ମିଶିଯିବ ଚିଲିକା-ସମୁଦ୍ର, ବୁଡ଼ିଯିବ ୯ ଗାଁ!

ମା‌ଲେସିଆ ଜାହଜ କଣ୍ଟେନର ଆଣିଛି ବିପଦ, ରାଜହଂସରେ ଚିଲିକାକୁ ମହାବିପଦ

ପୁରୀ: ଏବେ କରୋନା ମ‌ହାମାରୀକୁ ନେଇ ପ୍ରଶାସନ ବ୍ୟସ୍ତ। ଅନ୍ୟ ଦିଗ ଉପରେ ନଜର ପକାଇବାକୁ ଆଉ କାହା ପାଖରେ ସମୟ ନାହିଁ। ତେବେ ଏହି କିଛି ଦିନର ଲକ୍‌ଡାଉନ ସମୟ ଭିତରେ ଚିଲିକା ରାଜହଂସ ନିକଟରେ ଚିଲିକା ପ୍ରତି ଦେଖାଦେଇଛି ଏକ ମହାବିପଦ। ରାଜହଂସ ନିକଟରେ ପୋତି ହୋଇପଡିଥିବା ମାଲେସିଆ ଜାହଜର କଣ୍ଟେନର୍‌ ଯୋଗୁଁ ଚିଲିକା ବିପଦରେ ପଡିଛି। ସମୁଦ୍ର ଚିଲିକାର ନିକଟବର୍ତ୍ତୀ ହୋଇଛି। ଆଉ ମାତ୍ର ୬୦ ଫୁଟ ଖାଇଲେ ସମୁଦ୍ର ଚିଲିକା‌ରେ ମିଶିଯିବ। ଫଳରେ ଚିଲିକା ମଝି ଓ ଏହାର ଆଖପାଖରେ ଥିବ‌ା ୯ ଖଣ୍ଡ ଗାଁ ପାଇଁ ବିପଦ ସୃଷ୍ଟି ହେବ ବୋଲି ବ୍ରହ୍ମପୁର ପଞ୍ଚାୟତର ସମିତି ସଭ୍ୟ ରଘୁନାଥ ଜେନାଙ୍କ ସମେତ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଯଦି ସମୁଦ୍ରର ଏଭଳି ଗତିପଥ ରହେ ଓ ସମୁଦ୍ର ଏମିତି କୂଳ ଖାଇ ଚାଲେ ‌ତେବେ ଆଉ ମାସେ ଦୁଇ ମାସ ଭିତରେ ଚିଲିକା ପାଇଁ ନିଶ୍ଚିତ ଭାବେ ଏହା ଏକ ବଡ଼ ବିପଦ ସୃଷ୍ଟି କରିବ। ବ୍ରହ୍ମପୁର ପଞ୍ଚାୟତର ବ୍ରହ୍ମପୁର, ମହିଷା‌ ବ୍ରହ୍ମପୁର ସମେତ ସାତପଡ଼ା, ବଳଭଦ୍ରପୁର, ଆଳୁପାଟଣା, ନାଉବାଡ଼ି, ବ‌ାଙ୍କୀ ଜଳ, ବାଘମୁଣ୍ଡା, ନୂଆ ଗାଁ ସବୁ ପାଣିରେ ବୁଡିଯିବ। ମାତ୍ର ୬୦ ରୁ ୭୦ ଫୁଟ ସମୁଦ୍ର କୂଳ ଖାଇଗଲେ ସମୁଦ୍ର ଚିଲିକା ଭିତରକୁ ପଶି ଆସିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନ ଦେଲେ ୯ ଖଣ୍ଡ ଗାଁ’ରେ ୩୦ ହଜାର ଲୋକ ବିପଦରେ ପଡ଼ିବେ। ଚିଲିକ‌ା ଜଳଜୀବ ମଧ୍ୟ ବିପଦ‌ରେ ପଡ଼ିବେ। ବିପଦ ପାଖେଇ ଆସୁଥିବାରୁ ଆଉ ବିଳମ୍ବ ନକରିବାକୁ କହିଛନ୍ତି। ଚିଲିକା ସାତପଡ଼ା ରାଜହଂସରେ (ବ୍ରହ୍ମପୁର,ମରେଇ) ରାଜହଂସ ଜଙ୍ଗଲ ରହିଛି। ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ରାଜହଂସ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳ।

ଏଠା‌ରେ ଏକ ଡାକବଙ୍ଗଳା ମଧ୍ୟ ରହିଛି। ପ୍ରକୃତିର ମନୋରମ ପରି‌ବେଶ ଦେଖିବାକୁ ଏହି ରାଜହଂସ ଦୀପକୁ ପର୍ଯ୍ୟଟକ ଆସିଥାଆନ୍ତି। ମ‌ାତ୍ର ଏବେ ଏହି ଦୀପ ବିପଦରେ ପଡ଼ିଛି। ଗତ ବର୍ଷ ମା‌ଲେସିଆର ଏକ ଜାହଜ ଏହା ନିକଟରେ ଲାଗିଥିଲା। କିଛି ଦିନ ପରେ ଜାହାଜ ଅପସାରଣ ‌ହୋଇଥିଲା। ମାତ୍ର କଣ୍ଟେନର ଅପସାରଣ ହୋଇପାରିନଥିଲା। ମାସ ମାସ ଧରି କଣ୍ଟେନର ପଡ଼ିରହିବା ପରେ ଅଞ୍ଚଳଟି ବାଲିରେ ପୋତି ‌ହୋଇପଡ଼ିଥିଲା। ଫଳର ସ୍ରୋତ ମନ୍ଥର ହେବା ସହିତ ଏହା ବିପରୀତ ଦିଗରେ ମାଡ଼ ହୋଇ କୂଳ ଖାଇଥିଲ‌ା। ତେବେ ସଂପୃକ୍ତ ସଂସ୍ଥା ଏହି କଣ୍ଟେନରଟିକୁ ବିକ୍ରି କରିଥିଲେ ବି ତାହା ସଂପୂର୍ଣ୍ଣ ଅପସାରଣ ହୋଇପାରିନାହିଁ। ଏବେ ମେସିନ ଲଗାଇ ଖଣ୍ଡ ଖଣ୍ଡ କରି ଏହା କଟା ଯାଉଛି। ତେବେ ଯେଉଁଭଳି ପ୍ରକ୍ରିୟା ଚାଲୁ ରହିଛି, ଏଭଳି କାଟିଲେ ମାସ ମାସ ଲାଗିଯିବ। କଣ୍ଟେନର ଆଉ କିଛି ଦିନ ରହିଲେ ସେ ୬୦ ଫୁଟ ଝାଉଁ ଜଙ୍ଗଲ ଖାଇଯିବ। ଅଧା କିଲୋମିଟର ଝାଉଁ ଜଙ୍ଗଲ ଖାଇ ସାରିଥିଲେ ବି ପ୍ରଶାସନର ଚେତା ପଶୁନି। ସମୁଦ୍ର ଚିଲିକା ଏଠାରେ ମିଶିଗଲେ ସ୍ଥିତି ଭୟଙ୍କର ହେବ। ଜଳଜୀବ ପ୍ରଭାବିତ ହେବେ, ଚିଲିକା ମଝିରେ ଥିବା ଗାଁ’ ସବୁ ସମୁଦ୍ରରେ ଲୀନ ହୋଇଯିବ ବୋଲି ବ୍ରହ୍ମପୁର ଗ‌୍ରାମର ରଘୁନ‌ାଥ ଜେନ‌ା, ସଞ୍ଜୟ କୁମାର ଜେନା, ସନ୍ତୋଷ କୁମାର ଜେନା, ସଂଗ୍ରାମ ଜେନା ପ୍ରମୁଖ କହିଛନ୍ତି। ପ୍ରଶାସନ ଅଧିକ ବିଳମ୍ବ ନକରିବାକୁ ସେମାନେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର