ଚିଲିକା ଡଙ୍ଗାବୁଡ଼ିରେ ମୃତ ଯାତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ଚିଲିକା ହ୍ରଦରେ ଡଙ୍ଗାବୁଡ଼ି ଯୋଗୁଁ ଜୀବନ ହରାଇଥିବା ଯାତ୍ରୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମ୍ବେଦନା ଜଣାଇଛନ୍ତି।

ପ୍ରତ୍ୟେକ ମୃତ ଯାତ୍ରୀମାନଙ୍କ ନିକଟ ସମ୍ପର୍କୀୟଙ୍କ ସକାଶ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଆହତମାନଙ୍କୁ ବିନା ମୂଲ୍ୟରେ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବା କଥା ମଧ୍ୟ ସେ ଘୋଷଣା କରିଛନ୍ତି।

ରବିବାର ସକାଳ ସୁଦ୍ଧା ଚିଲିକା ଜଳରାଶିରୁ ୬ ଅର୍ଥାତ୍‌ ସମସ୍ତ ନିଖୋଜ ଯାତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି।

ଗତକାଲି ଘଟଣାସ୍ଥଳରୁ ଦୁଇଟି ଶବ ଉଦ୍ଧାର କରାଯାଇଥିଲା। ଆଜି ଜଣେ ମହିଳା, ଦୁଇ ଜଣ ଯୁବତୀ ଏବଂ ଜଣେ ଶିଶୁପୁତ୍ରର ଶବ ଉଦ୍ଧାର କରାଯାଇଛି।

ମୃତବ୍ୟକ୍ତିମାନଙ୍କ ପରିବାରକୁ ଜିଲ୍ଲାପାଳ ରେଡ୍‌କ୍ରସ୍‌ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି।

ଗତ ଅପରାହ୍ଣ ୫ଟା ବେଳେ ୧୬ ଜଣ ଯାତ୍ରୀଙ୍କୁ ନେଇ କାଳିଜଈରୁ ଫେରୁଥିବା ଏକ ଡଙ୍ଗା ଝଡ଼ବତାସ ଯୋଗୁଁ ବୁଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର