ଚିଲିକା ଓ ଭିତରକନିକା ସୁରକ୍ଷା ପ୍ରସଙ୍ଗକୁ ନେଇ ମାମଲା : ଚାରି ଜିଲ୍ଲାପାଳଙ୍କ ସତ୍ୟପାଠ ଦାଖଲ

କଟକ : ଚିଲିକା ହ୍ରଦ ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଚାରିଟି ଜିଲ୍ଲାର ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଚିଲିକା ହ୍ରଦ ଓ ଏହାର ଆଖପାଖ ଆଦ୍ରଭୂମି ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଚିଲିକାରେ ବେଆଇନ୍‌ ଚିଙ୍ଗୁଡି ଚାଷ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଯୋଜନା ସଂପର୍କରେ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସେହିଭଳି ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଆର୍ଦ୍ରଭୂମି ସଂପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ସତ୍ୟପାଠରେ ତଥ୍ୟ ପ୍ରଦାନ କରିଛନ୍ତି। ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ଚିଲିକା ଦ୍ୱୀପାଞ୍ଚଳ ପେଷାଦାର ମତ୍ସ୍ୟଜୀବୀ ମହାସଂଘ, ଅଣ ମତ୍ସ୍ୟଜୀବୀ ମହାସଂଘ ସମେତ ଅନ୍ୟ ପ୍ରତିପକ୍ଷମାନେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮, ଜାନୁଆରି ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଚିଲିକା ଓ ଭିତରକନିକା ଆର୍ଦ୍ରଭୂମୀ(ଓ୍ଵଟ୍‌ଲ୍ୟାଣ୍ଡ୍‌) ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜଆଡୁ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟର ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ପକ୍ଷରୁ ରୁଜୁ ଏହି ମାମଲାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସେଣ୍ଟ୍ରାଲ ଓ୍ଵଟଲ୍ୟାଣ୍ଡ୍‌ ରେଗୁଲେଟୋରି ଅଥରିଟି, ଓଡ଼ିଶା ଓ୍ଵଟଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଓଡ଼ିଶା କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି, ଖୋର୍ଦ୍ଧା ବାଲୁଗାଁସ୍ଥିତ ଓ୍ଵଟଲ୍ୟାଣ୍ଡ୍‌ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର, ଭୁବନେଶ୍ୱରସ୍ଥିତ ଷ୍ଟେଟ ବୋର୍ଡ ଫର୍‌ ଓ୍ଵାଇଲ୍ଡ ଲାଇଫ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦାପଡା ଜିଲ୍ଲାପାଳ ପକ୍ଷଭୁକ୍ତ ହୋଇଛନ୍ତି। ଏହି ସବୁ ଅଞ୍ଚଳର ବିଭିନ୍ନ ମତ୍ସଜୀବୀ ସଂଘ ଓ ଅଣମତ୍ସଜୀବୀ ସଂଘ ମଧ୍ୟ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ନିଜ ଆଡି ଆବେଦନ କରିଛନ୍ତି।

ଆମିକସ୍‌ କ୍ୟୁରି ମୋହିତ ଅଗ୍ରଓ୍ଵାଲ ୨୦୧୭, ଅକ୍ଟୋବର ୧୧ରେ ପ୍ରଦାନ କରିଥିବା ରିପୋର୍ଟରେ ଚିଲିକା ଓ ଭିତରକନିକାର ଉନ୍ନୟନ ପାଇଁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା। ଚିଲିକାରେ ବେଆଇନ ଚିଙ୍କୁଡି ଚାଷ ପ୍ରସଂଗକୁ ଗୁରୁତ୍ୱର ସହିତ ଗ୍ରହଣ କରି ହାଇକୋର୍ଟ ଏ ସଂପର୍କରେ ଜାବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଚିଲିକା ଓ ଭିତରକନିକାରେ ବେଆଇନ୍‌ ଭାବେ ଚାଲିଥିବା ମୋଟର ଚାଳିତ ଡଙ୍ଗା ଓ ମାଛ ମାରିବା କାର୍ଯ୍ୟ ଯୋଗୁ ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଥିବା ପ୍ରସଂଗରେ ମଧ୍ୟ ଶୁଣାଣି ଚାଲିଛି। ଆମିକସ୍‌ କ୍ୟୁରିଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଏ ସବୁ ସମସ୍ୟାର ପ୍ରତିକାର ପାଇଁ ପ୍ରସ୍ତାବମାନ ଦିଆଯାଇଛି। ସଂପ୍ରତି ଦେଶର ୧୫ଟି ରାଜ୍ୟରେ ୨୬ଟି ଆର୍ଦ୍ରଭୂମୀ ରହିଥିବାବେଳେ ଓଡିଶାରେ ୨ଟି ରହିଛି। ଏହି ପ୍ରସଂଗରେ ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୭, ଏପ୍ରିଲ ୩ରେ ପ୍ରଦାନ କରିଥିବା ରାୟ ଆଧାରରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର