ଭିଜିଲାନ୍ସ ପଞ୍ଝାରେ ଚିଲିକା ଡିଏଫ୍‌ଓ

ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ ଆଣିଥିଲେ ବୋହୂ, ଘର, ଅଫିସ୍‌ ସମେତ କେତେକ ସ୍ଥାନରେ ଚଢ଼ାଉ

ବାଲୁଗାଁ : ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ତାଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ଓ ବ୍ୟାଙ୍କ୍‌ ଲକର୍‌କୁ ଜବତ କରାଯାଇଥିବା ଜଣାପଡ଼ିଛି।

ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଡିଏଫଓ ଶ୍ରୀ ହୋତା ପ୍ରାୟ ୧ ବର୍ଷ ହେବ ଚିଲିକା ବନ୍ୟପ୍ରାଣୀ ଡିଏଫ୍‌ଓ ଭାବେ କାର୍ଯ୍ୟ କରିଆସୁଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗ ନେଇ ତାଙ୍କ ବୋହୂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗ ପକ୍ଷରୁ ୫ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ସୋମବାର ସକାଳ ସାଢ଼େ ୬ଟା ବେଳେ ଗୋଟିଏ ବୋଲେରୋ ଗାଡ଼ିରେ ୭ଜଣ ଭିଜିଲାନ୍ସ କର୍ମଚାରୀ ବାଲୁଗାଁରେ ପହଞ୍ଚି ଗୋପୀନାଥପୁର ଓ ଚିଲିକା କୂଳରେ ଥିବା ଅଫିସ ଓ ସରକାରୀ ବାସଗୃହରେ ଖାନତଲାସ କରିଥିଲେ। ସେହିପରି ଶ୍ରୀ ହୋତାଙ୍କ ଭୁବନେଶ୍ବରରେ ଥିବା ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଡୁମ୍‌ଡୁମାସ୍ଥିତ ଘର, ଜଗତସିଂହପୁର ବିରିଡ଼ି ଚାଷୀଖଣ୍ଡ ଗାଁରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏତଦ୍‌ବ୍ୟତୀତ ବାଲିପାଟଣା ଥାନା ପଦ୍ମପୁର ଗାଁରେ ଥିବା ଶ୍ବଶୁର ଘରେ ମଧ୍ୟ ଚଢ଼ଉ କରାଯାଇଛି। ଶ୍ରୀ ହୋତାଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ଓ ବ୍ୟାଙ୍କ୍‌ ଲକରକୁ ଜବତ କରାଯାଇଥିବା ବେଳେ ଦାମୀ ୪ ଚକିଆ ଗାଡ଼ିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର