୨୬୧ ବିପଦସଙ୍କୁଳ ସ୍କୁଲରେ ଚାଲିଛି ପିଲାଙ୍କ ପାଠ ପଢ଼ା
କମିଟି ଗଠନ ହେଲା, ସବୁ କାଗଜପତ୍ରରେ ରହିଗଲା
ଜଗତସିଂହପୁର, (ସନ୍ଦୀପ ଲେଙ୍କା): ମାତ୍ର ୯ କୋଟି ଟଙ୍କା ଖର୍ଚ୍ଚକୁ ଡରି ହଜାର ହଜାର କୋମଳମତି ଶିଶୁଙ୍କ ଜୀବନ ସହ ଖେଳଚାଲିଛି। ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦେଶକୁ ଫାଙ୍କି ଦେଇଛନ୍ତି; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରାଯିବା ପରେ ବି କୌଣସି ସୁଫଳ ମିଳିପାରିନାହିଁ। ଏହା ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ। ଜଗତସିଂହପୁର ଜିଲ୍ଲାର ଏ ଘଟଣା, ଯେଉଁଠାରେ ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୨୬୧ଟି ବିପଦସଙ୍କୁଳ ବିଦ୍ୟାଳୟରେ ପାଖାପାଖି ୩୦ହଜାରରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟ ସବୁ ଏବେ ବିପଦସଙ୍କୁଳ ଘୋଷଣା ହୋଇଛି ତା’ ବି ନୁହେଁ। ୨୦୧୪ ମସିହାରେ ରାଜ୍ୟ ମାନବାଧିକାର କମିସନ ବିପଦସଂକୁଳ ଅବସ୍ଥାରେ ଥିବା ସ୍କୁଲ ଗୁଡ଼ିକୁ ତୁରନ୍ତ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ସବୁ ପୁରୁଣା କୋଠା ମରାମତି ପାଇଁ ବି ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଥିଲା। ଏସବୁ ଆଜି ବି ସେଇଠି ଅଟକିଛି ଓ ଅଭିଭାବକମାନେ ଅତ୍ୟନ୍ତ ଭୟଭୀତ ହୋଇ ନିଜ ପିଲାମାନଙ୍କୁ ଏସବୁ ବିଦ୍ୟାଳୟକୁ ପଠାଉଛନ୍ତି।
ସବୁଠାରୁ କୌତୂହଳ କଥା ହେଲା, ନିକଟରେ ତିର୍ତ୍ତୋଲ ଉପନିର୍ବାଚନ ହେଲା। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧୀ ରାଜନୈତିକ ଦଳମାନେ ସମସ୍ତେ ପ୍ରତିଶ୍ରୁତିର ପାହା଼ଡ ଠିଆ କରିଦେଲେ। ଏମିତି ଭାଷଣବାଜି ଚାଲିଲା ଯେ ଯେମିତି ଜଗତସିଂହପୁର ଜିଲ୍ଲା ନକ୍ସା ବଦଳିଯିବ। ହେଲେ ବାସ୍ତବତା ହେଲା, ତିର୍ତ୍ତୋଲ ବ୍ଲକ୍ ବିରିତୋଳ ପଞ୍ଚାୟତ ସମିତି ସଭ୍ୟ ବିଜୟିନୀ ମଲ୍ଲିକ ଏହି ଅସୁରକ୍ଷିତ ବିଦ୍ୟାଳୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରିଥିଲେ ହେଁ, ନ୍ୟାୟ ମିଳିପାରିନାହିଁ।
ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ, ଅବଦୁଲ ରହିମ ଉଚ୍ଚ ବିଦ୍ୟାଳୟ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏଠାରେ ପ୍ର୍ରାୟ ୨୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେହିପରି ଜଡ଼ତିରା ପଞ୍ଚାୟତର ବନ୍ଧବାଟି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ରହିଛି। ୧୯୯୯ ମହାବାତ୍ୟା ପରେ ଏହି ସ୍କୁଲ ସହ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ମାତ୍ର ନିମ୍ନ ମାନର କାମ ଯୋଗୁଁ ୨୦୧୨ ମସିହାରେ ଏହାକୁ ବିପଦସଂକୁଳ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ଭଙ୍ଗାଯାଇନାହିଁ। ଅନ୍ୟପକ୍ଷରେ ପିଲାମାନଙ୍କର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ।
ଏହା ଦୁଇଟି ଉଦାହରଣ ମାତ୍ର। ଆହୁରି ଏମିତି ଶତାଧିକ ସ୍କୁଲ ରହିଛି, ଯେଉଁଠିକି ପିଲାଟି ପଢ଼ିବାକୁ ଯାଇ ଫେରିବ କି ନାହିଁ କହିବା ମୁସ୍କିଲ। ଅଭିଭାବକମାନଙ୍କର ଅଭିଯୋଗ ହେଉଛି, କରୋନାଠାରୁ ଛୋଟ ଛୋଟ ପିଲାମାନଙ୍କୁ ବଞ୍ଚାଇବା ଲାଗି ରାଜ୍ୟ ସରକାର ମାସ ମାସ ଧରି ସ୍କୁଲକୁ ବନ୍ଦ ରଖିଲେ। ମାତ୍ର କରୋନାଠାରୁ ବଡ଼ ବିପଦ ଯେ ପିଲାମାନଙ୍କ ମୁଣ୍ଡରେ ଝୁଲୁଛି, ଏହା ସରକାରଙ୍କୁ କାହିଁକି ବୁଝାପଡ଼ୁନାହିଁ?
