଳିକ ଭାଷାରେ ସାଇବର୍‌ ସମ୍ପର୍କିତ ପୁସ୍ତକ ପ୍ରକାଶ କରିବା ଦିଗ‌ରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଦରକାର। ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଇଞ୍ଜିନିୟରିଂ, ବିଜ୍ଞାନ, ବାଣିଜ୍ୟ, ମ୍ୟାନେଜ୍‌ମେଣ୍ଟ, କଳା, ଡାକ୍ତରୀ, ବିଜନେସ୍‌ ଆଡମିନି‌ଷ୍ଟ୍ରେସନ୍‌ ପ୍ରଭୃତି ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏକକ ‘ସାଇବର ସେଫ୍‌’ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ। ଛାତ୍ରଛାତ୍ରୀମାନେ ସାଇବର ନିରାପତ୍ତା ଉପରେ କ’ଣ କରିବେ ଓ ନ କରିବେ ସେନେଇ ଏକ ‘ବେସ୍‌ଲାଇନ୍‌ ପଲିସି’ ପ୍ରସ୍ତୁତ କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍‌ ୟୁନିୟନ୍ (ଆଇଟିୟୁ) ପକ୍ଷରୁ ଜାରି କରାଯାଇଥିବା ବିଶ୍ବ ସାଇବର ନିରାପତ୍ତା ସୂଚୀ ୨୦୨୦ରେ ଭାରତ ଶ୍ରେଷ୍ଠ ୧୦ଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି। ୨୦୧୮ରେ ଜାରି କରାଯାଇଥିବା ସୂଚୀରେ ଭାରତ ୪୭ତମ ସ୍ଥାନରେ ଥିଲା। ତେବେ ୨୦୨୦ରେ ଚୀନ୍ ଓ ପାକିସ୍ତାନଠାରୁ ଭାରତ ବହୁତ ଉନ୍ନତ ସ୍ଥିତିରେ ରହିଛି। ଚୀନ୍‌ ୩୩ତମ ଓ ପାକିସ୍ତାନ ୭୯ତମ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ପଛକୁ ପଛ ବ୍ରିଟେନ୍, ସାଉଦି ଆରବ, ଇଷ୍ଟୋନିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର, ସ୍ପେନ୍, ରୁଷିଆ, ୟୁଏଇ, ମାଲେସିଆ, ଲିଥୁଆନିଆ, ଜାପାନ, କାନାଡା, ଫ୍ରାନ୍ସ ଓ ଭାରତ ରହିଛନ୍ତି। ମହାମାରୀ ପରେ ସାଇବର୍ ଅପରାଧରେ ବଡ଼ଧରଣର ବୃଦ୍ଧି ଘଟିଛି। ତେବେ ଏହି ସମସ୍ୟାର ସମାଧାନ ଦିଗରେ ଭାରତ ଠୋସ୍‌ ପଦକ୍ଷେପ ଗ୍ରହଣ କରୁଥିବାରୁ ଏହାର ସ୍ଥିତିରେ ଉନ୍ନତି ପରିଲକ୍ଷିତ‌ ହୋଇଛି।

ସମ୍ବନ୍ଧିତ ଖବର