ସିଡବ୍ଲୁସିକୁ ଶିଶୁଙ୍କ ଆକୁଳ ନିବେଦନ: ଆମ ମା’କୁ ପୁଲିସ ରଖିଛି…କେବେ ଛାଡ଼ିବ?

କଟକ : ଆମ ମାକୁ ପୁଲିସ ରଖିଛି… କେବେ ଛାଡ଼ିବ? ଏଠି ରହିବାକୁ ଭଲ ଲାଗୁନି। ଆମକୁ ଛାଡ଼ିଦିଅ…ମାଇଁ ପାଖରେ ରହିବୁ… ବସୁନ୍ଧରାରେ ଥିବା ନୂଆପଡ଼ା ବାଲିସାହି ବସ୍ତିର ଦୁଇ ଉଦ୍ଧାର ଶିଶୁ ସିଡବ୍ଲୁସିକୁ ଏଭଳି ଆକୁଳ ନିବେଦନ କରିଛନ୍ତି। ଯେହେତୁ ସେମାନଙ୍କ ଅଭିଭାବକଙ୍କୁ ଜାମିନ ମିଳିନାହିଁ, ସେଥିପାଇଁ ସିଡବ୍ଲୁସି ଦୁଇ ନାବାଳକଙ୍କୁ ଛାଡ଼ିବାକୁ ମନା କରିଦେଇଛି। ଅଭିଭାବକମାନେ ଜେଲରୁ ଖଲାସ୍ ହେଲେ ଦୁଇଶିଶୁଙ୍କ ସଂକ୍ରାନ୍ତରେ ବିଚାର କରାଯିବାକୁ ସିଡବ୍ଲୁସି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଭଳି ଅନ୍ୟ ଯେଉଁ ଶିଶୁମାନେ ବସ୍ତିରେ ଅଛନ୍ତି, ସେମାନଙ୍କୁ ବି ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଛି ସିଡବ୍ଲୁସି। ଅନ୍ୟପଟେ ୬୫ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଜାମିନ୍ ମିଳିନଥିବାରୁ ‘କ୍ଲାପ୍’ ପକ୍ଷରୁ ମାଗଣାରେ ଆଇନ ସହୟତା ଯୋଗାଇଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ନୂଆପଡ଼ା ବାଲିସାହି ଗଣ୍ଡଗୋଳ ଘଟଣାରେ ଗଲା ୧୩ ତାରିଖରେ ଯେଉଁ ୬୫ ଜଣ ବସ୍ତିବାସିନ୍ଦାଙ୍କୁ ମଧୁପାଟଣା ଥାନା ପୁଲିସ ଗିରଫ କରି ଚୌଦ୍ବାର ଜେଲ୍ ପଠାଇଥିଲା, ସେମାନଙ୍କ ମଧ୍ୟରୁ ୬୪ ଜଣ ଏବେ ଜେଲରେ ଅଛନ୍ତି। ଜାମିନ୍ ମିଳି ନାହିଁ। ଜଣେ ୨୫ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ପରେ ବୋସ୍‌ରେ ସଂଗରୋଧରେ ରଖାଯାଇଛି। ସୁଷମା ଦାସଙ୍କ ୧୧ବର୍ଷୀୟ ପୁଅ ଓ ବୁଲୁ ଦାସଙ୍କ ୧୦ ବର୍ଷୀୟା ଝିଅକୁ ସିଡବ୍ଲୁସିରେ ହାଜର କରାଯାଇଥିଲା। ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ସେମାନଙ୍କ ବାପା ମା ଜେଲରେ ଥିବାରୁ ସେମାନଙ୍କୁ କୌଣସି ପରିସ୍ଥିତିରେ ସମ୍ପର୍କୀୟଙ୍କ ଜିମା ଦିଆଯାଇପାରିବ ନାହିଁ ବୋଲି ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେମା ସ୍ପଷ୍ଟ କରିଛନ୍ତି। ଏମାନଙ୍କ ଅଭିଭାବକ ଜେଲରୁ ଆସିବା ପରେ ଶିଶୁଙ୍କ ପାଠପଢ଼ା କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ କରାଯିବ। ଆର୍ଥିକ ସ୍ଥିତି ଖରାପ ଥିଲେ ସିଡବ୍ଲୁସି ପକ୍ଷରୁ ‘ସ୍ପନସରସିପ୍ ସ୍କିମ୍‌ ମାଧ୍ୟମରେ ମାସିକ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ସେମାନଙ୍କୁ ଯୋଗାଇ ଦିଆଯିବ। ଏହି ଦୁଇ ଶିଶୁଙ୍କ ଦୁଇ ଭାଇ ନିଜ ନିଜ ମାଇଁ ନିକଟରେ ଅଛନ୍ତି। ବସ୍ତିରେ ଏଭଳି ଆଉ କେଉଁ ପିଲା ଅସହାୟ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ଖୁବ ଶୀଘ୍ର ଚିହ୍ନଟ କରି ଉଦ୍ଧାର କରିବାକୁ ମଧୁପାଟଣା ଥାନା ପୁଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି ଶ୍ରୀମତୀ ଜେମା ସୂଚନା ଦେଇଛନ୍ତି।

ଅନ୍ୟପଟେ ବାଲିସାହି ବସ୍ତିରେ ଏଭଳି ଆହୁରି ୬ରୁ ଅଧିକ ଅସହାୟ ଶିଶୁ ଥିବା କୁହାଯାଉଛି। ଗଲା ୪ ଦିନ ହେବ ୬୫ ଜଣ ବସ୍ତି ବାସିନ୍ଦା ଚୌଦ୍ବାର ଜେଲରେ ଥିବା ବେଳେ ସେମାନଙ୍କୁ ଜାମିନ୍ ଦେବା ପାଇଁ ସହଯୋଗର ହାତ ବଢ଼ାଇଛି ଆଇନ ସେବା ସଂସ୍ଥା ‘କ୍ଲାପ। ଏହି ସଂସ୍ଥାର ସଭାପତି ଡକ୍ଟର ବିକାଶ ଦାସ କହିଛନ୍ତି ଯେ ଅଭିଯୁକ୍ତ ସେମାନଙ୍କ ମାମଲା ସମ୍ପର୍କରେ ଜାଣିବାର ଅଧିକାର ଅଛି। ବେଲ୍‌ ମୁଭ୍‌ କରିବାକୁ ସୁଯୋଗ ଦିଆଯିବ। ବାଲିସାହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ବେଲ୍ କ୍ଲାପ୍ ତରଫରୁ ମାଗଣାରେ ମୁଭ୍ କରାଇବାକୁ ନିଷ୍ପତ୍ତି ହୋଇଛି। ଦୁଇ ଆଇନଜୀବୀଙ୍କୁ ଦାୟିତ୍ବ ଦିଆଯାଇଛି ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରି ଜିଲ୍ଲା କୋର୍ଟରେ ବେଲ୍ ମୁଭ କରିବାକୁ। ବେଲ୍ ମୁଭ କରିବା ସହିତ ଜେଲରୁ ଖଲାସ୍ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡକ୍ଟର ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ବାଲିସାହି ବସ୍ତି ଉପରେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଓ ୬୫ ଜଣଙ୍କୁ ଗିରଫ କରି ଜେଲ୍ ପଠାଇବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଆଜି ଦିନ ପ୍ରାୟ ୧୨ଟା ବେଳେ ପୁଲିସ ଓ ମାରଓ୍ବାଡ଼ି ସଂଗଠନର ମିଳିତ ସହଯୋଗରେ ବସ୍ତିର ପ୍ରାୟ ୩୫୦ ଜଣଙ୍କୁ ବିଛଣା, ବେଡସିଟ୍, ଲୁଙ୍ଗି, ଗାମୁଛା ଇତ୍ୟାଦି ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର