ଚିଲିକାର ମତ୍ସ୍ୟଜୀବୀଙ୍କୁ ଲୋକାଭିମୁଖୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ

ସାତପଡ଼ାରେ ହେବ ଶୀତଳ ଭଣ୍ଡାର, ବରଫ ଫ୍ୟାକ୍ଟ୍ରି, ମାର୍କେଟ୍‌ ୟାର୍ଡ
ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ବର : ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କୁ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ସବ୍‌ସିଡି ଜରିଆରେ ନେଟ୍‌, ବୋଟ୍‌ ଓ ମୋଟର ଚାଳିତ ଡଙ୍ଗା ପାଇଁ ଇଞ୍ଜିନ ଉପଲବ୍ଧ କରାଯିବା ସହିତ ସାତପଡ଼ାରେ ଏକ ଡିଜେଲ୍‌ ଆଉଟ୍‌ଲେଟ୍‌, ବରଫ ଫ୍ୟାକ୍ଟ୍ରି, ଶୀତଳ ଭଣ୍ଡାର ଓ ଏକ ମତ୍ସ୍ୟ ଅବତରଣ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ହୋଇଥିଲା।

ମତ୍ସ୍ୟ ବିଭାଗ ପକ୍ଷରୁ ମାର୍କେଟ୍‌ ୟାର୍ଡ ପ୍ରତିଷ୍ଠା ଓ ଅରଖକୁଦରେ ଏକ ଉନ୍ନତମାନର ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଜେଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥି ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ୮ କୋଟି ‌ଟଙ୍କା ଯୋଗାଇ ଦେବେ। ୧୮୬ଟି ମତ୍ସ୍ୟ ପ୍ରାଥମିକ ସମବାୟ ସମିତି ଅନ୍ତର୍ଗତ ସମସ୍ତ ସଦସ୍ୟଙ୍କୁ ନିଜସ୍ବ ଡଙ୍ଗା ମେସିନ୍ ଓ ନେଟ୍‌ ପାଇଁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ବୈଠକରେ ଚିଲିକାର ସୁରକ୍ଷା, ମତ୍ସ୍ୟ ସମ୍ପଦର ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଆର୍‌ ରଘୁପ୍ରସାଦ, ମତ୍ସ୍ୟ ନି‌େର୍ଦ୍ଦଶକ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପ ଶାସନ ସଚିବ ଅଭୟ କୁମାର ମହାନ୍ତି, କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତିର ପୂର୍ବତନ ସଭାପତି କେଦାରନାଥ ଜେନା, ରଘୁନାଥ ଜେନା ଓ ଫାଲ୍‌ଗୁନି ଜାଲି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର