ଝାରସୁଗୁଡ଼ା: ସ୍କୁଲ ଖୋଲା ଅଛି। ଶିକ୍ଷକ ଚଉକି ପକାଇ ଉପସ୍ଥାନ ଖାତା ଧରି ବାହାରେ ବସିଛନ୍ତି। ହେଲେ ଜଣେ ବି ଛାତ୍ରଛାତ୍ରୀ ନାହାନ୍ତି। ଏହି ଦୃଶ୍ୟ ଆଜି ଗୋଟିଏ ଦିନର ନୁହେଁ; ଗତ କିଛି ମାସ ‌ହେବ ଏହା ନିତିଦିନିଆ ଘଟଣା ପାଲଟିଯାଇଛି। ଜନବସତିକୁ ଲାଗି କୋଇଲା ଖଣିରେ କୋଇଲା ଉତ୍ତୋଳନ ଜାରି ରହିଥିବା ବେଳେ ପ୍ରତ୍ୟହ ଭୟଙ୍କର ବିସ୍ଫୋରଣ ଯୋଗୁ ସମଗ୍ର ଅଞ୍ଚଳ ଥରହର ହୋଇଯାଉଛି। ବିସ୍ଫୋରଣର ପ୍ରଭାବରେ କାହା ଛାତ ଗଳି ପଡ଼ୁଛି ତ’ ଆଉ କାହା ଆଜବେଷ୍ଟସ୍‌ ଉଡ଼ି ଯାଉଛି। ସ୍କୁଲ କୋଠରିରେ ବି ବିସ୍ଫୋରଣର ଅନୁରୂପ ପ୍ରଭାବ ପଡ଼ୁଥିବାରୁ ବାପ-ମା’ ଆଉ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି। ସ‌ତ‌େ ଯେମିତି ସରକାରଙ୍କ ରାଜସ୍ବ ଆଦାୟ ଆଗରେ ଆଉ ସବୁ ତୁଚ୍ଛ। ବନ୍ଧା ପଡ଼ିଛି ପିଲାଙ୍କ ଭବିଷ୍ୟତ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମ୍ୟୁନିସିପାଲିଟିର ଜାମକାନି ହାଇସ୍କୁଲରେ ‘ସମ୍ବାଦ’ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ବେଳେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଡ.ରାଧାକାନ୍ତ ଗଡ଼ତିଆଙ୍କୁ ପଚାରିବାରେ, ଉକ୍ତ ସ୍କୁଲ କେବଳ ଏକ ସ୍ବୀକୃତିପ୍ରାପ୍ତ ସ୍କୁଲ ହୋଇଥିବାବେଳେ ଅନ୍ୟ କୌଣସି ପ୍ରକାର ଅନୁଦାନ ମିଳୁନଥିବାରୁ ତା’ ଉପରେ ଜିଲ୍ଲା ଶିକ୍ଷା ବିଭାଗର କୌଣସି ନିୟନ୍ତ୍ରଣ ନଥିବା କହିଥିଲେ। 

Advertisment

ଝାରସୁଗୁଡ଼ା ଜିଲ୍ଲାରେ ରାଜସ୍ବ ଆୟ ଲକ୍ଷ୍ୟରେ କୋଇଲା ଖଣି ଆଁରେ ଗୋଟିଏ ପରେ ଗୋଟିଏ ଗାଁ ଚାଲିଯାଉଛି। ୯୦ ଦଶକରୁ ଲଖନପୁର କୋଇଲା ଖଣି କ୍ଷେତ୍ରରେ ଆରମ୍ଭ ‌ହୋଇଥିବା ସମଲେଶ୍ବରୀ ଖୋଲାମୁହଁ ଖଣି ଏବେ ବେଲପାହାଡ଼ ମ୍ୟୁନିସିପାଲଟିର ଅନ୍ୟ ଅଂଶକୁ ବ୍ୟାପି ସାରିଲାଣି। ଏବେ ଜାମକାନି, ମହୁଲପଡ଼ା, ମୁଚବାହାଲ ଗ୍ରାମକୁ ଲାଗି କୋଇଲା ଉତ୍ତୋଳନ କରାଯାଉଛି। କୋଇଲା ପାଇଁ ଦୈନିକ ପ୍ରାୟ ୩୦ ଟି ସ୍ଥାନରେ ବ୍ଲାଷ୍ଟିଂ କରାଯାଉଛି। ପ୍ରତିଟି ସ୍ଥାନରେ ୬ ଇଞ୍ଚ ପ୍ରସ୍ଥ ଓ ୧୦ ମିଟର ଗଭୀରତା ଅଞ୍ଚଳରେ ପ୍ରାୟ ୫୦ କେଜିର ଡିନାମାଇଟ୍‌ ଭର୍ତ୍ତି ପରେ ବିସ୍ଫୋରଣ କରାଯାଉଛି। ଏକାବେଳକେ ୩୦ଟି ସ୍ଥାନରେ ବ୍ଲାଷ୍ଟିଂ ଯୋଗୁ ଆଖପାଖ ୫ କିମି ପରିଧି ଅଞ୍ଚଳରେ ଭୟଙ୍କର କମ୍ପନ ମଧ୍ୟ ସୃଷ୍ଟି ହେଉଛି। ଜାମକାନି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପାତ୍ରଙ୍କ କହିବା ଅନୁସାରେ, ୧୯୯୩ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ୨୦୦୧ ମସିହାରେ ସ୍କୁଲକୁ ସରକାରୀ ଜମି ପ୍ରଦାନ ପାଇଁ ଆବେଦନ ହେବାରେ ସେତେବେଳେ ୭ ଲକ୍ଷ ଟଙ୍କାର ପ୍ରିମିୟମ୍‌ ଜମା ଦେବାକୁ କହାଯାଇଥିଲା। ମାତ୍ର ସ୍କୁଲଟି ସରକାରୀ ହୋଇନଥିବାରୁ ପରିଚାଳନା କମିଟି ପ୍ରିମିୟମ୍‌ ଜମା ଦେଇ ପାରିନଥିଲା କି ସ୍କୁଲକୁ ନିଜସ୍ବ ସରକାରୀ ଜମି ମିଳିନଥିଲା। ୨୦୨୧-୨୦୨୨ ମସିହାରେ ସ୍କୁଲର ଖେଳପଡ଼ିଆ ଭିତର ଦେଇ କୋଇଲା ପରିବହନ ପାଇଁ ରେଳ ଲାଇନ୍‌ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହି ସମୟରେ ସ୍କୁଲକୁ ୧ ଏକର ଜାଗା ଓ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ସେହି ପ୍ରତିଶ୍ରୁତି ପାଣିର ଗାର ପାଲଟିଲା। ସେପଟେ, ଗତ କିଛି ମାସ ହେବ ଏହି ସ୍କୁଲଠାରୁ ମାତ୍ର କେଇ ମିଟର ଦୂରତାରେ ଖଣି ପାଇଁ ବ୍ଲାଷ୍ଟିଂ ଆରମ୍ଭ ହୋଇଯାଇଛି। ଫଳସ୍ବରୂପ ସ୍କୁଲର କାନ୍ଥ ଫାଟି ଆଁ କରିଥିବା ବେଳେ ଛାତରୁ ସିମେଣ୍ଟ ଅତଡ଼ା ଖଣ୍ଡ ଖଣ୍ଡ ହୋଇ ଖସୁଛି। ଏଭଳି ଘଟଣା ବାରମ୍ବାର ହେବା ପରେ କର୍ତ୍ତୃପକ୍ଷ ବ୍ଲାଷ୍ଟିଂ ସମୟ ଆସିଲେ ପିଲାଙ୍କୁ ବାହାରେ ଗଛ ତଳେ ବସାଇ ପାଠ ପଢ଼ାଉଥିଲେ। ମାତ୍ର ପ୍ରତିଦିନ ଏଭଳି ହେଉଥିବାରୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ନାରାଜ ହେଲେଣି। କୌଣସି ସମୟରେ ଅଘଟଣ ଘଟିଲେ କିଏ ଦାୟୀ ରହିବ, ସେହି ଆଶଙ୍କାରେ କର୍ତ୍ତୃପକ୍ଷ ବି ସ୍କୁଲ ଆସିବାକୁ ପିଲାଙ୍କ ଉପରେ ଚାପ ପ୍ର‌ୟୋଗ କରୁନଥିବା କହିଛନ୍ତି।