ମି​ଳିଥିବା ସୂଚନା ଅନୁସାରେ, ୨୦୧୪ ମସିହାରେ ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ପରେ ବିପଦ ସଙ୍କୁଳ ବିଦ୍ୟାଳୟ ଚିହ୍ନଟ ଲାଗି ଏକ ସର୍ଭେ କରାଯାଇଥିଲା। ଏଥିରେ ଜଣାପଡ଼ିଲା ଯେ ଜିଲ୍ଲାରେ ୨୬୧ଟି ସ୍କୁଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ସେଥିମଧ୍ୟରେ ୧୦୯ଟି ପ୍ରାଥମିକ ବିଦ୍ୟାଳୟ ରହିଥିଲା। ଏମଧ୍ୟରୁ ଗୋଟିଏ ବି ସ୍କୁଲକୁ ବର୍ତ୍ତମାନ ସୁଦ୍ଧା ଭଙ୍ଗାଯାଇ ନାହିଁ କି ଏହାର ମରାମତି କରାଯାଇ ନାହିଁ।
ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ସ୍କୁଲ ଘର ଗୁଡ଼ିକୁ ଭାଙ୍ଗିବା ପାଇଁ ଏକ ଜିଲ୍ଲା ସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଥିଲା। ଏହି କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ଥିଲେ। ସଦସ୍ୟ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇ ଜଣ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଏବଂ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ରଖାଯାଇଥିଲା। ମାତ୍ର କୌଣସି କାରଣରୁ ସେତେବେଳେ କମିଟିରେ ଥିବା ଦୁଇ ଜଣ ନିର୍ବାହୀ ଯନ୍ତ୍ରୀ ନିଆଯାଇଥିବା ନିଷ୍ପତ୍ତି ଉପରେ ଦସ୍ତଖତ କରିନଥିଲେ। ଫଳରେ ଏହି କମିଟିର ନିଷ୍ପତ୍ତି କାର୍ଯ୍ୟକ୍ଷମ ହୋଇପାରିନଥିଲା।
କମିଟିରେ ଥିବା ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଚିହ୍ନଟ ବିପଦସଙ୍କୁଳ ଘର ଭାଙ୍ଗିବା ଓ ମରାମତି ନିମନ୍ତେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଏତେ ଅର୍ଥ ବିଭାଗ ନିକଟରେ ନଥିବାରୁ କୁଆଡ଼େ ଦୁଇ ଜଣ ଯନ୍ତ୍ରୀ ଏହି କମିଟି ଗଠନ ହେଉ ବୋଲି ଚାହିଁ ନଥିଲେ। ଫଳରେ ସେମିତି ବିପଦ ସଂକୁଳ ଅବସ୍ଥାରେ ଏହି ସ୍କୁଲ ଘର ଗୁଡ଼ିକ ସେବେଠାରୁ ରହିଛି।
କିଛି ବିଦ୍ୟାଳୟରେ ବିପଦ ସଙ୍କୁଳ ପ୍ରକୋଷ୍ଠରେ ପାଠ ପଢ଼ା ହେଉ ନାହିଁ। ମାତ୍ର ସ୍କୁଲ ପରିସରରେ ଏହା ରହିଛି ଓ ପିଲାମାନେ ଏସବୁ ଭିତର ବା ପାଖାପାଖି ଯାଇ ଖେଳନ୍ତି ଓ ବୁଲନ୍ତି। ଆହୁରି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେଠାରେ ଗ୍ରାମବାସୀ ଆଶ୍ରୟ ନିଅନ୍ତି। କେବେ ଯେ ଅଘଟଣ ନ ଘଟିବ ଏକଥା କିଏ କହିବ? ଆଜିଠାରୁ ସ୍କୁଲ ଖୋଲିଛି। ଏବେ ତ ସରକାର ହେଜନ୍ତୁ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/school-pti-compressed-1579775003.jpg)