ଅନ୍ୟ ୧୩ ବ୍ଲକ୍ରେ ବି ସମାନ ସ୍ଥିତି
କାଗଜ କଲମରେ ବସ୍ତାରେ ୫୦ କେଜି, କିନ୍ତୁ ଅସଲରେ ୩୫
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଆସୁଥିବା ଚାଉଳରେ ବ୍ୟାପକ ବାଟମାରଣା ହେଉଛି। କାଗଜ କଲମରେ ପ୍ରତି ବସ୍ତାରେ ୫୦ କେଜି ରହୁଥିବା ବେଳେ ଅସଲରେ ୩୫ କେଜି ଚାଉଳ କେନ୍ଦ୍ରମାନଙ୍କୁ ଯୋଗାଣ ହେଉଛି। ଏହି ହିସାବରେ ଗୋଟିଏ ବ୍ଲକ୍ରେ ବର୍ଷକୁ ମଧ୍ୟରେ ପ୍ରାୟ ୧୮୦ କ୍ବିଣ୍ଟାଲ ଚାଉଳ ହଡ଼ପ ହୋଇଥିବା କୁହାଯାଉଛି। ଏନେଇ ଅଙ୍ଗନବାଡ଼ି କର୍ମୀ ମୁହଁ ଖୋଲିଲେ ସେମାନଙ୍କୁ ଅଧିକାରୀମାନେ ନାଲିଆଖି ଦେଖାଉଛନ୍ତି। ସିଡିପିଓ, ସୁପରଭାଇଜର ଓ ଚାଉଳ ଯୋଗାଣକାରୀ ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ କାହାର ଭାଗ କେତେ ବୋଲି ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୧୩ ଟି ବ୍ଲକର ଅଙ୍ଗନବାଡ଼ି କେନ୍ଦ୍ରକୁ ନବରଙ୍ଗପୁର ଜିଲ୍ଲାର ଏକ ଯୋଗାଣ ସଂସ୍ଥା ଚାଉଳ ଯୋଗାଉଛି। ବର୍ଷକୁ ୪ ଥର କରି ସମ୍ପୃକ୍ତ ସଂସ୍ଥା ପ୍ରତି ୩ ମାସରେ ଥରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣ ହୋଇଥାଏ। ଜିଲ୍ଲାର ଗୋଲାମୁଣ୍ଡା ଆଇସିଡିଏସ୍ ଅଧୀନରେ ଥିବା ୭ଟି ସେକ୍ଟରକୁ ବି ଚାଉଳ ଆସୁଛି। ଏହି ସେକ୍ଟର ଅଧୀନରେ ୧୩୮ଟି ଅଙ୍ଗନବାଡ଼ି ଓ ୪୨ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ମୋଟ୍ ୧୮୦ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ୧୮୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ ୭ ହଜାର ୯୦୧ ଜଣ ୩ରୁ ୬ ବର୍ଷର ଶିଶୁ ଗରମ ରନ୍ଧାଖାଦ୍ୟ ଖାଇଥା’ନ୍ତି। ଏଥିପାଇଁ ପ୍ରାୟ ପ୍ରତି ୩ ମାସରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଚାଉଳ କେନ୍ଦ୍ରକୁ ଯୋଗାଣ ହୋଇଥାଏ। ଜଣେ ୩ରୁ ୬ ବର୍ଷର ଶିଶୁ ପାଇଁ ୮୦ ଗ୍ରାମ ଚାଉଳ ଯୋଗାଣ ହୋଇଥାଏ। ଗୋଟିଏ ଚାଉଳ ଭର୍ତ୍ତି ଅଖାରେ ୫୦ କେଜି ଚାଉଳ ରହିଥାଏ। ତେବେ, ଅଭିଯୋଗ ହେଉଛି ଯେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରକୁ ୩୫କେଜି ଚାଉଳ ଆସୁଛି। ଫଳରେ; ଅବଶିଷ୍ଟ ୧୫କେଜି ଚାଉଳ କୁଆଡ଼େ ଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏ ସମ୍ପର୍କରେ କେତେକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଅଭିଯୋଗ କରିଛନ୍ତି; ‘ ଯୋଗାଣକାରୀ ସଂସ୍ଥା ଓ ଆଇସିଡିଏସ୍ ସିଡିପିଓ, ସୁପରଭାଇଜରଙ୍କ ମଧୁଚନ୍ଦ୍ରିକା ଯୋଗୁ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ କମ୍ ଚାଲୁ ଆସୁଛି।’
ତେବେ, ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖିଲେ; ଯଦି ୧ କ୍ବିଣ୍ଟାଲ ଚାଉଳ ଅଖାରୁ ୩୦ କେଜି ଚାଉଳ ହଡପ୍ କରାଯାଉଥାଏ, ତା’ହେଲେ ସମୁଦାୟ ୧୫୦ କ୍ବିଣ୍ଟାଲରେ ୪୫ କ୍ବିଣ୍ଟାଲ ଚାଉଳ ବାଟମାରଣା କରାଯାଉଛି। ଏହିପରି ଭାବେ ୩ମାସରେ ୪୫ କ୍ବିଣ୍ଟାଲ ଏବଂ ବର୍ଷକୁ ୧୮୦ କ୍ବିଣ୍ଟାଲ ଚାଉଳ ଗୋଟିଏ ବ୍ଲକ୍ରେ ବାଟମାରଣା ହେଉଛି। ଅନ୍ୟପକ୍ଷରେ ଏହି ଚାଉଳ ବେସରକାରୀ ଭାବେ କେଜି ପ୍ରତି ୪୦ ଟଙ୍କା ବିକ୍ରି କରାଯାଉଥିବାବେଳେ ୯ ହଜାର ୯୦୧ ଶିଶୁଙ୍କ ପାଇଁ ଆସୁଥିବା ଚାଉଳ ବାବଦରେ ବର୍ଷକୁ ୧୦ ରୁ ୧୨ ଲକ୍ଷ ଟଙ୍କା ହଡପ୍ କରାଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟ ଏକ ଅଭିଯୋଗ ଅନୁସାରେ, ନିର୍ଦ୍ଧାରିତ ପରିମାଣଠାରୁ କମ୍ ଚାଉଳ ଆସୁଥିବାରୁ କେତେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଖାଦ୍ୟ ଯୋଗାଇବାରେ ସମସ୍ୟା ସୃଷ୍ଟି ହେଉଛି। ଏନେଇ ଅଭିଯୋଗକଲେ ଅଧିକାରୀମାନେ ନାଲିଆଖି ଦେଖାଉଥିବା ଏହି ଅଭିଯୋଗରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏନେଇ ଗୋଲାମୁଣ୍ଡା ସିଡିପିଓ ପ୍ରେମାମଞ୍ଜରୀ ସାହୁଙ୍କୁ ପଚାରିବାରୁ କମ୍ ଚାଉଳ ଯୋଗାଣ ହେଉଥିବା କଥାକୁ ସ୍ୱୀକାର କରିବା ସହ ସେ ଏହା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି। ତେବେ ଉକ୍ତ ଘଟଣା କଳାହାଣ୍ଡି ଜିଲ୍ଲାର ଗୋଟିଏ ବ୍ଲକର ଉଦାହରଣ ଅଟେ। ଏଭଳି ଅନ୍ୟ ୧୨ଟି ବ୍ଲକରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଭିଜିଲାନ୍ସ ପକ୍ଷରୁ ତୁରନ୍ତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ଦାବି ହୋଇଛି।