ଟିଟିଲାଗଡ଼: ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଝିଟିପିଟି ବାହାରିବା ପରେ ଶନିବାର ବଲାଙ୍ଗୀରଜିଲ୍ଲା ମୁରିବାହାଲ ବ୍ଲକ୍‌ ତେନ୍ତୁଳିଖୁଣ୍ଟି ଗାଁର ଉନ୍ନୀତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ସ୍କୁଲରେ ପହଞ୍ଚି ନିଜ ନିଜ ପୁଅଝିଅଙ୍କୁ ଧରି ଟିଟିଲାଗଡ଼ ସହରସ୍ଥିତ ପିପଲପଦର ଏମ୍‌ସିଏଚ୍‌ ଡାକ୍ତରଖାନାକୁ ନେଇଥିଲେ। ପରେ ଅବଶିଷ୍ଟ ଛାତ୍ରଛାତ୍ରୀଙ୍କୁ ତିନିଟି ଆମ୍ବୁଲାନ୍ସରେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଅଣାଯାଇଥିଲା। 

Advertisment

ପ୍ରକାଶଥାଉକି, ସ୍କୁଲ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିବା ବେଳେ ସମୁଦାୟ ୬୧୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଶନିବାର ୩୪୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସ୍କୁଲ ଛୁଟି ହେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ହେଲେ ଜଣଙ୍କ ଥାଳିରୁ ଝିଟିପିଟି ବାହାରିଥିଲା। ସେତେବେଳକୁ ପାଖାପାଖି ୧୭୫ ଜଣ ପିଲା ମଧ୍ୟାହ୍ନ ଭୋଜନ ଖାଇ ସାରିଥିଲେ। କିଛି ସମୟ ପରେ ପିଲାଙ୍କ ମୁଣ୍ଡବ୍ୟଥା, ବାନ୍ତି ସହ ପେଟ ଦରଜ ଆରମ୍ଭ ହୋଇଥିଲା। ଖବର ପାଇ ଅଭିଭାବକମାନେ ସ୍କୁଲରେ ପହଞ୍ଚି ନିଜନିଜ ପିଲାମାନଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ପ୍ରଧାନଶିକ୍ଷକ ଓ ରୋଷେୟା ଗୋଷ୍ଠୀଙ୍କ ଅବହେଳା ଯୋଗୁଁ ଏମିତି ଘଟଣା ଘଟିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ବିଧାୟକ ଲକ୍ଷ୍ମଣ ବାଗ ହସ୍ପିଟାଲକୁ ଯାଇ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଶିକ୍ଷକମାନେ ପ୍ରଥମେ ମଧ୍ୟାହ୍ନ ଭୋଜନ ନିଜେ ଖାଇ ପରେ ଛାତ୍ରଛାତ୍ରୀଙ୍କୁ ଦେବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ଦେବା ସହ ଘଟଣାର ତଦନ୍ତ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଏବେ ବି ଶତାଧିକ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଆବଶ୍ୟକ ଚିକିତ୍ସା କରାଯାଉଛି। ପିଲାଙ୍କ ଚିକିତ୍ସାରେ ସମସ୍ତ ଡାକ୍ତର ଓ ନର୍ସଙ୍କୁ ନିୟୋଜିତ କରାଯାଇଥିବା ଏସ୍‌ଡିଏମ୍‌ଓ ଡା. ପ୍ରଦୀପ ନାୟକ ସୂଚନା ଦେଇଛନ୍ତି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।